The Topmost

“The eyes believe themselves, the ears believe other people.”

ଜାଣନ୍ତୁ କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚେହେରା ?

ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନ ସମେତ ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କିଭଳି ଓ କେଉଁ ପ୍ରସଙ୍ଗ ଉପରେ ବିଜେପି ନିର୍ବାଚନ ଲଢିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି । ବିଜେପି ରଣନୀତିରେ ଦୁଇଟି କଥା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ପ୍ରଥମ କଥା ହେଉଛି ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରେ ବିଜେପି ସାମୁହିକ ନେତୃତ୍ୱରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ ଏସବୁ ରାଜ୍ୟରେ ବିଜେପି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ସେନେଇ କୌଣସି ଘୋଷଣା କରିବ ନାହିଁ । ନିର୍ବାଚନ ବେଳେ ଜାତୀୟ ପ୍ରସଙ୍ଗକୁ ପଛରେ ପକାଇ ବିଜେପି ସ୍ଥାନୀୟ ପ୍ରସଙ୍ଗ ଉପରେ ଫୋକସ କରିବ । ଏହାସହ ରାଜ୍ୟ ନେତାମାନଙ୍କୁ ଆଗକୁ ଆଣିବ । ଏହାସହ ରାଜସ୍ଥାନରେ ବିଜେପି ଦଳିତ, ପଛୁଆବର୍ଗ ଓ ମହିଳାଙ୍କ ନେଇ ନିର୍ବାଚନୀ ପ୍ରସଙ୍ଗ ପ୍ରସ୍ତୁତ କରିଛି ।

ବିଜେପିର ଜଣେ ବରିଷ୍ଠ ନେତା ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଛତିଶଗଡ, ରାଜସ୍ଥାନ ଓ ତେଲେଙ୍ଗାନାରେ ଦଳ ମୁଖ୍ୟମନ୍ତ୍ରୀ ଚେହେରା ନେଇ କୌଣସି ଘୋଷଣା କରିବ ନାହିଁ । ସେପଟେ ମଣିପୁର ଓ ମଧ୍ୟ ପ୍ରଦେଶରେ ବିଜେପିର ସରକାର ଥିବାରୁ ସେଠାରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

ସେପଟେ ବିଜେପି ମହାସଚିବ ଓ ରାଜସ୍ଥାନ ପ୍ରଭାରୀ ଅରୁଣ ସିଂ କହିଛନ୍ତି କି ରାଜସ୍ଥାନରେ ଦଳିତ, ପଛ୍ରୁଆବର୍ଗଙ୍କ ଦୁର୍ଦ୍ଦଶା, ମହିଳାଙ୍କ ଉପରେ ହେଉଥିବା ଉତ୍ପୀଡନ , ଦୁର୍ନୀତିକୁ ନିର୍ବାଚନୀ ପ୍ରସଙ୍ଗ କରିବ । ଏହାସହ ରାଜସ୍ଥାନରେ ସରକାର ବଦଳିଲେ ଏସବୁ ପ୍ରସଙ୍ଗର କିଭଳି ସମାଧାନ ହେବ ସେନେଇ ଦଳ ଯୋଜନା ପ୍ରସ୍ତୁତ କରୁଥିବା କଥା ଅରୁଣ ସିଂ କହିଛନ୍ତି ।