The Topmost

“The eyes believe themselves, the ears believe other people.”

ଘରେ ପେଟ୍ ରଖିବା ହୋଇପାରେ କାଳ

ବିଗତ ଦଶନ୍ଧି ଭିତରେ ଗୃହପାଳିତ ପଶୁଙ୍କ ସହ ଆମର ସମ୍ପର୍କରେ ବ୍ୟାପକ ପରିବର୍ତ୍ତନ ଆସିଛି। ଏକ ଆକଳନ ଅନୁଯାୟୀ, ଆମେ ପୋଷା ଜୀବମାନଙ୍କର ଯତ୍ନ ନେବା ପାଇଁ ବର୍ଷକୁ ୩,୩୦୦ କୋଟି ଡଲାର ଖର୍ଚ୍ଚ କରୁଛନ୍ତି। ଗୃହପାଳିତ ପଶୁ ରଖିବା ଯୋଗୁଁ ମାଲିକଙ୍କୁ ଅନେକ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଲାଭ ମିଳିଥାଏ ବୋଲି ଅନେକ ଗବେଷଣାରୁ ସ୍ପଷ୍ଟ ହୋଇସାରିଛି। କିନ୍ତୁ ତା’ ସହିତ ଗୃହପାଳିତ ପଶୁମାନେ ସଂକ୍ରାମକ ରୋଗର ବିପଦ ମଧ୍ୟ ଆମନ୍ତ୍ରିତ କରିଥାନ୍ତି ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି। ଗର୍ଭବତୀ ଓ ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଲୋକମାନେ ଏହାର ଶିକାର ହେବାର ଅଧିକ ଆଶଙ୍କା ରହିଛି। ୭୦ରୁ ଅଧିକ ପ୍ରକାର ରୋଗ ଜୀବାଣୁ ପୋଷା ଜୀବଙ୍କ ଠାରୁ ମଣିଷକୁ ସଂକ୍ରମିତ ହୋଇପାରେ।

ରୋଗ ଜୀବାଣୁଗୁଡ଼ିକ ପଶୁଙ୍କ ଲାଳ ଓ ମଳ ଦ୍ବାରା ମନୁଷ୍ୟ ଶରୀରକୁ ସିଧାସଳଖ ସ୍ଥାନାନ୍ତର ହୋଇଥାଏ ଅଥବା ପରୋକ୍ଷ ଭାବରେ ଦୂଷିତ ଶଯ୍ୟା, ମୃତ୍ତିକା, ଖାଦ୍ୟ ବା ଜଳ ଦ୍ବାରା ବ୍ୟାପିଥାଏ। ଆଫ୍ରିକା ଓ ଏସିଆରେ କୁକୁରମାନେ ହିଁ ଜଳାତଙ୍କ ଭଳି ରୋଗର ମୁଖ୍ୟ ବାହାକ। କୁକୁରମାନେ ସାଧାରଣତଃ ‘କ୍ୟାପ୍ନୋସାଇଟୋଫାଗା’ ବୀଜାଣୁକୁ ବହନ କରିଥା’ନ୍ତି ଯାହା ଘନିଷ୍ଠ ସଂସର୍ଗ ବା କାମୁଡ଼ିବା ଦ୍ବାରା ବ୍ୟାପିଥାଏ। ବେଳେ ବେଳେ ଏହା ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇଥାଏ। ସେହିପରି ବିରାଡ଼ିର ମଳ ଦ୍ବାରା ‘ଜିଆର୍ଡିଆସିସ’, ‘କ୍ୟାମ୍ପିଲୋବ୍ୟାକ୍ଟେରିଓସିସ’, ‘ସାଲ୍‌ମୋନେଲୋସିସ’ ଓ ‘ଟକ୍ସୋପ୍ଳାଜମୋସିସ’ ପରି ରୋଗର ଜୀବାଣୁ ବ୍ୟାପିଥାଏ। ବିରାଡ଼ିମାନେ କାମୁଡ଼ିବା ଓ ରାମ୍ପୁଡ଼ିବା ଦ୍ବାରା ସଂକ୍ରମଣ ବିସ୍ତାର ହୋଇଥାଏ। ଉଭୟ କୁକୁର ଓ ବିରାଡ଼ି ମଧ୍ୟ ମେଥିସିଲିନ୍‌-ପ୍ରତିରୋଧକ ବୀଜାଣୁ ‘ଷ୍ଟାଫିଲୋକୋକୋସ ଔରିଅସ’ର ଗନ୍ତାଘର। ତେଣୁ ସେମାନଙ୍କ ସହ ନିବିଡ଼ ସଂସ୍ପର୍ଶରେ ଆସିବା ଦ୍ବାରା ସାଂଘାତିକ ବିପଦକୁ ଆହ୍ବାନ କରିବାର ଆଶଙ୍କା ରହିଛି। ତେଣୁ ଏଭଳି ପୋଷାଜନ୍ତୁଙ୍କ ସହ ଚଳପ୍ରଚଳ ବେଳେ ହାତରେ ଗ୍ଲୋଭ୍‌ସ ପରିଧାନ ସହ ହାତ ଧୋଇବା ଦରକାର। ଆମ ଶରୀରରେ କୌଣସି ଘାଆ ଥିଲେ, ସେମାନଙ୍କୁ ତାହା ଚାଟିବାକୁ ଦେବା ନାହିଁ। ସେହିପରି ବିରାଡ଼ିକୁ ରୋଷେଇ ଘରେ ଡିଆଁଡେଇଁ କରିବାକୁ ଦେବା ଅନୁଚିତ। ଏଥିସହ ସେମାନଙ୍କୁ ନିୟମିତ ଟିକା ଦେବା ଜରୁରୀ ବୋଲି ପଶୁ ବିଶେଷଜ୍ଞମାନେ ପରାମର୍ଶ କରିଛନ୍ତି।

SHARE BY