The Topmost

“The eyes believe themselves, the ears believe other people.”

ପୁରୁଷଙ୍କ ଠାରେ ବ୍ରେନ୍ ଟ୍ୟୁମର୍ ଆଶଙ୍କା ଅଧିକ କାହିଁକି..

ବ୍ରେନ୍ (ମସ୍ତିସ୍କ) ଟ୍ୟୁମର ଯେ କୌଣସି ବର୍ଗର ବ୍ୟକ୍ତିଙ୍କଠାରେ ଦେଖା ଦେଇପାରେ। ମାତ୍ର ୩-୧୨ବର୍ଷର ଶିଶୁ ଓ ୪୦-୭୦ବର୍ଷର ଲୋକଙ୍କଠାରେ ଏହାର ସମ୍ଭାବନା ଅଧିକ। ଅନ୍ୟପକ୍ଷରେ ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ବ୍ରେନ୍ ଟ୍ୟୁମର ଆଶଙ୍କା ବେଶି। ମାତ୍ର ମେନିନଜିଓମା ଭଳି ଟ୍ୟୁମର ମହିଳାଙ୍କଠାରେ ହେବାର ମାତ୍ରା ଅଧିକ।

ମସ୍ତିସ୍କର କୌଣସି ସ୍ଥାନରେ ଅସ୍ବାଭାବିକ ବୃଦ୍ଧିକୁ ପ୍ରାଇମେରି ବ୍ରେନ୍ ଟ୍ୟୁମର କୁହାଯାଏ। ଏହା ଶରୀରର ଅନ୍ୟ କୌଣସି ଅଙ୍ଗକୁ ସଂପ୍ରସାରିତ ହୋଇ ନ ଥାଏ। ପ୍ରାଇମେରି ଟ୍ୟୁମର ମୁଖ୍ୟତଃ ବେନିନ୍ କିମ୍ବା ମାଲିଗନାଣ୍ଟ। ବେନିନ୍ ନିର୍ଦ୍ଦିଷ୍ଟ ସୀମା ଭିତରେ ଧୀରେ ଧୀରେ ବଢ଼ିଥାଏ। ମସ୍ତିସ୍କର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହା ହୋଇଥିଲେ ଘାତକ ହୋଇପାରେ। ଅପରପକ୍ଷରେ ମାଲିଗନାଣ୍ଟ ଦ୍ରୁତ ଗତିରେ ବଢ଼ିଥାଏ। ସଲଭେଣ୍ଟ, ପେଷ୍ଟିସାଇଡ୍‌, ତେଲ ଉତ୍ପାଦ, ରବର ଓ ଭିନାଇଲ କ୍ଲୋରାଇଡ୍‌ ବ୍ରେନ୍ ଟ୍ୟୁମର ଆଶଙ୍କାକୁ ବଢ଼ାଇ ଦେଇଥାଏ। ଏହାସହ ୫ ପ୍ରତିଶତ କ୍ଷେତ୍ରରେ ପାରିବାରିକ ଜେନେଟିକ୍ ଫ୍ୟାକ୍ଟରକୁ ମଧ୍ୟ ଦାୟୀ କରାଯାଇପାରେ। ଏଥିରେ ଲି-ଫ୍ରମେନି ସିଣ୍ଡ୍ରୋମ, ନ୍ୟୁରେଫିବ୍ରୋମାଟୋସିସ୍, ନେଭୋଏଡ ବାସାଲ ସେଲ କାର୍ସିନୋମା ସିଣ୍ଡ୍ରୋମ, ଟ୍ୟୁବରସ ସ୍କେ୍ଲରୋସିସ୍, ଟ୍ୟୁକର୍ଟ ସିଣ୍ଡ୍ରୋମ ଓ ଭ ହିପେଲ ଲିଣ୍ଡଓ ରୋଗ ସାମିଲ ରହିଛି। ଏହାସହ ଏପଷ୍ଟିନ୍-ବାର ଭୂତାଣୁ(ଇବିଭି) ସିଏନ୍‌ଏସ୍‌ ଲିମ୍ଫୋମାକୁ ବଢ଼ାଇ ଦେଇଥାଏ। ଇବିଭି ସାଧାରଣତଃ ମନୋନ୍ୟୁକ୍ଲିଓସିସ ବା ମନୋ ସୃଷ୍ଟି କରିଥାଏ। ପୂର୍ବରୁ ଯଦି ମସ୍ତିସ୍କରେ କୌଣସି ପ୍ରକାର ଆଇଓନାଇଜିଂ ରେଡିଏସନ୍ ଯଥା ଏକ୍ସ-ରେ ମଧ୍ୟ ବ୍ରେନ୍ ଟ୍ୟୁମର ହେବାର ରିସ୍କ ରହିଥାଏ।

ଲକ୍ଷଣ :
ବ୍ରେନ୍ ଟ୍ୟୁମର ଲକ୍ଷଣ ଭିତରେ ସକାଳ ସମୟରେ ଭୀଷଣ ମୁଣ୍ଡ ବିନ୍ଧା ହେବା, ସିଜର, ଝୁଣ୍ଟିବା, ଚାଲିବାରେ ଅସୁବିଧା ଓ ମୁଣ୍ଡ ବୁଲାଇବା, ଠିକ୍‌ରେ କଥା ନ ହୋଇପାରିବା, ଦୃଷ୍ଟି ଶକ୍ତି ସମସ୍ୟା, ଅସ୍ବାଭାବିକ ଆଖିର ଚଳପ୍ରଚଳ, ଶରୀରର ଗୋଟିଏ ପାର୍ଶ୍ବ ଦୁର୍ବଳ ଲାଗିବା, ଇଣ୍ଟ୍ରାକ୍ରାନିଆଲ ଚାପ ବୃଦ୍ଧି ଫଳରେ ନିଦ୍ରା, ମୁଣ୍ଡବିନ୍ଧା, ବାନ୍ତି ଓ ଅଳସ ଲାଗିବା ଲକ୍ଷଣ ଦେଖିବାକୁ ମିଳିଥାଏ।

ଡାଏଗ୍ନୋସିସି୍ :
ସିଟି ସ୍କାନ, ଏମ୍‌ଆରଆଇ, ଲମ୍ବର ପଙ୍କଚର, ଭିଜୁଆଲ ଏବଂ ଶ୍ରାବ୍ୟ ଆସେସମେଣ୍ଟ ପରୀକ୍ଷା କରିବାକୁ ପଡ଼ିଥାଏ। ଯଦି କୌଣସି ପ୍ରକାର ସ୍କାନ୍‌ରେ ଏହାକୁ ଚିହ୍ନଟ ନ ହୁଏ ତାହାଲେ ବାଇଓପ୍ସି ଜରିଆରେ କେଉଁ ପ୍ରକାର ଟ୍ୟୁମର ବଢ଼ିଛି ତାହା ଚିହ୍ନଟ ହୋଇପାରିବ। ଓପନ ସର୍ଜିକାଲ ପଦ୍ଧତି କିମ୍ବା ନିଡିଲ ବାଇଓପ୍ସି ପଦ୍ଧତି ଗ୍ରହଣ କରାଯାଇଥାଏ। ମୁଣ୍ଡରେ ଏକ ଛୋଟ କଣା କରି ଟ୍ୟୁମର ଥିବା ସ୍ଥାନରୁ ଟିସ୍ୟୁକୁ ବାହାରକୁ କଢ଼ା ଯାଇଥାଏ। ଟ୍ୟୁମରର ଆକାର, କେଉଁ ସ୍ଥାନରେ ହୋଇଛି, କେଉଁ ପ୍ରକାରର ଟ୍ୟୁମର ଓ କେଉଁ ଗ୍ରେଡ୍‌ର ଟ୍ୟୁମରକୁ ବିଚାରକୁ ନେଇ ଏହାର ଚିକିତ୍ସା କରାଯାଇଥାଏ। ଏହାସହ ବୟସ ଓ ରୋଗୀଙ୍କ ସ୍ବାସ୍ଥ୍ୟ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ସର୍ଜରି(ପ୍ରାଇମେରି ମୋଡାଲିଟି), ରେଡିଏସନ୍ ଥେରାପି ଓ କେମୋଥେରାପି ଜରିଆରେ ଏହାର ଚିକିତ୍ସା ‌କରାଯାଇଥାଏ।