The Topmost

“The eyes believe themselves, the ears believe other people.”

ଜାତିସଂଘରେ କ୍ଷୋଭ ପ୍ରକାଶ କଲା ଭାରତ; ତୁରନ୍ତ ବନ୍ଦ ହେଉ ଯୁଦ୍ଧ

ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଜାତିସଂଘରେ କ୍ଷୋଭ ପ୍ରକାଶ କଲା ଭାରତ । ଏହାସହ ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଆହ୍ୱାନ ଦେଇଛି ଭାରତ । ମିଳିତ ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଭାରତ କହିଛି ପରିସ୍ଥିତି ଅତି ଉଦବେଗଜନକ ହେଲାଣି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, ୟୁକ୍ରେନ ସଂଘର୍ଷ ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାଜନକ ହୋଇଛି । ଫଳାଫଳ ଯାହା ଆସୁଛି, ତାହା ପ୍ରକୃତରେ ସମସ୍ତଙ୍କୁ ବିଚଳିତ କରିଛି । ଏହା ଯୁଦ୍ଧର ସମୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ଏହାକୁ ଦୋହରାଇ ଜୟଶଙ୍କର କହିଛନ୍ତି, ତୁରନ୍ତ ଯୁଦ୍ଧ ବନ୍ଦ କରି କୂଟନୈତିକ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହେଉ । ମାନବିକ ଅଧିକାର ଓ ଅନ୍ତର୍ଜାତୀୟ ନିୟମର ଉଲଂଘନର କୌଣସି ଯଥାର୍ଥତା ନାହିଁ । ଯେଉଁଠାରେ ଏପରି ଘଟୁଛି, ଏହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି । ବିଶ୍ୱର ଦୂରଦୂରାନ୍ତରେ ମଧ୍ୟ ଏହି ଯୁଦ୍ଧର ପ୍ରଭାବ ପଡୁଛି ବୋଲି ଜୟଶଙ୍କର କହିଛନ୍ତି । ସାରା ବିଶ୍ୱରେ ଦରଦାମ ବୃଦ୍ଧି, ଖାଦ୍ୟ ଶସ୍ୟ, ସାର ଓ ଇନ୍ଧନର ଅଭାବ ଅନୁଭୂତ ହେଉଛି ।