ଏଥର ସ୍ଥାୟୀ ଜମି ପଟ୍ଟା ମିଳିବ ବୋଲି ବସ୍ତିବାସିନ୍ଦା ଆଶାବାଦୀ । ଏଣେ ବିଏମ୍ସି ଏଲ୍ଆରସି ବାଣ୍ଟିବା ପାଇଁ ସଜବାଜ । ବାକି ରହିଥିବା ହିତାଧିକାରୀଙ୍କୁ ଏଲ୍ଆରସି ବାଣ୍ଟିବା ପାଇଁ ବିଏମ୍ସି ସରକାରଙ୍କୁ ଜମି ମାଗିଛି। ୧୪ଟି ୱାର୍ଡରେ ୩୬ ବସ୍ତି ପାଇଁ ଆବଶ୍ୟକ ହେଉଥିବା ୧୮.୯୫୪ ଏକର ଜମି ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ଏଲ୍ଆରସି ବାଣ୍ଟିବା ପାଇଁ ଏହି ଜମିସବୁକୁ ବିଏମ୍ସି ନାମରେ କରିଦେବାକୁ କମିସନର ଜଳସମ୍ପଦ ବିଭାଗକୁ ଚିଠି ଲେଖିଛନ୍ତି। କମିସନରଙ୍କ ଚିଠି ପାଇବା ପରେ ଜଳସମ୍ପଦ ବିଭାଗ ଅତିରିକ୍ତ ସଚିବ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ମନ୍ତବ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ଉପଯୁକ୍ତ ବିଚାର କରିବା ପରେ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ଆସିବାକୁ ଥିବା ମନ୍ତବ୍ୟ ଆଧାରରେ ଏହି ଜମି ବିଏମ୍ସି ନାମରେ କରିଦିଆଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।
ଗତବର୍ଷ ବିଜେପି ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ନାମରେ ନକଲି କାଗଜ(ଏଲ୍ଆର୍ସି) ବାଣ୍ଟିବା ଅଭିଯୋଗ ଆଣି ବିଏମସି ମେୟର, କମିସନର ଓ ଦାୟିତ୍ବରେ ଥିବା ଅଫିସରଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିବାକୁ ଥାନାରେ ଏତଲା ଦେଇଥିଲା। ଗତବର୍ଷର ବିରୋଧୀ ବିଜେପି ଏବେ ଶାସନକୁ ଆସିଛି। ଏହା ଉପରେ କଣ ପଦକ୍ଷେପ ନିଆଯିବ ତାହାକୁ ନେଇ କୌଣସି ନିଷ୍ପତ୍ତି ହୋଇ ନଥିବା ବେଳେ କମିସନର ଏଲ୍ଆରସି ବାଣ୍ଟିବା ପାଇଁ ଚିଠି ଲେଖିବା ଓ ଜଳସମ୍ପଦ ବିଭାଗ ମଧ୍ୟ ଜମି ଦେବା ପ୍ରକ୍ରିୟା ଆରମ୍ଭ କରିବା ସ୍ପଷ୍ଟ କରୁଛି କି ସରକାର ପଟ୍ଟା ଦେବେ ନାହିଁ, ବରଂ ବିଜେପି ଘୋଷଣା କରିଥିବା ନକଲି ଏଲ୍ଆରସି ହିଁ ବଣ୍ଟା ହେବ। ବିଏମ୍ସିର ୩ଟି ଜୋନ୍ରେ ଥିବା ୪୩୬ଟି ବସ୍ତି ଜାଗା ମିସନ୍ରେ ସାମିଲ ହୋଇଥିଲା। ପ୍ରତ୍ୟେକ ହିତାଧିକାରୀ ପରିବାରଙ୍କୁ ୩୦ରୁ ସର୍ବାଧିକ ୪୫ ବର୍ଗମିଟର ଜମିର ଭୂମି ଅଧିକାର ପ୍ରମାଣପତ୍ର ଦିଆଯିବାକୁ ଯୋଜନା ହୋଇଥିଲା।
ଯେଉଁମାନେ ୩୦ ବର୍ଗମିଟରରୁ ଅଧିକ ଜାଗା ରଖିବେ ସେହି ଅନୁସାରେ ପ୍ରିମିୟମ ବାବଦକୁ ଅର୍ଥ ଜମା କରିବେ। ଗରିବ ବସ୍ତିବାସିନ୍ଦାଙ୍କୁ ଏହି ପ୍ରିମିୟମ ରାଶି ମଧ୍ୟ ବାଧିଥିଲା। ଏହି ପ୍ରମାଣପତ୍ର ପାଇବା ପରେ ହିତାଧିକାରୀ ଆବାସ ଯୋଜନାରେ ଘର କରିବାର ଯୋଗ୍ୟତା ହାସଲ କରିବେ ବୋଲି ଘୋଷଣା ହୋଇଥିଲା। କିନ୍ତୁ ଏହି ଏଲ୍ଆରସିକୁ ବ୍ୟାଙ୍କ୍ କୌଣସି ଡକ୍ୟୁମେଣ୍ଟ ଭାବରେ ଗ୍ରହଣ କରି ନଥିଲା। ଏଲ୍ଆର୍ସିକୁ ନେଇ ଏଭଳି ଅସନ୍ତୋଷ ଜାରି ରହିଥିଲା। ସର୍ବେକ୍ଷଣରେ ଚିହ୍ନଟ ହୋଇଥିବା ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୭୧ ହଜାରଙ୍କ ପାଇଁ ଏଲ୍ଆରସି ପ୍ରସ୍ତୁତ ହେବା ସହ ୫୫ହଜାରଙ୍କୁ ବଣ୍ଟା ହୋଇଥିଲା। ବାକି ୨୯ ହଜାର ହିତାଧିକାରୀଙ୍କୁ ଜଳସେଚନ ବିଭାଗ କୃପା କଲେ ଏଲ୍ଆରସି ମିଳିବ। କିନ୍ତୁ ଶାସନରେ ଥିବା ସରକାର ଜମି ପଟ୍ଟା ଦେବାପାଇଁ ଦୀର୍ଘଦିନରୁ ଦାବି କରିଆସୁଥିବାରୁ ଏଥର ଏଲ୍ଆରସି ନୁହେଁ, ବରଂ ପଟ୍ଟା ଦିଆଯାଉ ବୋଲି ବସ୍ତିବାସିନ୍ଦା ଦାବି କରିଛନ୍ତି। ବସ୍ତିବାସିନ୍ଦାଙ୍କ ଅଭିଯୋଗ ମୁତାବକ, ଏଲ୍ଆର୍ସି ଏକ ନକଲି କାଗଜ। ଏହାକୁ ବ୍ୟାଙ୍କ୍ ଡକ୍ୟୁମେଣ୍ଟ ଭାବରେ ଗ୍ରହଣ କରୁନାହିଁ। ଏହାକୁ ତୁରନ୍ତ ଫେରାଇ ନିଆଯାଇ ପଟ୍ଟା ଦିଆଯାଉ। ତା’ ସହିତ ୩୦ ବର୍ଗମିଟର ଠାରୁ ଅଧିକ ଜମି ରଖିଲେ ପ୍ରିମିୟମ ନାଁରେ ବିଏମ୍ସି ଗରିବଙ୍କ ଠାରୁ ଲକ୍ଷ ଲକ୍ଷ ଜମା ନେଉଛି। ସେ ସବୁ ମଧ୍ୟ ଫେରାଯାଉ।
ଉଲ୍ଲେଖଯୋଗ୍ୟ, ଜଳସମ୍ପଦ ବିଭାଗ ଅଧୀନରେ ଥିବା ୧୮.୯୫୪ ଏକର ଜମି ବିଏମ୍ସିର ୧୪ଟି ୱାର୍ଡରେ ରହିଛି। ୱାର୍ଡ ନଂ୪ରେ ୭ଟି ବସ୍ତି ରହିଥିବା ବେଳେ ୫ରେ ୫ଟି, ୧୦ରେ ୬ଟି, ୧୮ରେ ଗୋଟିଏ, ୩୧, ୪୩, ୪୫, ୪୮ରେ ଦୁଇଟି ଲେଖାଏଁ, ୫୬ରେ ୪, ୫୭ରେ ୩, ୫୮ରେ ୨, ୫୯ ଓ ୬୧ରେ ଦୁଇଟି ଲେଖାଏଁ ଓ ୬୭ରେ ୪ଟି ରହିଛି। ଏସବୁର କିସମ ନୟନଜୋରି, ବନ୍ଧ, ପତିତ, କେନାଲ, ଜଳାଶୟ-୨ ଓ ଘରବାରି ରହିଛି।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ