ଦେଶରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆର୍ଆର୍ବି)ଗୁଡ଼ିକର ଚତୁର୍ଥ ପର୍ଯ୍ୟାୟ ମିଶ୍ରଣ ହେବ। କେନ୍ଦ୍ର ସରକାର ଗୋଟିଏ ରାଜ୍ୟରେ ଗୋଟିଏ ଗ୍ରାମ୍ୟ ବ୍ୟାଙ୍କ ସ୍ଥାପନ ନେଇ ଯୋଜନା ରଖିଛନ୍ତି। ଏହାହେଲେ ଦେଶରେ ବର୍ତ୍ତମାନ ଆଞ୍ଚଳିକ ବ୍ୟାଙ୍କ ସଂଖ୍ୟା ୪୩ରୁ ୨୮କୁ ହ୍ରାସ ପାଇବ। ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ସହ ବିଚାରବିମର୍ଶ ପରେ କେନ୍ଦ୍ର ସରକାର ‘ଗୋଟିଏ ରାଜ୍ୟ-ଗୋଟିଏ ଆର୍ଆର୍ବି’ ପାଇଁ ଏକ ନକ୍ସା ପ୍ରସ୍ତୁତ କରିଛନ୍ତି।
ଉକ୍ତ ପଦକ୍ଷେପ ଦ୍ବାରା ଗୋଟିଏ ପଟେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ଆକାର ଓ ଦକ୍ଷତା ବୃଦ୍ଧି ପାଇବ। ଅନ୍ୟପକ୍ଷରେ ପରିଚାଳନାଜନିତ ଖର୍ଚ୍ଚ ମଧ୍ୟ କମିବ ବୋଲି ଆଶା ରଖାଯାଇଛି। ଯଦି ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହୁଏ ତାହେଲେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ। ଓଡ଼ିଶାରେ ବର୍ତ୍ତମାନ ଦୁଇଟି ଆଞ୍ଚଳିକ ଗ୍ରାମ୍ୟ ରହିଛି। ସେଗୁଡ଼ିକ ହେଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କ(ୟୁଜିବି)। ନୂଆ ଯୋଜନାରେ ଦୁଇଟି ବ୍ୟାଙ୍କକୁ ମିଶାଇ ଦିଆଯିବ।
କେନ୍ଦ୍ର ସରକାରଙ୍କ ପ୍ରସ୍ତାବ
ଗୋଟିଏ ରାଜ୍ୟ-ଗୋଟିଏ ଗ୍ରାମ୍ୟବ୍ୟାଙ୍କ
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୨୦୧୩ ଜାନୁଆରି ୭ରେ ଆରମ୍ଭ ହୋଇଥିଲା। ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଏବଂ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ କରାଯାଇ ଏହି ବ୍ୟାଙ୍କ ଆରମ୍ଭ କରାଯାଇଛି। ରାଜ୍ୟର ୧୩ଟି ଜିଲ୍ଲାରେ ଏହି ବ୍ୟାଙ୍କ ସେବା ଯୋଗାଇ ଦେଉଛି। ସେହିଭଳି କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ୨୦୧୨ ମସିହା ନଭେମ୍ବର ୧ ତାରିଖର ବିଜ୍ଞପ୍ତି ଅନୁଯାୟୀ, ଋଷିକୁଲ୍ୟ ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ କରାଯାଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସ୍ଥାପନ କରାଯାଇଥିଲା। ରାଜ୍ୟର ୧୭ଟି ଜିଲ୍ଲାରେ ଏହି ବ୍ୟାଙ୍କ ଏବେ ସେବା ଯୋଗାଉଛି।
ଉଲ୍ଲେଖଯୋଗ୍ୟ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ପୁନର୍ଗଠନ ୨୦୦୪-୦୫ ଆର୍ଥିକବର୍ଷରେ ଆରମ୍ଭ ହୋଇଥିଲା। ୩ଟି ପର୍ଯ୍ୟାୟର ମିଶ୍ରଣ ପରେ ଦେଶରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ସଂଖ୍ୟା ୧୯୬ରୁ ୪୩କୁ କମି ଯାଇଛି। ଏହି ମିଶ୍ରଣ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ପରିଚାଳନା ଖର୍ଚ୍ଚ ହ୍ରାସ ଏବଂ ପୁଞ୍ଜି ବଢ଼ାଇବା ଦିଗରେ ସହାୟକ ହୋଇଛି। ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ସାଧାରଣତଃ ଗ୍ରାମାଞ୍ଚଳରେ ରହିଛି। ଲୋକଙ୍କ ନିକଟରେ ବ୍ୟାଙ୍କ ସେବା ପ୍ରଦାନ ହେଉଛି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ସବୁଠୁ ବଡ଼ ବିଶେଷତ୍ବ। ଗୋଟିଏ ରାଜ୍ୟ-ଗୋଟିଏ ଆର୍ଆର୍ବି ଲକ୍ଷ୍ୟ ହାସଲ ଦିଗରେ ଏଗୁଡ଼ିକର ପୁନଶ୍ଚ ମିଶ୍ରଣ ଆବଶ୍ୟକତା ରହିଛି ବୋଲି ସରକାରଙ୍କ ପକ୍ଷରୁ ସୋମବାର କୁହାଯାଇଛି। ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ପ୍ରଯୋଜନା କରୁଥିବା ସମସ୍ତ ପ୍ରାୟୋଜକ ବ୍ୟାଙ୍କକୁ ଏହି ମର୍ମରେ ସୂଚନା ଦିଆଯାଇଛି।
ପ୍ରତ୍ୟେକ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କର ୫୦ ପ୍ରତିଶତ ଅଂଶଧନ ରହିଥିବାବେଳେ ପ୍ରାୟୋଜକ ବ୍ୟାଙ୍କର ୩୫ ପ୍ରତିଶତ ଏବଂ ସଂପୃକ୍ତ ରାଜ୍ୟ ସରକାରଙ୍କର ୧୫ ପ୍ରତିଶତ ଅଂଶଧନ ରହିଛି। ସଂପ୍ରତି ଦେଶର ୧୨ଟି ରାଜ୍ୟରେ ଏକାଧିକ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ରହିଛି। ମିଶ୍ରଣ ନକ୍ସା ଉପରେ ସରକାର ପ୍ରାୟୋଜକ ବ୍ୟାଙ୍କଗୁଡ଼ିକର ମତାମତ ଆହ୍ବାନ କରିଛନ୍ତି।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍