ବାତ୍ୟା ‘ଦାନା’ ପ୍ରଭାବରେ ପୁରୀରେ ବୁଧବାର ରାତିରୁ ବର୍ଷା ଆରମ୍ଭ ହୋଇଥିଲା। ଗୁରୁବାର ଦିନତମାମ ବର୍ଷା ଲାଗିରହିଥିବାବେଳେ ସନ୍ଧ୍ୟାରେ ପବନର ବେଗ ବଢିଥିଲା। ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ଶୂନ୍ୟଗଣ୍ଠି ପଡ଼ିଥିବା ଗୁରୁବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା।
ଶୁକ୍ରବାର ସକାଳେ ଚୂନରା ସେବକ ଶ୍ରୀମନ୍ଦିର ଚୂଡ଼ାକୁ ଯାଇଥିବାବେଳେ ପତିତପାବନ ବାନାରେ ଶୂନ୍ୟଗଣ୍ଠି ପଡ଼ିଥିବା ଦେଖିଥିଲେ। ନୀଳଚକ୍ରରେ ଲାଗିଥିବା ବାନା ଉଡ଼ିବା ସମୟରେ ସ୍ବତଃ ସେଥିରେ ଗଣ୍ଠି ପଡ଼ିଲେ ତାହାକୁ ଶୂନ୍ୟଗଣ୍ଠି ବୋଲି କୁହାଯାଇଥାଏ, ଯାହା କ୍ୱଚିତ ଦେଖିବାକୁ ମିଳିଥାଏ। ଶୂନ୍ୟଗଣ୍ଠିକୁ ଖୋଲିବା ସମ୍ଭବପର ହୋଇନଥାଏ। ଏବେ ନୀଳଚକ୍ରରେ ୧୪ହାତିଆ ବାନା ଲାଗୁଥିବାରୁ ବହୁବର୍ଷ ହେବ ଶୂନ୍ୟଗଣ୍ଠି ଦେଖିବାକୁ ମିଳି ନ ଥିଲା। ବାତ୍ୟା କାରଣରୁ ପବନର ବେଗ ଅଧିକ ଥିବାରୁ ବାନାରେ ଶୂନ୍ୟଗଣ୍ଠି ପଡ଼ିଥିବା ଅନୁମାନ କରାଯାଉଛି।
ଚୂନରା ସେବକଙ୍କ କହିବା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ନୀଳଚକ୍ର ବାନାରେ ଧଳାରଙ୍ଗର ବାନା ବନ୍ଧାଯାଇଥିଲା। ଧଳା ମୁଖ୍ୟତଃ ଶାନ୍ତିର ପ୍ରତୀକ। ଓଡ଼ିଶା ପ୍ରତି ଥିବା ବିପଦକୁ ମହାପ୍ରଭୁ ନୀଳଚକ୍ର ବାନାରେ ଶୂନ୍ୟଗଣ୍ଠି କରିଦେଇଛନ୍ତି। ଫଳରେ ବାତ୍ୟା ଦୁର୍ବଳ ହୋଇ ସେତେ କ୍ଷୟକ୍ଷତି କରିନାହିଁ ବୋଲି ସେ କହିଛନ୍ତି। ଲୋକକଥା ଅନୁଯାୟୀ, ଏହି ଶୂନ୍ୟଗଣ୍ଠି ବାନାକୁ ଘରେ ରଖିଲେ ସମସ୍ତ ପ୍ରକାର ଅସୁବିଧା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।
More Stories
ଦୂର ହେଲା ପର୍ବ ପର୍ବାଣୀ ଦ୍ବନ୍ଦ୍ବ, ଶ୍ରୀମନ୍ଦିରରେ ହେଲା ପାଞ୍ଜି ସୁଧାର
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..