The Topmost

“The eyes believe themselves, the ears believe other people.”

ଦେଶରେ ତିଆରି ହେବ ନୂଆ ରେଳ ଲାଇନ, ଖୋଲିବ ନିଯୁକ୍ତି ସୁଯୋଗ

ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଓଡ଼ିଶାରେ ୪ଟି ସମେତ ୮ଟି ନୂଆ ରେଳଲାଇନ ପ୍ରକଳ୍ପକୁ ଅନୁମୋଦନ ଦେଇଛି। ଯେଉଁଥିରେ ମୋଟ ୨୪,୬୫୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିସିଇଏ ବୈଠକ ସମ୍ପର୍କରେ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ଆକାଂକ୍ଷୀ ଜିଲ୍ଲା ଏବଂ ଆଦିବାସୀ ଅଞ୍ଚଳପାଇଁ ଯଥେଷ୍ଟ ଲାଭଦାୟକ ହେବ। ସେଥିମଧ୍ୟରୁ ୩ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରହିଛି।

ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଭାଗ ପାଇଁ ୭୩ କିଲୋମିଟର ଗୁଣୁପୁର-ଥେରୁବାଲି ନୂଆ ରେଳ ଲାଇନ, ୧୧୬ କିଲୋମିଟର ଦୀର୍ଘ ଜୁନାଗଡ଼-ନବରଙ୍ଗପୁର ନୂଆ ରେଳ ଲାଇନ ଏବଂ ୧୭୩ କିଲୋମିଟର ଦୀର୍ଘ ମାଲକାନଗିରି-ପାଣ୍ଡୁରଙ୍ଗପୁରମ ନୂଆ ରେଳ ଲାଇନ ରହିଛି। ସେହିପରି ବାଦାମପାହାଡ-କେନ୍ଦୁଝରଗଡ ୮୨ କିଲୋମିଟର, ବାଙ୍ଗିରିପୋଷୀ-ଗୋରୁମହିଷାଣୀ ୮୫.୬୦ ରିଲୋମିଟର ରେଳ ଲାଇନ୍ ରହିଛି।

ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ସଂଯୋଗ କରୁଥିବା କରିଡରକୁ ଏହି ୩ଟି ନୂଆ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବ। ପର୍ଯ୍ୟଟନ ଦୃଷ୍ଟିକୋଣରୁ, ନିଯୁକ୍ତି ଦୃଷ୍ଟିକୋଣରୁ, ଖଣିଜ ସୁରକ୍ଷା ଦୃଷ୍ଟିକୋଣରୁ ଏବଂ ଶକ୍ତି ସୁରକ୍ଷା ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ନୂଆ ରେଳ ଲାଇନର ଉଦ୍ଦେଶ୍ୟ ହେଉଛି ଭାରତୀୟ ରେଳବାଇ ପାଇଁ ଯୋଗାଯୋଗ ଏବଂ ବିକାଶ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ନୂଆ ଭାରତ’ ପରିକଳ୍ପନା ସହିତ ଯୋଡ଼ି ହେବା ଏବଂ ବ୍ୟାପକ ଆଞ୍ଚଳିକ ବିକାଶ ମାଧ୍ୟମରେ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବା । ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳରେ ରୋଜଗାର ଓ ସ୍ୱରୋଜଗାର ସୁଯୋଗ ସୃଷ୍ଟି କରିବ।

ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ୧୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳ ନେଟୱାର୍କକୁ ୯୦୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରିବ। ସମୁଦାୟ ୬୪ଟି ନୂଆ ଷ୍ଟେସନ ନିର୍ମାଣ କରାଯିବ, ଯାହା ୬ଟି ଆକାଂକ୍ଷୀ ଜିଲ୍ଲା, ୫୧୦ଟି ଗାଁ ଏବଂ ପ୍ରାୟ ୪୦ ଲକ୍ଷ ଜନସଂଖ୍ୟା ପାଇଁ ଯୋଗାଯୋଗ ବୃଦ୍ଧି କରିବ । ୨୦୩୦-୨୦୩୧ ସୁଦ୍ଧା ଶେଷ ହେବାକୁ ଥିବା ଏହି ନୂତନ ଲାଇନ୍ ପ୍ରକଳ୍ପଗୁଡ଼ିକ ନିର୍ମାଣ କାଳରେ ପ୍ରାୟ ୩ କୋଟି ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ।