ଟାଟା ଗ୍ରୁପ୍ର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କ ନାଁରେ ଥିବା ୧୫ହଜାର କୋଟି ଟଙ୍କା ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବେ ତାହା ସ୍ପଷ୍ଟ ହୋଇପାରୁନି। ନିଜ ଇଚ୍ଛାପତ୍ରରେ ଟାଟା ଏ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରିନାହାନ୍ତି। ତେଣୁ ତାଙ୍କ ସମ୍ପତ୍ତି କାହାକୁ ମିଳିବ ସେହି ନିଷ୍ପତ୍ତି ନେବା ଲାଗି ସୁପ୍ରିମ୍କୋର୍ଟର ଜଣ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ମଧ୍ୟସ୍ଥତା କରିବାକୁ ନିଯୁକ୍ତ କରିବା ଉପରେ ବିଚାର କରାଯାଉଛି। ଟାଟାଙ୍କ ସମ୍ପତ୍ତିକୁ ନେଇ ଠିଆ ହୋଇଥିବା ବଡ଼ ପ୍ରଶ୍ନଟି ହେଉଛି ତାଙ୍କ ଇଚ୍ଛାପତ୍ରକୁ କାର୍ଯ୍ୟକାରୀ କରିବାର କ୍ଷମତା କାହା ପାଖରେ ରହିଛି। ଟାଟା ପରିବାର ନା ଟାଟା ଟ୍ରଷ୍ଟ। ମଧ୍ୟସ୍ଥତା କରିବାକୁ ଥିବା ଜଜ୍ ପ୍ରଥମେ ସେହି ନିଷ୍ପତ୍ତି ନେବେ।
ଦାତବ୍ୟ କାର୍ଯ୍ୟରେ ନିଜ ବ୍ୟକ୍ତିଗତ ସମ୍ପତ୍ତି ବ୍ୟବହାରର ଦେଖାଶୁଣା କରିବା ଲାଗି ୨୦୨୨ରେ ରତନ ଟାଟାଙ୍କ ଦ୍ବାରା ରତନ ଟାଟା ଏଣ୍ଡାଓମେଣ୍ଟ ଫଣ୍ଡ ଗଠନ କରାଯାଇଥିଲା। ଟାଟା ସନ୍ସରେ ରତନ ଟାଟାଙ୍କ ୦.୮୩% ଅଂଶଧନ ରହିଛି ତାହାର ମୂଲ୍ୟ ହେଉଛି ୭୯୦୦ କୋଟି ଟଙ୍କା। କିନ୍ତୁ ତାଙ୍କ ସମୁଦାୟ ସମ୍ପତ୍ତି ୧୫ହଜାର କୋଟି ଟଙ୍କାରୁ ଅଧିକ ଆକଳନ କରାଯାଇଛି। ଟାଟା ଟ୍ରଷ୍ଟ୍ସଠାରୁ ଏଣ୍ଡାଓମେଣ୍ଟ ଫଣ୍ଡକୁ ସମ୍ପୂର୍ଣ୍ଣ ଅଲଗା ରଖିଛନ୍ତି ରତନ ଟାଟା। ନିଜ ସବୁ ସମ୍ପତ୍ତି ଦାତବ୍ୟ ଓ ଜନ କଲ୍ୟାଣ କାର୍ଯ୍ୟରେ ବ୍ୟବହାର ହେଉ ବୋଲି ବଞ୍ଚିଥିବା ବେଳେ ରତନ ଟାଟା ଚାହୁଥିଲେ। ତାଙ୍କ ନାଁରେ ଫେରାରି ଓ ମାସେରାଟି ଭଳି ବିଳାସପୂର୍ଣ୍ଣ କାର୍ ରହିଛି। ସେଗୁଡ଼ିକୁ ନିଲାମ କରି, ସେଥିରୁ ମିଳିବାକୁ ଥିବା ପାଣ୍ଠିକୁ ତାଙ୍କ ଫାଉଣ୍ଡେସନକୁ ଦେବାର ଯୋଜନା ରହିଛି। ଆଇନ ବିଶାରଦଙ୍କ ମତରେ ଯେହେତୁ ଟାଟାଙ୍କ ଇଚ୍ଛାପତ୍ରରେ ଉତ୍ତରାଧିକାରୀ ସମ୍ପର୍କରେ କିଛି ସ୍ପଷ୍ଟ ଭାବେ ଉଲ୍ଲେଖ କରିନାହାନ୍ତି, ତେଣୁ ସମ୍ପତ୍ତି କାହାକୁ ମିଳିବ ତାହା ଇଚ୍ଛାପତ୍ରକୁ କାର୍ଯ୍ୟକାରୀ କରୁଥିବା ଲୋକମାନଙ୍କ ଉପରେ ନିର୍ଭର କରିବ।
More Stories
୧୦ ବର୍ଷରେ ଭାରତରେ ୧୭.୧ କୋଟି ଲୋକ ହୋଇଛନ୍ତି ଦାରିଦ୍ର୍ୟମୁକ୍ତ- ରିପୋର୍ଟ
ଚୀନ୍ ପାଇଁ ପ୍ରସ୍ତୁତ 10 ଆମେରିକୀୟ ବୋଇଂ ବିମାନ କିଣିବ ଏୟାର ଇଣ୍ଡିଆ
ଇଏସ୍ଆଇସି ପକ୍ଷରୁ ଭୁବନେଶ୍ବରରେ ଖୋଲିବ ସ୍ବତନ୍ତ୍ର ଚିକିତ୍ସାଳୟ