The Topmost

“The eyes believe themselves, the ears believe other people.”

ଗାଁରେ ମାତିଛି ଗୁଣିଆ, ଦେଉଛି ଶିଶୁବଳି

ବଲାଙ୍ଗୀର ଜିଲାରେ ପୁଣି ଶିଶୁବଳି। ଗୁରୁବାର ଅପରାହ୍ଣରୁ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ସକାଳେ ଲାଠୋର ଥାନା ଅନ୍ତର୍ଗତ ଜଲପାଙ୍କେଲ ଗାଁ ନିକଟ ଝଲିଆଲିଟି ଡୁଙ୍ଗୁରି ଉପରେ ମିଳିବା ପରେ ପରିବାର ଓ ଗାଁ ଲୋକେ ଏହା ବଳି ବୋଲି ଅଭିଯୋଗ ଆଣିଛନ୍ତି। ମୃତ ଶିଶୁ ଜଣକ ହେଲେ ଜଲପାଙ୍କେଲ ଗାଁର ତପନ ବେମାଲଙ୍କ ପୁଅ ସୋମନାଥ ବେମାଲ (୧୧)।

ପୋଲିସ ଘଟଣାସ୍ଥଳରେ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୋଲିସର ସନ୍ଧାନୀ କୁକୁର ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଯିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକେ ବଲାଙ୍ଗୀର-ନୂଆପଡ଼ା ରାସ୍ତାକୁ ଅବରୋଧ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତଦନ୍ତ ବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଠେଲାପେଲା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଲପାଙ୍କେଲ ଗାଁର ତପନ ବେମାଲଙ୍କ ପୁଅ ସୋମନାଥ ଗୁରୁବାର ଅପରାହ୍ଣ ପ୍ରାୟ ୪ଟାରେ ଏକ ପାଚିଲା ଆତ ଧରି ଖେଳିବା ପାଇଁ ଘରୁ ବାହାରିଥିଲେ। ତେବେ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ସୋମନାଥ ରାତି ସୁଦ୍ଧା ଘରକୁ ନ ଫେରିବାରୁ ତାଙ୍କ ଅଜା ଦଳ ବେମାଲ ଲାଠୋର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଶୁକ୍ରବାର ସକାଳେ ଗାଁର ବସୁ ହଂସ, ପରମ ବାଗ ଓ ରାକିଶୋର ଭୋଇଙ୍କ ସମେତ କେତେଜଣ ଯୁବକ ଝଲିଆଲିଟି ଡ଼ୁଙ୍ଗୁରିରେ ସୋମନାଥଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଏହା ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଗୁରୁବାର ଏକାସଙ୍ଗେ ଆଶ୍ୱିନ ପୂର୍ଣ୍ଣିମା ଓ ଗର୍ଭଣା ସଂକ୍ରାନ୍ତି ଥିବାରୁ ସୋମନାଥଙ୍କୁ ବଳି ଦିଆଯାଇଥିବା କୁହାଯାଉଛି।


ପ୍ରାୟ ୧୧ ବର୍ଷ ପୂର୍ବେ ଝଲିଆଲିଟି ଡ଼ୁଙ୍ଗୁରିରେ ସୋନୁ ରଣା (୧୮) ନାମକ ଜଣେ ଯୁବକଙ୍କ ଗଳିତ ମୃତଦେହ ମିଳିଥିଲା। ସେତେବେଳେ ମଧ୍ୟ ଏହା ବଳି ବୋଲି ଚର୍ଚ୍ଚା ହୋଇଥିଲା। ଶୁକ୍ରବାର ସୋମନାଥଙ୍କ ମୃତଦେହ ସେଇ ଡୁଙ୍ଗୁରିରୁ ମିଳିବା ପରେ ବଳି ଚର୍ଚ୍ଚା ଜୋର୍‌ ଧରିଥିଲା। କିଛି ବର୍ଷ ତଳେ ଅନ୍ୟ ଏକ ଗାଁରୁ ଆସି ଜଲପାଙ୍କେଲ ଗାଁରେ ରହୁଥିବା ଜଣେ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ଲୋକେ ସନ୍ଦେହ କରିଆସୁଥିଲେ। ସୋମନାଥଙ୍କ ମୃତ୍ୟୁରେ ମଧ୍ୟ ତାଙ୍କର ହାତ ଥିବା ସନ୍ଦେହ କରାଯାଉଛି। ମାମଲାର ସମ୍ବେଦନଶୀଳତାକୁ ଦେଖି ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଏବଂ ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୂଝାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଭବାନୀପାଟଣାରୁ ଆସିଥିବା ଡଗ୍‌ ସ୍କାଡ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ସୋମନାଥଙ୍କ ମୃତଦେହ ପଡ଼ିଥିବା ଡୁଙ୍ଗୁରି ଉପରୁ ଗାଁର ସେଇ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଘରକୁ ଆସିବା ପରେ ଲୋକେ ସମ୍ପୃକ୍ତ ବ୍ୟକ୍ତି ଗୁଣିଗାରେଡ଼ି କରି ବଳି ଦେଇଥିବା ସନ୍ଦେହ କରିଥିଲେ। ଏଥିସହ ତାଙ୍କ ଗିରଫ ଦାବି କରିଥିଲେ। ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବଲାଙ୍ଗୀର-ନୂଆପଡ଼ା ରାସ୍ତା ଅବରୋଧ କରିଥିଲେ। ଲାଠୋର ଥାନାଧିକାରୀ ରାକେଶ ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ତଦନ୍ତ ଆରମ୍ଭ କରିବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାଟଣାଗଡ଼ ହସ୍ପିଟାଲକୁ ପଠାଇଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ଏସ୍‌ଡିପିଓ ସଦାନନ୍ଦ ପୂଜାରୀ କହିଛନ୍ତି। ଲୋକେ ଯେଉଁ ଦିଗକୁ ସନ୍ଦେହ କରୁଛନ୍ତି, ସେଇ ଦିଗ ସହ ଅନ୍ୟ ସବୁ ଦିଗ ଉପରେ ତଦନ୍ତ କରାଯିବ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି ବୋଲି ଥାନାଧିକାରୀ ବେହେରା କହିଛନ୍ତି।