ବଜେଟ୍ରେ ଯୁବବର୍ଗଙ୍କୁ ଚାକିରି ପ୍ରଦାନ କରିବା ଲାଗି ଅନେକ ପଦକ୍ଷେପ ଘୋଷଣା କରାଯାଇଥିବା ବେଳେ ଚାଷକୁ ପ୍ରାଧାନ୍ୟ ଦିଆଯାଇଛି। ଫସଲର ଡିଜିଟାଲ୍ ସର୍ଭେ କରିବା, ୫ଟି ରାଜ୍ୟରେ କିଷାନ କ୍ରେଡିଟ୍ କାର୍ଡ ପ୍ରଚଳନ କରିବାକୁ ଘୋଷଣା କରାଯାଇଛି
ଉତ୍ପାଦକତା ବୃଦ୍ଧି ଓ ଜଳବାୟୁ ସହନଶୀଳ ପ୍ରଜାତି ବିକାଶ ଉପରେ ଧ୍ୟାନ ଦେବା ପାଇଁ କୃଷି ଗବେଷଣା ବ୍ୟବସ୍ଥାର ସମୀକ୍ଷା ହେବ। ଏଥିପାଇଁ ଘରୋଇ କ୍ଷେତ୍ରକୁ ପାଣ୍ଠି ଦିଆଯିବ। ୩୨ଟି କ୍ଷେତ ଏବଂ ଉଦ୍ୟାନ କୃଷି ଫସଲର ନୂତନ ୧୦୯ଟି ଉଚ୍ଚ ଉତ୍ପାଦନକାରୀ ଏବଂ ଜଳବାୟୁ ସହନଶୀଳ ପ୍ରଜାତି ଚାଷ ପାଇଁ ପ୍ରଦାନ କରାଯିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାର୍ଟିଫିକେସନ୍ ଏବଂ ବ୍ରାଣ୍ଡିଂ ସହାୟତାରେ ସାରା ଦେଶରେ ୧ କୋଟି କୃଷକଙ୍କ ଦ୍ବାରା ନାଚୁରାଲ୍ ଫାର୍ମିଂ ପାଇଁ ପଦକ୍ଷେପ ନିଆଯିବ। ବୈଜ୍ଞାନିକ ଅନୁଷ୍ଠାନ ଓ ଇଚ୍ଛୁକ ଗ୍ରାମ ପଞ୍ଚାୟତ ଜରିଆରେ ଏହାର କାର୍ଯ୍ୟକାରିତା କରାଯିବ ଏବଂ ଏଥିପାଇଁ ୧୦ ହଜାର ଆବଶ୍ୟକତାଭିତ୍ତିକ ବାୟୋ ଇନ୍ପୁଟ୍ ରିସୋର୍ସ ସେଣ୍ଟର ପ୍ରତିଷ୍ଠା କରାଯିବ। ସମବାୟ କ୍ଷେତ୍ରର ଶୃଙ୍ଖଳିତ, ବ୍ୟବସ୍ଥିତ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଏକ ଜାତୀୟ ସମବାୟ ନୀତି ପ୍ରଣୟନ କରାଯିବ।
କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି
କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପାଇଲଟ୍ ପ୍ରକଳ୍ପର ସଫଳତାରେ ଉତ୍ସାହିତ ହୋଇ ସରକାର ରାଜ୍ୟମାନଙ୍କ ସହ ସହଯୋଗିତାରେ ୩ ବର୍ଷ ମଧ୍ୟରେ କୃଷକଙ୍କ ଜମିକୁ ଅନ୍ତର୍ଭୁକ୍ତ କରିବା ପାଇଁ କୃଷିକ୍ଷେତ୍ରରେ ଡିଜିଟାଲ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର (ଡିପିଆଇ) କାର୍ଯ୍ୟକାରୀ କରିବେ। ଚଳିତ ବର୍ଷ ୪୦୦ଟି ଜିଲ୍ଲାରେ ଡିପିଆଇ ବ୍ୟବହାର କରି ଖରିଫ ପାଇଁ ଡିଜିଟାଲ ଫସଲ ସର୍ଭେ କରାଯିବ। ଏଥିରେ ୬ କୋଟି କୃଷକ ଏବଂ ସେମାନଙ୍କ ଜମିର ବିବରଣୀ ପଞ୍ଜୀକରଣ କରାଯିବ। ୫ଟି ରାଜ୍ୟରେ ଜନ ସମର୍ଥ ଭିତ୍ତିକ କିଷାନ କ୍ରେଡିଟ୍ କାର୍ଡ ପ୍ରଚଳନ କରାଯିବ। ଡାଲି ଓ ତୈଳବୀଜରେ ଆତ୍ମନିର୍ଭରଶୀଳତା ହାସଲ ପାଇଁ ସରକାର ଏହାର ଉତ୍ପାଦନ, ସଂରକ୍ଷଣ ଓ ମାର୍କେଟିଂକୁ ସୁଦୃଢ଼ କରିବେ। ସୋରିଷ, ଚିନାବାଦାମ, ରାଶି, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ଭଳି ତୈଳବୀଜରେ ଆତ୍ମନିର୍ଭରଶୀଳ ହେବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଦେଶର ପ୍ରମୁଖ ଉପଭୋକ୍ତା କେନ୍ଦ୍ର ନିକଟରେ ପନିପରିବା ଉତ୍ପାଦନ ପାଇଁ ବ୍ୟାପକ କ୍ଲଷ୍ଟର ବିକଶିତ କରାଯିବ। ସରକାର ସଂଗ୍ରହ, ସଂରକ୍ଷଣ ଏବଂ ବିପଣନ ସମେତ ପନିପରିବା ଯୋଗାଣ ଶୃଙ୍ଖଳା ପାଇଁ କୃଷକ-ଉତ୍ପାଦକ ସଂଗଠନ, ସମବାୟ ଏବଂ ଷ୍ଟାର୍ଟଅପ ଗୁଡ଼ିକୁ ପ୍ରୋତ୍ସାହିତ କରିବେ। ଚିଙ୍ଗୁଡ଼ି ବ୍ରୁଡ୍ଷ୍ଟକ୍ ପାଇଁ ନ୍ୟୁକ୍ଲିୟସ୍ ବ୍ରିଡିଂ ସେଣ୍ଟରର ନେଟ୍ୱାର୍କ ସ୍ଥାପନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଚିଙ୍ଗୁଡ଼ି ଚାଷ, ପ୍ରକ୍ରିୟାକରଣ ଏବଂ ରପ୍ତାନି ପାଇଁ ନାବାର୍ଡ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
ଜନଗଣନା, ଏନ୍ପିଆର୍ ପାଇଁ ୧୩୦୯ କୋଟି
ନୂଆଦିଲ୍ଲୀ: ଏଥର ମଧ୍ୟ ଜନଗଣନା ହେବାର ସମ୍ଭାବନା କମ୍ ରହିଛି। କାରଣ ବଜେଟ୍ରେ ଏହି ବିଶାଳ ପ୍ରକ୍ରିୟା ଲାଗି ୧୩୦୯.୪୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୦୨୧-୨୨ରେ ଏଥିପାଇଁ ଯଥେଷ୍ଟ ଅଧିକ ୩୭୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଜନଗଣନା ପାଇଁ ୮୭୫୪.୨୩ କୋଟି ଟଙ୍କା ଏବଂ ଜାତୀୟ ଜନସଂଖ୍ୟା ରେଜିଷ୍ଟାର (ଏନ୍ପିଆର୍) ପାଇଁ ୩,୯୪୧.୩୫ କୋଟି ଟଙ୍କା ଆବଶ୍ୟକ ବୋଲି ୨୦୧୯ ଡିସେମ୍ବର ୨୪ରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ୨୦୨୦ ଏପ୍ରିଲ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବାକୁ ସମୟ ନିର୍ଘଣ୍ଟ ହୋଇଥିଲା। ମାତ୍ର କୋଭିଡ୍ ମହାମାରୀ ବ୍ୟାପିବା ପରେ ତାହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି।
ପିଲାଙ୍କ ପାଇଁ ବାପାମା’ ଖୋଲିପାରିବେ ପେନ୍ସନ୍ ଖାତା, ନୂଆ ସ୍କିମ୍ ଏନ୍ପିଏସ୍ ବାତ୍ସଲ୍ୟ
ଚଳିତ ବର୍ଷ ବଜେଟ୍ରେ ‘ଏନ୍ପିଏସ୍ ବାତ୍ସଲ୍ୟ’ ନାମରେ ନୂଆ ପେନ୍ସନ୍ ଯୋଜନା ବିଷୟରେ ଘୋଷଣା କରାଯାଇଛି। ନିଜ ପିଲାମାନଙ୍କ ଲାଗି ବାପାମା’ମାନେ ଏହି ଖାତା ଖୋଲିପାରିବେ। ଜାତୀୟ ପେନ୍ସନ୍ ସ୍କିମ୍ ଅଧୀନରେ ଅଣପ୍ରାପ୍ତ ବୟସ୍କ ପିଲାମାନଙ୍କ ଲାଗି ଏହା ଜରିଆରେ ବାପାମା’ ଓ ଅଭିଭାବକମାନେ ଆଗୁଆ ପେନ୍ସନ୍ ବ୍ୟବସ୍ଥା କରିପାରିବେ। ପିଲାମାନଙ୍କୁ ୧୮ ବର୍ଷ ହୋଇଯିବା ପରେ ଖାତାଟି ସେମାନଙ୍କ ନାମକୁ ସ୍ଥାନାନ୍ତରିତ ହୋଇଯିବ। ଏନ୍ପିଏସ୍ ବାତ୍ସଲ୍ୟ ନାବାଳକଙ୍କ ପାଇଁ ଏକ ଯୋଜନା ଯେଉଁଠାରେ ପିତାମାତା ଏବଂ ଅଭିଭାବକଙ୍କ ଦ୍ୱାରା ଯୋଗଦାନ କରାଯାଇପାରିବ। ପିଲାଙ୍କ ବୟସ ୧୮ ବର୍ଷ ହେବା ପରେ ଏହି ଯୋଜନାକୁ ନିୟମିତ ଏନ୍ପିଏସ୍ରେ ପରିଣତ କରାଯିବ। ବ୍ୟକ୍ତିବିଶେଷଙ୍କ ଅବସର ଆବଶ୍ୟକତା ପୂରଣ କରିବା ପାଇଁ ପେନ୍ସନ୍ ଆକାରରେ ଆୟ କରିବାରେ ସାହାଯ୍ୟ କରିବା ଲାଗି କେନ୍ଦ୍ର ସରକାର ଏନ୍ପିଏସ୍ ପ୍ରଚଳନ କରିଥିଲେ। ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫ୍ଆର୍ଡିଏ) ପିଏଫ୍ଆର୍ଡିଏ ଆଇନ, ୨୦୧୩ ଅଧୀନରେ ଏନ୍ପିଏସ୍କୁ ନିୟନ୍ତ୍ରଣ ଏବଂ ପରିଚାଳନା କରୁଛନ୍ତି।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ