ଦୀର୍ଘବର୍ଷ ଧରି କହ୍ନେଇପୁରରେ ମହାନଦୀ ବାଲିଘାଟ ନିଲାମ ବନ୍ଦ ରହିଛି। ଏହାର ସୁଯୋଗ ନେଇ ସ୍ଥାନୀୟ ନେହରୁ କଲୋନି ଅଞ୍ଚଳର ଜଣେ ବ୍ୟକ୍ତି ମହାନଦୀରୁ ବାଲି ଚୋରି କରି ଚାଲିଛନ୍ତି। ମହାନଦୀ ବନ୍ଧ ନିକଟରେ ଉଚ୍ଚ ଅଟ୍ଟାଳିକା କରି ସାମ୍ନାରେ ବଡ଼ ଗେଟ୍ ଲଗାଇ ପଛପଟେ ମହାନଦୀରୁ ବାଲି ଉଠାଇ ଉକ୍ତ ବ୍ୟକ୍ତି ଘର ପଛପଟେ ତାକୁ ଗଦା କରି ରଖିଛନ୍ତି। ଘାଟ ବନ୍ଦ ଥିବା ବେଳେ ଏହି ଅଞ୍ଚଳର ପାଖାପାଖି ୭୫ ଭାଗ ବାଲି ସେ ଚୋରାଇ ଜମାକରି ରଖିଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଭାବେ ଘର ପଛପଟେ ଟ୍ରାକ୍ଟର୍ ଯିବାଆସିବା ଉଦ୍ଦେଶ୍ୟରେ ରାସ୍ତା ନିର୍ମାଣ ହୋଇଛି। ଏକ ନମ୍ବରବିହୀନ ନୀଳରଙ୍ଗର ଟ୍ରାକ୍ଟର୍ରେ ରାତି ୩ଟାରୁ ନଦୀରୁ ବାଲି ଚୋରି କରି ବନ୍ଧପାର୍ଶ୍ବରେ ଥିବା ଘର ପଛପଟେ ଓ ଏକ ଘରୋଇ ସ୍କୁଲ ପଛପଟେ ଗଦା କରି ରଖାଯାଇଛି।
ଦିନବେଳା ହାଇୱା ଓ ଟ୍ରାକ୍ଟର୍ ସାହାଯ୍ୟରେ ଉକ୍ତ ବାଲିକୁ ଚଢ଼ାଦରରେ ବିକ୍ରି କରାଯାଉଛି ବୋଲି କହ୍ନେଇପୁର ପୂଜା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ଏ ନେଇ ପୂଜା କମିଟି ପକ୍ଷରୁ ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ବି କିଛି ଫରକ ପଡ଼ି ନଥିବା କୁହାଯାଇଛି। ସେମାନେ କହିଛନ୍ତି ଯେ, ଏହି ବାଲିଘାଟ ଗ୍ରାମବାସୀମାନଙ୍କୁ ନିଲାମ ଦିଆଯାଉ। ଉକ୍ତ ଆୟରେ ଗ୍ରାମର ରାଧାମାଧବଜିଉ, ଗ୍ରାମ ଦେବତୀ, ତ୍ରିନାଥ ଦେବ ଓ କନକେଶ୍ବର ମହାଦେବଙ୍କ ଅନ୍ନପ୍ରସାଦ ଭୋଗ ପ୍ରଭୃତି ହୋଇପାରିବ। ଉକ୍ତ ଦରଖାସ୍ତକୁ ବିଧାୟକ ସୌଭିକ ବିଶ୍ବାଳ ମଧ୍ୟ ସୁପାରିସ କରିଛନ୍ତି। ପୂଜା କମିଟିର ସୂର୍ଯ୍ୟମଣି ପଣ୍ଡା, ଗିରିଜାଶଙ୍କର ମିଶ୍ର, ଜ୍ଞାନରଞ୍ଜନ ପଣ୍ଡା, ରାଜେଶ କୁମାର ପଣ୍ଡା, ବିଚିତ୍ରାନନ୍ଦ ପଣ୍ଡା, ପ୍ରବୀଣ ପଣ୍ଡା ପ୍ରମୁଖ ୫୦ରୁ ଅଧିକ ଦସ୍ତଖତ ସମ୍ବଳିତ ଦରଖାସ୍ତ ତହସିଲଦାର, ଜିଲ୍ଲାପାଳ, ଆର୍ଡିସିଙ୍କୁ ଦିଆଯାଇଛି। ହେଲେ, ପ୍ରଶାସନ ଏହା ଉପରେ କିଛି ପଦକ୍ଷେପ ନେଇ ନଥିବା ଓ ମାଫିଆଙ୍କୁ ପରୋକ୍ଷରେ ସହଯୋଗ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍