ବାରବାଟୀ ଦିନିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ଦଲାଲଙ୍କ ଟିକେଟ୍ କଳାବଜାରୀ ସୀମା ଟପିଛି। ୧୨୦୦ ଟଙ୍କାର ଟିକେଟ୍କୁ ସାଢେ ୬ ହଜାର ଟଙ୍କାରେ ଏବେ ବିକୁଛନ୍ତି। ଟିକଟ୍ ବିକ୍ରି ସମୟରୁ ଏଭଳି କେଳେଙ୍କାରୀର ମୂଳଦୁଆ ପଡ଼ିଥିବା ବେଳେ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ଆଜି ହଠାତ ପୁଲିସ ସକ୍ରିୟ ହୋଇ ମାତ୍ର ୭ ଜଣ ଟିକେଟ୍ କଳାବଜାରୀଙ୍କୁ ଉଠାଇ ନେଇଛି। ସେମାନଙ୍କଠାରୁ ୨୫ଟି ଟିକେଟ୍, ୩୦ ହଜାର ଟଙ୍କା, ମୋବାଇଲ୍ ଫୋନ ଆଦି ଜବତ କରାଯାଇଛି। ଡିସିପି କଳାବଜାରୀଙ୍କ ସଂପର୍କରେ ସୂଚନା ଦେବା ସହିତ ଜାଲ୍ ଟିକେଟ୍ ପ୍ରତି ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଷ୍ଟାଡିୟମ୍ ଆଖପାଖରେ ମାଳମାଳ ଦଲାଲ୍ ବୁଲୁଥିବା ବେଳେ କଟକ କମିସନରେଟ୍ ପୁଲିସ ୭ ଜଣଙ୍କୁ ଧରି ଏବେ ଦୋଷ ଖସାଇ ଦେବାକୁ ବସିଛି।
ଗଲା ବୁଧବାର ଦିନ ମାତ୍ର ଗୋଟିଏ ଦିନରେ ଷ୍ଟାଡିୟମ୍ରେ ଖୋଲିଥିବା କାଉଣ୍ଟରରେ ସମସ୍ତ ଟିକେଟ୍ ବିକ୍ରି ହୋଇ ଯାଇଥିଲା। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଧାଡ଼ିରେ ଦଲାଲଙ୍କ ଦ୍ବାରା ନିୟୋଜିତ ବସ୍ତିବାସିନ୍ଦାମାନେ ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଥିଲା। ଶହ ଶହ ପୁଲିସ ଫୋର୍ସଙ୍କ ସାମନାରେ ଏଭଳି କାରବାର ଚାଲିଥିବା ସତ୍ତ୍ବେ ପୁଲିସ ଏକପ୍ରକାର ଚୁପ୍ ବସିଥିଲା। କିନ୍ତୁ ଟିକେଟ୍ କଳାବଜାରୀ ସଂପର୍କରେ ଅଭିଯୋଗ ହେବା ପରେ ଆଜି ଦରଘାବଜାର ଥାନା ଅଞ୍ଚଳରେ ପୁଲିସ ୩ ଜଣ ଦଲାଲଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୮ଟି ଟିକେଟ୍ ଓ ୩୦ ହଜାର ଟଙ୍କା ଜବତ କରିଛି। ଦରଘାବଜାର ଥାନାରେ ଏ ନେଇ ଏକ ମାମଲା ରୁଜୁ କରାଯିବା ସହିତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିଭଳି ଷ୍ଟାଡିୟମ୍ର ବିଭିନ୍ନ ଅଞ୍ଚଳରୁ ୪ ଜଣ ଦଲାଲଙ୍କୁ କ୍ୟାଣ୍ଟନ୍ମେଣ୍ଟ ଥାନା ପୁଲିସ ଗିରଫ କରିଛି। ଏହି ୪ଜଣଙ୍କ ନିକଟରୁ ୧୭ଟି ଟିକେଟ୍, ୩ଟି ମୋବାଇଲ ଫୋନ୍ ଓ ୨ଟି ବାଇକ ଜବତ ହୋଇଥିବାବେଳେ ୪ ଦଲାଲଙ୍କୁ କୋର୍ଟ ଚାଲାଣ କରାଯାଇଛି। କଟକ କମିସନରେଟ୍ ପୁଲିସର ୧୫ରୁ ଅଧିକ ପୁଲିସ କର୍ମଚାରୀଙ୍କୁ କଳାବଜାରୀଙ୍କୁ ଧରିବା ପାଇଁ ଦାୟିତ୍ୱ ଦିଆଯାଇଛି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍