August 28, 2025

ITER ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ସୋଆ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଟିଇଆରର ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ । ଆଜି ଅନୁଷ୍ଠିତ ହୋଇଯାଇଥିବା ଏହି ବିଶେଷ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଉପାଧି ପ୍ରଦାନ କରାଯାଇଛି । ଆଇଟିଇଆରର ସିଭିଲ ଇଞ୍ଜିନିୟରିଂ, ମେକାନିକାଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ, କମ୍ପ୍ୟୁଟ୍‌ର ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ଭଳି ୭ଟି ବିଭାଗରେ ୨୦୧୯-୨୦୨୩ ମଧ୍ୟରେ ୪ବର୍ଷ ଅଧ୍ୟୟନ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ସମାରୋହରେ ଉପାଧି ପ୍ରଦାନ କରାଯାଇଛି ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ । ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ସୋଆ ଅନେକ ଗୁଡ଼ିଏ ଶିକ୍ଷାନୁଷ୍ଠାନ ସହ ସହଭାଗିତା କରିଛି ଓ ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି । ତେବେ ଏହା ଛାତ୍ରଛାତ୍ରୀମାନଙ୍କୁ ସହାୟକ ହେବ ବୋଲି ପ୍ରଫେସର ନନ୍ଦ କହିଥିଲେ । କୁଳପତି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ଏଭଳି ଏକ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି ଯାହା ଚଳିତ ବର୍ଷ ଏନ୍‌ଆଇଆର୍‌ଏଫ୍‌ ରାଙ୍କିଙ୍ଗରେ ୨୦୨୩ ମସିହାରେ ଦେଶରେ ୧୫ ତମ ସ୍ଥାନ ହାସଲ କରିଛି । ଏଠାରୁ ଯେଉଁ ଶିକ୍ଷା ଗ୍ରହଣ କରିଛ ତାହା ଦେଶ ନିମନ୍ତେ ଉପଯୋଗୀ ହେବ ବୋଲି ବିଷୟରେ ମୁଁ ଆଶାବାଦୀ । ଏହି କାର୍ଯ୍ୟକ୍ରମରେ ଆଇଟିଇଆରର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ସଂପୃକ୍ତ ଅନୁଷ୍ଠାନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

୧୯୯୬ ମସିହାରେ ମାତ୍ର ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଆଇଟିଇଆର୍ ୨୭ ବର୍ଷ ମଧ୍ୟରେ ଦେଶର ୨୭ ତମ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗରେ ନିଜ ସ୍ଥାନ ବଜାୟ ରଖିପାରିଛି ବୋଲି ପ୍ରଫେସର ସାହୁ କହିଥିଲେ । ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ୭ଟି ବିଭାଗ ଯଥା ସିଏସ୍‌ଇର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ସିଭିଲ୍ ଇଞ୍ଜିନିୟରିଂର ମୁଖ୍ୟ ପ୍ରଫେସର ବିଦ୍ୟାଧର ବାସା, ମେକାନିକାଲ୍ ଇଞ୍ଜିନିୟରିଂର ମୁଖ୍ୟ ପ୍ରଫେସର ସରୋଜ ଆଚାର୍ଯ୍ୟ, ସିଏସ୍‌ଆଇଟିର ମୁଖ୍ୟ ପ୍ରଫେସର ଅଜୀତ କୁମାର ନାୟକ, ଇଇଇର ମୁଖ୍ୟ ପ୍ରଫେସର ନିରଞ୍ଜନ ନାୟକ, ଇସିଇର ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି ଏବଂ ଇଇର ମୁଖ୍ୟ ପ୍ରଫେସର ବିନୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସ୍ନାତକ ଉପାଧି ଗ୍ରହଣ କରିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଏକ ଶପଥ ପାଠ କରିଥିଲେ । ଶେଷରେ ପ୍ରଫେସର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

SHARE BY