ଜମ୍ମୁକଶ୍ମୀରରୁ ଭୁବନେଶ୍ବର ଫେରୁଥିଲେ ଓଡ଼ିଆ ବାବା। ବ୍ୟାଗରୁ ମିଳିଲା ନଗଦ ୧୦ ଲକ୍ଷ ଟଙ୍କା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆୟକର ବିଭାଗ ଅଧିକାରୀମାନେ ବାବାଙ୍କୁ ଯାଞ୍ଚ କରିବାରୁ ତାର ହିସାବ ଦେଇପାରିଲେନି ବାବା । ଏତେ ପରିମାଣର ଟଙ୍କା ପୁଣି ନଗଦ, ବାବା କେଉଁଠୁ ପାଇଲେ? ତାଙ୍କ ଆୟର ଉତ୍ସ କ’ଣ? ଜମ୍ମୁକଶ୍ମୀରରେ କି ବ୍ୟବସାୟ କରନ୍ତି? ଏନେଇ ଘନଘନ ଜେରା କରୁଛନ୍ତି ଅଧିକାରୀ। କିନ୍ତୁ ବାବା କେବଳ ଏଣୁତେଣୁ କହି ଅଧିକାରୀମାନଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।
ତେବେ ଦିଲ୍ଲୀ ବିମାନବନ୍ଦରରୁ ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ଆୟକର ଅଧିକାରୀମାନେ ବାବାଙ୍କୁ ଯାଞ୍ଚ କରିଥିଲେ। ସତକୁ ସତ ବାବାଙ୍କ ବ୍ୟାଗରୁ ଟଙ୍କା ମିଳିଥିଲା। ନିୟମାନୁସାରେ ବାବାଙ୍କୁ ଟଙ୍କାର ଉତ୍ସ ସମ୍ପର୍କରେ ପଚରାଉଚରା କରାଯାଇଥିଲା। କିନ୍ତୁ ବାବା ଅଧିକାରୀମାନଙ୍କ ପ୍ରଶ୍ନକୁ ଏଡ଼ାଇଚାଲିଥିଲେ। ବାବାଙ୍କ ଘର ଓଡ଼ିଶାରେ। ସେ କେବେଠୁ ଜମ୍ମୁକଶ୍ମୀରରେ ରହୁଥିଲେ? ସେଠାରେ କି ବ୍ୟବସାୟ କରୁଥିଲେ? ଏତେ ପରିମାଣର ଟଙ୍କା କେଉଁ ଉତ୍ସରୁ ମିଳିଛି?
ଏମିତି ବିଭିନ୍ନ ପ୍ରଶ୍ନ କରି ଅଧିକାରୀମାନେ ୧୦ ଲକ୍ଷ ଟଙ୍କାର ହିସାବ ମାଗିଥିଲେ। କିନ୍ତୁ ବାବା ପ୍ରଶ୍ନଗୁଡ଼ିକର ସିଧାସିଧା ଉତ୍ତର ଦେଇନଥିଲେ। ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ବାବା ଟଙ୍କାର ହିସାବ ଦେଇନାହାନ୍ତି। ତେଣୁ ବାବାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ବାବା କୌଣସି କଳା କାରବାରରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏମିତିକି ବାବା କୌଣସି ବଡ଼ ବ୍ୟବସାୟୀଙ୍କ ହାତବାରିସି ସାଜିଥିବା କଥାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ବୋଲି ଅଧିକାରୀମାନେ ଅନୁମାନ କରୁଛନ୍ତି। ତେଣୁ ବାବାଙ୍କ ଟଙ୍କା କାରବାରର ପର୍ଦାଫାସ କରିବା ଏବେ ଆୟକର ଅଧିକାରୀମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆହୋଇଛି।
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି