The Topmost

“The eyes believe themselves, the ears believe other people.”

ସୋଆ ଏନ୍‌ଏସ୍‌ଏସ୍‌ର ମେଗା ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

ସୋଆର ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ ଶାଖା ପକ୍ଷରୁ ମଙ୍ଗଳବାର ଏକ ମେଗା ଓରିଏଂଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ, ଭିନ୍ନକ୍ଷମ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ନିଜେ ଛାତ୍ରାବସ୍ଥାରେ ଜଣେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଥିଲେ ବୋଲି କହିଥିଲେ । ସ୍ୱାଧୀନତା ସଂଗ୍ରାମ ନିମନ୍ତେ ଗାନ୍ଧିଜୀଙ୍କର ନିଃସ୍ୱାର୍ଥପର କାର୍ଯ୍ୟ ଓ ସଂଗ୍ରାମର ଉଦାହରଣ ଦେଇ ଶ୍ରୀ ପଣ୍ଡା ଯୁବକ ମାନଙ୍କୁ ସମାଜ ସେବାରେ ବ୍ରତୀ ହୋଇ ଦେଶର ଅଗ୍ରଗତି ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜ ଅଭିଭାଷଣରେ ଏନଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ସମାଜ ସହିତ ନିଜକୁ ଜଡ଼ିତ କରିବା ସହ ଯୁବକମାନେ ନେତୃତ୍ୱ ନେବା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି କହିଥିଲେ ।

ସୋଆ ଏନଏସ୍‌ଏସ୍‌ର ପ୍ରୋଗ୍ରାମ କୋର୍ଡିନେଟର ତଥା ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ ସମ୍ପର୍କ ଓ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଅତିଥିମାନଙ୍କର ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ନିମନ୍ତେ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର ନିର୍ଦ୍ଦେଶକ ତଥା ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଶିଶୁଶଙ୍କର ମିଶ୍ର ଯୋଗ ଦେଇ ହୃଦ୍‌ଘାତ ଓ ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ ଆଇଟିଇଆର୍‌, ପ୍ରଫେସର ରେଣୁ ଶର୍ମା ସୋଆର ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଏନ୍‌ଏସ୍‌ଏସ୍ ବ୍ୟୁରୋର ଆଡିସ୍‌ନାଲ୍ ପ୍ରୋଗ୍ରାମ୍ କୋର୍ଡିନେଟର ଡକ୍ଟର କମଳଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।