ଗୋଟିଏ ପଟେ ପାର୍ଟ ପ୍ଲଟ୍ ପଞ୍ଜୀକରଣରେ କଟକଣା ଲାଗିଥିଲା। ଅନ୍ୟପଟେ ମୋଟା ଅଙ୍କର ହାତଗୁଞ୍ଜା ନେଇ ପଞ୍ଜୀକରଣ ଚାଲିଥିଲା। ଜମିମାଲିକ ସମସ୍ୟା ଭୋଗୁଥିବାରୁ ପାର୍ଟପ୍ଲଟ୍ ରେଜିଷ୍ଟ୍ରେସନ କଟକଣା ହଟାଇବାକୁ ମନ୍ତ୍ରୀ ଘୋଷଣା କରିଥିଲେ। ଏତିକି ବେଳେ ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ ପାଇଁ ହାତଗୁଞ୍ଜା ନେବା ଅଭିଯୋଗରେ ଭୁବନେଶ୍ବରରୁ ଜଣେ ମହିଳା କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହା ପଛର କେଳେଙ୍କାରୀ ପଦାକୁ ଆସିଯାଇଥିଲା। ଏଣୁ ସରକାର ବିଭିନ୍ନ ସବ୍ରେଜିଷ୍ଟ୍ରାର୍ଙ୍କ ଠାରୁ କଟକଣା ଲାଗିବା ଅବଧିରେ ହୋଇଥିବା କିଣାବିକାର ରିପୋର୍ଟ ତଲବ କରିଥିଲେ। ଏହି ରିପୋର୍ଟ ଏବେ ସରକାରଙ୍କ ହସ୍ତଗତ ହୋଇଛି। ଯଦିଓ ଏହା ସାର୍ବଜନୀନ ହୋଇ ନାହିଁ ତଥାପି କଟକଣା ସମୟରେ ବାଲିଅନ୍ତା, ବାଲିପାଟଣା, ଖଣ୍ଡଗିରି, ଖୋର୍ଦ୍ଧା ଓ ଭୁବନେଶ୍ବର ସବ୍ରେଜିଷ୍ଟ୍ରାର୍ରେ ୨୨ହଜାର ୧୫୦ ପାର୍ଟପ୍ଲଟ୍ ପଞ୍ଜୀକୃତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।
ବଡ଼କଥା ହେଉଛି କି ପାର୍ଟପ୍ଲଟ୍ ପଞ୍ଜୀକରଣ କରିଥିବା ଜମିମାଲିକ ଓ କେତ୍ରାଙ୍କ ମଧ୍ୟରେ ବହୁ ବଡ଼ବଡ଼ିଆ ଅଛନ୍ତି। ଏବେ ଦେଖିବାକୁ ବାକି ରହିଛି କି ସରକାର କେବଳ ଧମକ ଦେଉଥିଲେ ନା ବାସ୍ତବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ? ବଡ଼ବଡ଼ିଆ ଥିବାରୁ କୁଆଡ଼େ ସରକାର ପଛଘୁଞ୍ଚା ଦେଉଥିବା କୁହାଯାଉଛି। ଗୋଟିଏ ପ୍ଳଟ୍ର ଅଂଶ ବା ପାର୍ଟ ପ୍ଳଟ୍ ବିକିବା ଉପରେ ୨୦୨୨ରେ କଟକଣା ଲାଗିଥିଲା। ସମ୍ପୂର୍ଣ୍ଣ ବିକ୍ରି ବନ୍ଦ ନଥିଲା ବରଂ କେବଳ ଘରବାରି କିସମ ଖଣ୍ଡ ଜମି ବିକ୍ରି କରିବାକୁ ହେଲେ ସମ୍ପୃକ୍ତ ପ୍ଲଟ୍ ଉପରେ ପ୍ଲାନ୍ ଆପ୍ରୁଭାଲ୍ ଆବଶ୍ୟକତା ଥିଲା। ଯେଉଁଠି କେବଳ ଜମି ବିକି ଝିଅ ବାହାଘର ଓ ଚିକିତ୍ସା ସେବା ପାଇବାକୁ ଚାହୁଥିବା ଲୋକ ତା ଉପରେ କେବେ ଘର ହେବ ଜାଣିନଥିଲା, ସେ କାହିଁକି ପ୍ଲାନ୍ ନେବ ବୋଲି ପ୍ରଶ୍ନ ଉଠିଥିଲା। ଯେଉଁମାନେ ପ୍ଲାନ୍ ନେବାପାଇଁ ଚାହୁଥିଲେ ସେମାନେ ମଧ୍ୟ ସହଜରେ ପାଉନଥିଲେ। ବରଂ ମୋଟାଅଙ୍କର ହାତଗୁଞ୍ଜା ଦେବାକୁ ପଡ଼ୁଥିଲା। ବିଡିଏ କିମ୍ବା ବିଏମ୍ସିରେ ପ୍ଲାନ୍ ଆପ୍ରୁଭାଲ୍ ପାଇଁ ଯେତିକି ଖର୍ଚ୍ଚ କରିବାକୁ ହେଉଥିଲା ସେତିକି ହାତଗୁଞ୍ଜା ଦେଲେ ସବ୍ରେଜିଷ୍ଟ୍ରାର୍ଙ୍କ ପାଖରେ ପଞ୍ଜୀକୃତ ହୋଇଯାଉଥିଲା। ଏଭଳି ଉଭୟ ଅଫିସ୍ରେ ତଳିଆ କର୍ମଚାରୀଙ୍କ ଜରିଆରେ ଦାୟିତ୍ବରେ ଥିବା ଅଧିକାରୀମାନେ ପକେଟ୍ ଗରମ କରୁଥିଲେ। ଭୁବନେଶ୍ବରରେ ଜଣେ ମହିଳା କର୍ମଚାରୀ ଧରାପଡ଼ିବା ପରେ ଏହି କାରବାର ଉପରୁ ପରଦା ହଟି ଯାଇଥିଲା। ରାଜସ୍ବ ମନ୍ତ୍ରୀ ସବ୍-ରେଜିଷ୍ଟ୍ରାର୍ମାନଙ୍କୁ ରିପୋର୍ଟ ତଲବ କରିଥିଲେ।
୨୦୨୨ ମସିହାରୁ ୨୦୨୪ ମସିହା ମଧ୍ୟରେ ଦୁଇ ବର୍ଷରେ ୨୨ହଜାର ୧୫୦ ସବ୍ପ୍ଲଟ୍ ରେଜିଷ୍ଟ୍ରେସନ ହୋଇଛି। ଜଟଣୀରେ ସର୍ବାଧିକ ୭ହଜାର ୩ଶହ ପଞ୍ଜୀକୃତ ହୋଇଥିବା ବେଳେ ଭୁବନେଶ୍ବରରେ ୭ହଜାର ୨ଶହ, ଖଣ୍ଡଗିରିରେ ୪ହଜାର ୫ଶହ, ଖୋର୍ଦ୍ଧାରେ ୧୩୦୦, ବାଲିପାଟଣାରେ ୮୮୬, ବାଲିଅନ୍ତାରେ ୪୫୩ଟି ପଞ୍ଜୀକୃତ ହୋଇଛି। ଯଦି ଅଧିକାରୀଙ୍କ ଦାୟିତ୍ବ ହିସାବରେ ବିଚାର କରାଯାଏତେବେ ଭୁବନେଶ୍ବରରେ ଜଣେ ପୂର୍ବତନ ଅଧିକାରୀଙ୍କ ସମୟରେ ୫୪୮୯ ଖଣ୍ଡ ପଞ୍ଜୀକୃତ ହୋଇଛି। ସବୁ ନିୟମକାନୁନ୍, କଟକଣାକୁ ଜଳାଞ୍ଜଳି ଦେଇ ସମ୍ପୃକ୍ତ ଅଧିକାରୀ ଏଭଳି କାରବାର କରିଥିବା ଅଭିଯୋଗ ହୋଇଛି। ମନ୍ତ୍ରୀଙ୍କ ପାଖରେ ଏବେ ଏହି ତାଲିକା ପଡ଼ିରହିଛି।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍