The Topmost

“The eyes believe themselves, the ears believe other people.”

New power plant will be built in Odisha, employment opportunities will increase

ଓଡିଶାରେ ହେବ ନୂଆ ପାୱାର ପ୍ଲାଣ୍ଟ୍, ବଢିବ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ଓଡ଼ିଶାରେ ଆଉ ଏକ ନୂଆ ପାୱାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି। ସିଙ୍ଗାରେନି କଲିଅରିଜ୍ କମ୍ପାନି ଲିମିଟେଡ୍‌ (ଏସ୍‌ସିସିଏଲ୍‌) ଏହି ପ୍ଲାଣ୍ଟ ସ୍ଥାପନ କରିବା ଉପରେ ବିଚାର କରୁଛି। କମ୍ପାନିକୁ ଛେଣ୍ଡିପଦାରେ ଆବଣ୍ଟନ କରାଯାଇଥିବା ନଇନି କୋଇଲା ଖଣି ପାଖାପାଖି ଅଞ୍ଚଳରେ ସେହି ପ୍ଲାଣ୍ଟକୁ ସ୍ଥାପନ କରାଯିବ। ଦୀର୍ଘଦିନ ଧରି ପ୍ରଶାସନିକ ଅବହେଳାର ଶିକାର ହୋଇ ନଇନି କୋଇଲା ଖଣି କାର୍ଯ୍ୟକ୍ଷମ ହୋଇପାରୁନଥିଲା।

ମାତ୍ର ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମାମଲାର ସମାଧାନ ହୋଇଛି। ଖଣିକୁ କାର୍ଯ୍ୟକ୍ଷମ କରିବା ଲାଗି ଆବଶ୍ୟକ ଥିବା ୬୪୩ ହେକ୍ଟର ଜଙ୍ଗଲ ଜମି ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ସହମତ ହୋଇଛନ୍ତି। ନଇନି କୋଇଲା ଖଣି ସିଙ୍ଗାରେନିର କୋଇଲା ଆବଶ୍ୟକତା ପୂରଣ କରିବା ଲାଗି ଯଥେଷ୍ଟ। ଏହା ତିନି ମାସ ଭିତରେ ଖଣିରୁ ଉତ୍ପାଦନ ଆରମ୍ଭ କରିବା ଉପରେ କାମ କରୁଛି। ଏଥି ସହିତ ୮୦୦ ମେଗାୱାଟ୍‌ ବିଶିଷ୍ଟ ଦୁଇଟି ନୂଆ କାରଖାନା ସ୍ଥାପନ କରିବାକୁ ମଧ୍ୟ କମ୍ପାନି ଯୋଜନା ରଖିଛି। ସେଥିରୁ ଗୋଟିଏ ପାୱାର ପ୍ଲାଣ୍ଟକୁ କୋଇଲା ଖଣିଠାରୁ ୪୦-୫୦ କିଲୋମିଟର ଭିତରେ ସ୍ଥାପନ କରିବା ଉପରେ ବିଚାର କରାଯାଉଛି। ସେଥିପାଇଁ ୭୫୦ରୁ ୧୦୦୦ ଏକର ଜମି ଅଧିଗ୍ରହଣ କରିବାକୁ କମ୍ପାନି ଯୋଜନା ରଖିଛି। ୨୦୩୦ ସୁଦ୍ଧା ଏହି ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବାର ସମ୍ଭାବନା ରହିଛି।

ନଇନି କୋଇଲା ଖଣିରେ ୩୪୦.୭୮ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି। ୨୦୨୪-୨୫ରେ ସେଥିରୁ ପାଞ୍ଚ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ଯୋଜନା ରହିଛି। ଆସନ୍ତା ତିନି ବର୍ଷ ଭିତରେ ଖଣିର ଉତ୍ପାଦନ କ୍ଷମତାକୁ ପର୍ଯ୍ୟାୟକ୍ରମେ ବୃଦ୍ଧି କରି ୨୦୨୬ ସୁଦ୍ଧା ୧୦ ନିୟୁତ ଟନ୍‌ କରାଯିବ। ଏହି ହାର‌ରେ କୋଇଲା ଉତ୍ପାଦନ ଜାରି ରହିଲେ ଆସନ୍ତା ୪୫-୪୦ ବର୍ଷ ପର୍ଯ୍ୟନ୍ତ ଉକ୍ତ ଖଣିରୁ କୋଇଲା ଉତ୍ପାଦନ କରାଯାଇପାରିବ ବୋଲି ଜଣାପଡ଼ିଛି। ସିଙ୍ଗାରେନିକୁ ୨୦୧୫ ଅଗଷ୍ଟ ୧୩ରେ ନଇନି କୋଇଲା ଖଣି ଆବଣ୍ଟନ କରାଯାଇଥିଲା। ୨୦୨୨ ଅକ୍ଟୋବର ସୁଦ୍ଧା ଏହା ଷ୍ଟେଜ୍-୨ ଜଙ୍ଗଲ ମଞ୍ଜୁରି ହାସଲ କରିଥିଲା। ମାତ୍ର ଜଙ୍ଗଲ ଜମି ହସ୍ତାନ୍ତରରେ ଅହେତୁକ ବିଳମ୍ବ ହୋଇଥିଲା। ୱାଇଲ୍‌ଡଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ‘ବନ୍ୟଜନ୍ତୁ ପରିଚାଳନା ଯୋଜନା’ ପ୍ରସ୍ତୁତ କରାଯାଇନଥିବାରୁ ଓଡ଼ିଶା ସରକାର ପ୍ରକଳ୍ପକୁ ପୂର୍ଣ୍ଣ ମଞ୍ଜୁରୀ ଦେଇନଥିଲେ। ଜୁନ୍ ମାସରେ ସିଙ୍ଗାରେନିର ସିଏମ୍‌ଡି ଏନ୍ ବଳରାମ ଓଡ଼ିଶା ଗସ୍ତରେ ଆସି ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କୁ ଭେଟି ଖଣି ଓ ପ୍ରସ୍ତାବିତ ପାୱାର ପ୍ଲାଣ୍ଟ ସମ୍ପର୍କରେ ଆଲୋଚନା କରିଥିଲେ। ସେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ମଧ୍ୟ ଭେଟିଥିଲେ। ପାୱାର ପ୍ଲାଣ୍ଟ ସ୍ଥାପନ ଲାଗି ଖଣି ପାଖାପାଖି ଅଞ୍ଚଳରେ ୮୦୦ ଏକରରୁ ଅଧିକ ଜମି ଯୋଗାଇ ଦେବାକୁ ସେ ସଚିବଙ୍କ ଅନୁରୋଧ କରିଥିଲେ।