ରାଜସ୍ଥାନ ଅଜମେର ଜିଲ୍ଲାର ପୁଷ୍କର ଧାମରେ ଏବେ ଅନ୍ତର୍ଜାତୀୟ ପଶୁ ମେଳା ଚାଲିଛି । ସେଠାକୁ ଭିନ୍ନ ଭିନ୍ନ ପ୍ରଜାତିର ପଶୁଙ୍କୁ ବିକାକିଣା ଲାଗି ଅଣାଯାଉଛି । ଏହି କ୍ରମରେ ଅନ୍ମୋଲ ନାମକ ଏକ ମଇଁଷୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନ୍ମୋଲର ଓଜନ ୧୫୦୦ କିଲୋ । ଦାମ୍ ୨୩ କୋଟି ବୋଲି କୁହାଯାଉଛି ।
ମେଳାକୁ ଆସିଥିବା ଲୋକେ, ବିଶେଷ କରି ବିଦେଶୀ ପର୍ଯ୍ୟଟକ ସେହି ମଇଁଷୀ ସହିତ ସେଲ୍ଫି ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।
ହରିଆଣାର ସିରସା ଜିଲ୍ଲାର ହିସୁ ଗାଁରୁ ମୁର୍ରା ପ୍ରଜାତିର ଏହି ମଇଁଷୀ ଏକ ସ୍ୱତନ୍ତ୍ର ଟ୍ରକ୍ରେ ଅଣାଯାଇଛି । ତା’ର ମାଲିକ ସିରସାର ଜଗତାର ସିଂହ କହିଛନ୍ତି, ଅନ୍ମୋଲକୁ ମୁଁ ନିଜ ପୁଅ ଭଳି ପାଳିଛି । ଯଦିଓ ଅନେକ ଗ୍ରାହକ ଅନ୍ମୋଲକୁ ବିକ୍ରି କରିବା ଲାଗି ମୋ’ ସହିତ ଯୋଗାଯୋଗ କରିଛନ୍ତି ତେବେ ଏହି ପ୍ରଦର୍ଶନୀରେ ତାକୁ ବିକ୍ରି କରିବା ଲାଗି ମୋର କୌଣସି ଯୋଜନା ନାହିଁ । କେବଳ ମୁର୍ରା ପ୍ରଜାତିର ସଂରକ୍ଷଣ ଓ ସ୍ପର୍ମ ବିକ୍ରି ମାଧ୍ୟମରେ ଭିନ୍ନ ଭିନ୍ନ ରାଜ୍ୟରେ ଏହି ପ୍ରଜାତିର ପ୍ରସାର ଆମର ଉଦ୍ଦେଶ୍ୟ ।
ରିପୋର୍ଟ ଅନୁସାରେ, ଅନ୍ମୋଲର ବୟସ ୮ ବର୍ଷ । ଉଚ୍ଚତା ୫ ଫୁଟ ୮ ଇଞ୍ଚ । ପ୍ରତିଦିନ ଏହା ୨ ହଜାର ଟଙ୍କାର ଖାଦ୍ୟ ଖାଇଥାଏ । ତାକୁ କାଜୁ, ବାଦାମ, କଦଳୀ ଓ ବିଭିନ୍ନ ଫଳ, ସୋୟାବିନ, ମକା ପ୍ରଭୃତି ଦିଆଯାଏ । ପଶୁଙ୍କ ମଧ୍ୟରେ ଲଗାତର ବ୍ୟାପୁଥିବା ରୋଗକୁ ଦୃଷ୍ଟିରେ ରଖି ତା’ର ଦେଖାଶୁଣା ଲାଗି ୪ ଜଣ ଲୋକ ନିଯୁକ୍ତ ହୋଇଛନ୍ତି । ସକାଳୁ ଅନ୍ମୋଲ ଉଠିବା ପରେ ଜଳଖିଆରେ ତାକୁ କାଜୁ ବାଦାମ, ପିସ୍ତା, ଦେଶୀ ଘିଅ ସହିତ କ୍ଷୀର ଦିଆଯାଏ । ଏହାପରେ ସୋରିଷ ତେଲରେ ମାଲିସ କରାଯାଏ । ପରେ ଗରମ ପାଣିରେ ଭଲ ଭାବେ ଗାଧୋଇ ଦିଆଯାଏ । ସଫା କପଡ଼ାରେ ତାର ପୂରା ଶରୀରକୁ ପୋଛି କିଛି ସମୟ ଲାଗି ଘର ବାହାରେ ଖୋଲାରେ ଛଡ଼ା ଯାଇଥାଏ । ବାହାରେ ସେ ଆରାମରେ ବୁଲିବା ପରେ ତାକୁ ଆଣି ବନ୍ଧାଯାଇଥାଏ ।
ଅନ୍ମୋଲର ଉଚ୍ଚ ଗୁଣବତ୍ତାଯୁକ୍ତ ଶୂକ୍ରାଣୁର ଖୁବ୍ ଅଧିକ ଚାହିଦା ରହିଛି । ସପ୍ତାହକୁ ଦୁଇଥର ତା’ ନିକଟରୁ ଶୂକ୍ରାଣୁ ସଂଗ୍ରହ କରାଯାଏ । ଥରେ ସ୍ପର୍ମ ବାହାର କରାଗଲେ ତାହା ୩୦୦ରୁ ୯୦୦ ମଇଁଷିଙ୍କ ଲାଗି ପର୍ଯ୍ୟାପ୍ତ ହୋଇଥାଏ । ଚାଷୀଙ୍କୁ ଏହା ୨୫୦ ଟଙ୍କାରେ ବିକ୍ରି କରାଯାଏ । ଏହା ପୂର୍ବରୁ ମଧ୍ୟ ଅନ୍ମୋଲକୁ ବିଭିନ୍ନ ମେଳାକୁ ନିଆଯାଇଛି । ଗତବର୍ଷ ଉତ୍ତରପ୍ରଦେଶର ଜଣେ ବ୍ୟବସାୟୀ ଅନ୍ମୋଲକୁ ୨୩ କୋଟିରେ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ମାଲିକ ଜଗତାର ସିଂହ ରାଜି ହୋଇନଥିଲେ । ଅନ୍ତର୍ଜାତୀୟ ପୁଷ୍କର ମେଳା ଗତ ୯ରୁ ଆରମ୍ଭ ହୋଇଥିବାବେଳେ ୧୫ ତାରିଖ ଯାଏ ଚାଲିବ ।
More Stories
ବାର୍ଷିକ ଆୟ ଶୁଣିଲେ ତାଜୁବ୍ ହୋଇଯିବେ..
ପୁରୁଷତ୍ବ ବଢେଇ ଥାଏ ଏହି ଡ୍ରିଙ୍କ୍
ଘର ଭିତରେ ବେଙ୍ଗ ଦେଖାଯିବାର ଲକ୍ଷଣ କଣ