ଆମେରିକାର ୱିଲ୍ମିଙ୍ଗଟନରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ବାଡର ଶିଖର ସମ୍ମିଳନୀ ସମାପନ ହେବା ସହ ମିଳିତ ଘୋଷଣାନାମା ଜାରି କରାଯାଇଛି। ଦକ୍ଷିଣ ଚୀନ୍ ସାଗରରେ ଚୀନର ଦାଦାଗିରି ତଥା ‘ସାମରିକୀକରଣ’ ଓ ‘ଜବରଦସ୍ତ ଯୁଦ୍ଧାଭ୍ୟାସ’ ଉପରେ କ୍ବାଡ୍ ନେତାମାନେ ଚିନ୍ତା ପ୍ରକଟ କରିବା ସହ ବିବାଦ ନ ବଢ଼ାଇବାକୁ ଚେତାବନୀ ଦେଇଛି।
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର କାର୍ଯ୍ୟକଳାପ ବିରୋଧରେ କ୍ୱାଡ୍ ନେତାମାନେ କଡ଼ା ଶବ୍ଦ ପ୍ରୟୋଗ କରିଛନ୍ତି। ଦକ୍ଷିଣ ଏବଂ ପୂର୍ବ ଚୀନ୍ ସାଗରର ଚୀନର କାର୍ଯ୍ୟକଳାପ ଅଗ୍ରହଣୀୟ ଏବଂ ଏହା ସମସ୍ତ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି ମିଳିତ ବିବୃତିରେ କୁହାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୱିଲ୍ମିଙ୍ଗଟନ୍ ଘୋଷଣାନାମାରେ କହିଛନ୍ତି ଯେ ଚୀନ୍ର କାର୍ଯ୍ୟକଳାପକୁ ଦୃଢ଼ ବିରୋଧ କରାଯିବ। ଏହା ସହିତ ରୁଷ୍-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ଘଟାଇବାକୁ କ୍ବାଡ୍ ନେତାମାନେ ଆହ୍ବାନ ଦେଇଛନ୍ତି। ୟୁକ୍ରେନ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କ୍ବାଡ୍ ନେତାମାନେ କହିଛନ୍ତି ଯେ ୟୁକ୍ରେନର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ଦେଇ ତୁରନ୍ତ ଅସ୍ତ୍ରବିରତି ପାଇଁ ପ୍ରୟାସ ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ କିବ୍ ଗସ୍ତ କରି ଶାନ୍ତି ପ୍ରକ୍ରିୟା ନିମନ୍ତେ ଦେଇଥିବା ଆହ୍ବାନ ଆଜି କ୍ବାଡ୍ ଘୋଷଣାନାମାରେ ସ୍ଥାନ ପାଇଥିଲା।
ନିକଟରେ ଫିଲିପାଇନ୍ସ ବିରୋଧରେ ଚୀନ୍ର ଆକ୍ରମଣାତ୍ମକ ପଦକ୍ଷେପକୁ କ୍ୱାଡ୍ ନିନ୍ଦା କରିଛି। ‘ଅନ୍ୟ ଦେଶର ବିଦେଶୀ ସମ୍ବଳ ହାତେଇବାକୁ ଚୀନ୍ର ଶୋଷଣମୁଖୀ କାର୍ଯ୍ୟକ୍ରମ’ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି। ସାମୁଦ୍ରିକ ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସମାଧାନ କରାଯିବା ଆବଶ୍ୟକ ବୋଲି କ୍ୱାଡ୍ ନେତାମାନେ କହିଛନ୍ତି। କ୍ୱାଡ୍ ‘ଆଞ୍ଚଳିକ ଅଖଣ୍ଡତା, ସମସ୍ତ ରାଷ୍ଟ୍ରର ସାର୍ବଭୌମତ୍ୱ ଏବଂ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସମେତ ଜାତିସଂଘ ନୀତି’ ସପକ୍ଷରେ ଦୃଢ଼ ଭାବେ ରହିଛି ବୋଲି କୁହାଯାଇଛି। କ୍ୱାଡ୍ ଦେଶଗୁଡ଼ିକ ବିଶ୍ୱର ଖାଦ୍ୟ ଏବଂ ଶକ୍ତି ନିରାପତ୍ତା ଉପରେ ଯୁଦ୍ଧର ନକାରାତ୍ମକ ପ୍ରଭାବକୁ ଦୋହରାଇବା ସହ ପରମାଣୁ ଅସ୍ତ୍ରର ବ୍ୟବହାର କିମ୍ବା ଧମକ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।
ଇସ୍ରାଏଲ-ଗାଜା ଯୁଦ୍ଧ ପରିପ୍ରେୀକ୍ଷରେ ଗାଜାରେ ଜୀବନ ରକ୍ଷାକାରୀ ମାନବିକ ସହାୟତା ବୃଦ୍ଧି କରିବାକୁ କ୍ବାଡ୍ ନେତାମାନେ ଗୁରୁତ୍ବାରୋପ କରିଛନ୍ତି। ସାଧାରଣ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା ଏବଂ ନାଗରିକଙ୍କୁ ଦ୍ରୁତ, ସୁରକ୍ଷିତ ଏବଂ ଅବାଧ ମାନବୀୟ ରିଲିଫ ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ନେବାକୁ କ୍ବାଡ୍ ନେତାମାନେ ସମସ୍ତ ପକ୍ଷଙ୍କୁ କହିଛନ୍ତି। ଅନ୍ତର୍ଜାତୀୟ ସମୁଦାୟ ଗାଜାର ପୁନରୁଦ୍ଧାର ଏବଂ ପୁନଃନିର୍ମାଣକୁ ସମର୍ଥନ କରିବା ଉଚିତ ବୋଲି ଘୋଷଣାନାମାରେ କୁହାଯାଇଛି। ଏହା ସହିତ ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ସମଗ୍ର ମଧ୍ୟପ୍ରାଚ୍ୟରେ ଜଟିଳ ସ୍ଥିତି ସୃଷ୍ଟି ହେବା ଅତ୍ୟନ୍ତ ଉଦ୍ବେଗର ବିଷୟ ବୋଲି କ୍ବାଡ୍ କହିଛି।
More Stories
ବଡ ଅଧିକାରୀ କରୁଥିଲେ ଡ୍ରଗ୍ ଚୋରା ଚାଲାଣ
ହାଇଦ୍ରାବାଦରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ବୋମା..
ଅଧାଘଣ୍ଟାରେ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାତ୍ରା