ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ୨୦୨୭ ସୁଦ୍ଧା ୨୫ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଟାର୍ଗେଟ୍ ହାସଲରେ ଯେପରି କୌଣସି ସମସ୍ୟା ହେବନି ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ‘ଲକ୍ଷପତି ଦିଦି ସହାୟିକା’ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ। ଏଥିପାଇଁ ଗ୍ରାମ ପଞ୍ଚାୟତ ସଂଘ ବା ଜିପିଏଲ୍ଏଫ୍ମାନଙ୍କୁ ଅନୁଦାନ ପ୍ରଦାନ କରାଯିବ। ଏହି ଯୋଜନା ଦ୍ବାରା ୬୨ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଲାଭବାନ ହେବେ। ସେମାନେ ଏପ୍ରିଲ, ୨୦୨୪ରୁ ପିଛିଲା ଭାବେ ପାରିଶ୍ରମିକ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଜାତୀୟ ଗ୍ରାମୀଣ ଜୀବିକା ମିସନ ଅଧୀନରେ ଓଡ଼ିଶା ଜୀବିକା ମିସନ ଏପ୍ରିଲ ୧, ୨୦୧୨ ମସିହାରୁ କାର୍ଯ୍ୟକାରୀ ହେଉଛି। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଅଛି। ଏହି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି), ଆଞ୍ଚଳିକ ମଞ୍ଚ (ସିଏଲ୍ଏଫ୍) ଏବଂ ଗ୍ରାମ ପଞ୍ଚାୟତ ସଂଘ (ଜିପିଏଲ୍ଏଫ୍)ଗୁଡ଼ିକୁ ସୁଦୃଢ଼ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଦ୍ବାରା ନିଯୁକ୍ତି ଦିଆଯାଇଥିଲା। କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ମଧ୍ୟରେ ସିଆର୍ପି-ସିଏମ୍, ଏମ୍ବିକେ, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର ଅନ୍ତର୍ଭୁକ୍ତ। ଏହିପରି ଭାବେ ରାଜ୍ୟରେ ୬୨୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ନିଯୁକ୍ତ କରାଯାଇଥିଲା। ହେଲେ ସେମାନଙ୍କର ପାରିଶ୍ରମିକ ନେଇ ପୂର୍ବ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଦ୍ବାରା ଜିପିଏଲ୍ଏଫ୍ମାନେ ସ୍ବୟଂସଂପନ୍ନ ହୋଇପାରିନାହାନ୍ତି। ତେଣୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନେ ୧୦ମାସ ଧରି ପାରିଶ୍ରମିକ ପାଇପାରିନାହାନ୍ତି। ଏହା କେବଳ ପୂର୍ବ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ହୋଇଥିଲା। ଏବେ ଲକ୍ଷପତି ଦିଦି ସହାୟିକା ଯୋଜନାରେ ସରକାର ସେମାନଙ୍କ ପାରିଶ୍ରମିକ ଅର୍ଥ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
More Stories
୧୦ ବର୍ଷରେ ଭାରତରେ ୧୭.୧ କୋଟି ଲୋକ ହୋଇଛନ୍ତି ଦାରିଦ୍ର୍ୟମୁକ୍ତ- ରିପୋର୍ଟ
ଚୀନ୍ ପାଇଁ ପ୍ରସ୍ତୁତ 10 ଆମେରିକୀୟ ବୋଇଂ ବିମାନ କିଣିବ ଏୟାର ଇଣ୍ଡିଆ
ଇଏସ୍ଆଇସି ପକ୍ଷରୁ ଭୁବନେଶ୍ବରରେ ଖୋଲିବ ସ୍ବତନ୍ତ୍ର ଚିକିତ୍ସାଳୟ