The Topmost

“The eyes believe themselves, the ears believe other people.”

RAJA PURANJAY'S MYTHOLOGICAL STORY

RAJA PURANJAY’S MYTHOLOGICAL STORY

ପୁରାଣ ପୃଷ୍ଠାରୁ ପ୍ରଥମ କର୍ତ୍ତବ୍ୟ
ରାଜା ପୁରଂଜୟ ରାଜସୂୟ ଯଜ୍ଞ କରୁଥାନ୍ତି। ଯୋଗସିଦ୍ଧ ମୁନି-ଋଷି ଗଣ ସେଠାରେ ଉପସ୍ଥିତ ଥାଆନ୍ତି। ଯଜ୍ଞ ଚାଲିଲା ଏବଂ ପୂର୍ଣ୍ଣାହୁତି କରିବା ସମୟରେ ତାଙ୍କ ରାଜ୍ୟର ଜଣେ କୃଷକ ପହଞ୍ଚି ରାଜାଙ୍କୁ ଗୁହାରୀ ଜଣାଇଲା । ଆଜ୍ଞା ମୁଁ ବଡ଼ ସଙ୍କଟରେ ପଡ଼ିଛି । ମୋ ଘରେ ତସ୍କର ପସି ଧନ ସଂପତ୍ତି ଲୁଟି ନେଉଛନ୍ତି । ଏ ସଂକଟରୁ ଆପଣ ମତେ ରକ୍ଷା କରନ୍ତୁ। ରାଜା ପୁରଜଂୟ ଦୁଃଖ ପ୍ରକାଶ କଲେ ଏବଂ କହିଲେ ବ୍ୟସ୍ତ ହୁଅନାହିଁ । ଯଜ୍ଞର ପୂର୍ଣ୍ଣାହୁତି ପରେ ମୁଁ ତୁମ ସହିତ ଯିବି ଏବଂ ପ୍ରତିକାରର ବ୍ୟବସ୍ଥା କରିବି। ସମସ୍ତ ମୁନି-ଋଷିମାନେ ଏ କଥା ଶୁଣୁଥାନ୍ତି । ସେମାନେ ମଧ୍ୟ କହିଲେ ଯଜ୍ଞ ପୂର୍ଣ୍ଣାହୁତି ପରେ ଯାଇ ରାଜା ଯଜ୍ଞସ୍ଥଳ ଛାଡି ପାରିବେ । ନଚେତ୍ ବହୁତ ଅମଙ୍ଗଳ ହେବ । ଏକଥା ଶୁଣି କୃଷକଟି କହିଲା ଯୋଉ ଧନରେ ଏ ଯଜ୍ଞ ହେଉଛି ତାହା ଆମମାନଙ୍କ ପରିଶ୍ରମର ଧନ । ଯେଉଁ ଘୃତରେ ଆହୂତି ଦିଆଯାଉଛି ତାହା ଆମ ଗାଈମାନଙ୍କଠୁ ଆସିଛି । ପ୍ରଜାମାନଙ୍କ ସୁଖ ଓ ଶାନ୍ତି ପାଇଁ ଯଜ୍ଞ କରାଯାଏ। ମୁନି-ଋଷିମାନେ ମହାରାଜାଙ୍କୁ କହିଲେ, ଆପଣ କୃଷକଙ୍କ କଥାରେ ଯଜ୍ଞସ୍ଥଳ ଛାଡ଼ନ୍ତୁ ନାହିଁ । ଏମିତିରେ ବି ପୂର୍ଣ୍ଣାହୁତି ସମୟ ହେଇଗଲାଣି। ରାଜା ଦ୍ଵନ୍ଦରେ ପଡି ଚିନ୍ତା କଲେ । ପ୍ରଜାଙ୍କ ପାଇଁ କର୍ତ୍ତବ୍ୟ ଏବଂ ଯଜ୍ଞର ପୂର୍ଣ୍ଣାହୁତି ଏ ଦୁଇଟିର ସମୟ । କ’ଣ କରିବେ?

କୃଷକ କହିଲା ମହାରାଜ ଆପଣ କ’ଣ ଚାହୁଁଛନ୍ତି ମୋର ସର୍ବସ୍ୱ ନଷ୍ଟ ହେଇଯାଉ? ରାଜା, ଋଷିମାନଙ୍କୁ କହିଲେ ହେ ମହାତ୍ମା ଗଣ, ମୋତେ ଏବେ କୃଷକ ସହିତ ଯିବାକୁ ପଡିବ । କାରଣ ଏହା ମୋର ପ୍ରଥମ କର୍ତ୍ତବ୍ୟ। ରାଜା ଯଜ୍ଞରୁ ଉଠି ଆସିଲେ। ଋଷିମାନଙ୍କ ମଧ୍ୟରେ ଅସନ୍ତୋଷ ଖେଳିଗଲା। ଋଷିମାନେ ରାଜାଙ୍କୁ ଅଭିଶାପ ଦେବାକୁ ମନସ୍ଥ କଲେ । କିନ୍ତୁ ହଠାତ୍ କୃଷକ ଦେହରୁ ଏକ ଦିବ୍ୟ ଆଲୋକ ବାହାରି ଯଜ୍ଞ କୁଣ୍ଡରେ ପ୍ରବେଶ କଲା । ଶୂନ୍ୟବାଣୀ ହେଲା, ପ୍ରଜାଙ୍କ ହିତ ସାଧନ କରିବା ରାଜାଙ୍କର ପ୍ରଥମ କର୍ତ୍ତବ୍ୟ । ଆପଣ ଜଣେ ସାମାନ୍ୟ କୃଷକର କଥାରେ ରାଜସୂୟ ଯଜ୍ଞରୁ ଉଠିଆସିଲେ । ଅଗ୍ନିଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ। ପୂର୍ଣ୍ଣାହୁତିରେ ଯେତିକି ସୁଫଳ ମିଳିବା କଥା ବିନା ପୂର୍ଣ୍ଣାହୁତିରେ ଆପଣଙ୍କୁ ସମଫଳ ପ୍ରାପ୍ତ ହେବ। ତା ପରେ ମୁନି-ଋଷିମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସମବେତ କଣ୍ଠରେ ଉଚ୍ଛୁଳି ଉଠିଲା ଜୟ, ରାଜା ପୁରଜଂୟଙ୍କର ଜୟ । ତେବେ ଅତୀତର ଜଣେ ପ୍ରଜାବତ୍ସଳ ରାଜା ଯିଏ ସମଗ୍ର ସମାଜ ପାଇଁ ଏକ ପ୍ରେରଣାର ଉତ୍ସ । ଯିଏ ସେ ଯୁଗରେ ବି ପୂଜା ପାଠ ଅପେକ୍ଷା ନିଜ କର୍ତ୍ତବ୍ୟକୁ ସର୍ବାଗ୍ରେ ରଖିଲେ ତାହା ସମସ୍ତଙ୍କ ପାଇଁ ଏକ ଶିକ୍ଷା ହେବା ଯୋଗ୍ୟ ।