ପୁରୀରୁ ଆସି ରାଜଧାନୀରୁ ବାଇକ୍ ଲୁଟୁଥିବା କୁଖ୍ୟାତ କ୍ରିଷ୍ଣା ଗ୍ୟାଙ୍ଗ୍ ଶେଷରେ କମିସନରେଟ୍ ପୁଲିସ ପଞ୍ଝାରେ ପଡ଼ିଛି। ସ୍ପେସାଲ୍ ସ୍କ୍ବାଡ୍ ଓ ବଡ଼ଗଡ଼ ଥାନା ପୁଲିସ ମିଳିତ ଅପରେସନ୍ କରି ୮ ଲୁଟେରାଙ୍କୁ କାବୁ କରିଛି। ସେମାନେ ହେଲେ ଗ୍ୟାଙ୍ଗ୍ ମୁଖିଆ କୋଣାର୍କ ଅଞ୍ଚଳର କ୍ରିଷ୍ଣା କାଣ୍ଡି ଓରଫ ରାହୁଲ୍ କାଣ୍ଡି(୨୪), ପୁରୀ ତାଳବଣିଆ ଅଞ୍ଚଳର ସୁଦର୍ଶନ ଦାସ ଓରଫ ସୁଜି(୩୬), କୋଣାର୍କ ଚନ୍ଦ୍ରଭାଗା ଅଞ୍ଚଳର ରାମଚନ୍ଦ୍ର ବେହେରା(୨୮), ସାନଜ ବେହେରା ଓରଫ ସନିଆ(୨୯), ଜଗନ ରାଉତ(୨୨), କୋଣାର୍କ ରାମଚଣ୍ଡୀ ଅଞ୍ଚଳର ଦୀପକ କୁମାର ସାହୁ ଓରଫ ଦିଲୁ(୨୫), ପୁରୀ ଗୋପ ଅଞ୍ଚଳର ଆକାଶ ବାରିକ(୨୩) ଓ ପିପିଲି ଅଞ୍ଚଳର ସତ୍ୟରଂଜନ ଭୋଇ ଓରଫ ମନ୍ତ୍ରା(୨୮)।
ପୁଲିସ ସେମାନଙ୍କ ନିକଟରୁ ୩୧ଟି ବାଇକ୍, ଗୋଟିଏ ବାଇକ୍ ଇଂଜିନ୍, ୫ ମାଷ୍ଟର କି’ ଓ ମୋବାଇଲ୍ ଫୋନ୍ ଜବତ କରିଛି। ପ୍ରାୟ ୬ମାସ ହେଲା କମିସନରେଟ୍ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଏହି ଗ୍ୟାଙ୍ଗ୍ ସମ୍ପର୍କରେ ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ଟାର୍ଗେଟ୍ରେ ମଲ୍, କୋର୍ଟ ଓ ଜନଗହଳି ଅଞ୍ଚଳ
୬ମାସ ହେଲା ଏହି ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ଥିଲା। ବଡ଼ଗଡ଼, ଲିଙ୍ଗରାଜ, ଧଉଳି, କ୍ୟାପିଟାଲ୍, ଲକ୍ଷ୍ମୀସାଗର ଆଦି ଥାନା ଅଞ୍ଚଳରୁ ଏହି ଗ୍ୟାଙ୍ଗ୍ ବାଇକ୍ ଚୋରି କରୁଥିଲା। ଗ୍ୟାଙ୍ଗ୍ର ସଦସ୍ୟମାନେ ଦଳବଳ ହୋଇ ଗୋଟିଏ ବାଇକ୍ରେ ୨ଜଣ ଲେଖାଏଁ ଆସୁଥିଲେ ଏବଂ ଫେରିବା ବେଳେ ସମସ୍ତେ ଗୋଟିଏ ଗୋଟିଏ ବାଇକ୍ ଧରି ଫେରୁଥିଲେ। ମଲ୍, କୋର୍ଟ ଓ ଜନଗହଳି ଅଞ୍ଚଳକୁ ଟାର୍ଗେଟ୍ କରୁଥିଲେ। ମାଷ୍ଟର କି’ରେ ବାଇକ୍ ଲକ୍ ଖୋଲି ଚୋରି କରୁଥିଲେ।
ଧରାଇଲା ସିସିଟିଭି
ବାଇକ୍ ଚୋରି ନେଇ ବିଭିନ୍ନ ଥାନାରେ ବାରମ୍ବାର ଅଭିଯୋଗ ହେବା ପରେ ସ୍ପେସାଲ୍ ସ୍କ୍ବାଡ୍ ଗ୍ୟାଙ୍ଗ୍କୁ ଠାବ କରିବା ପାଇଁ ଯୋଜନା କରିଥିଲା। ଯେଉଁ ସବୁସ୍ଥାନରୁ ବାଇକ୍ ଚୋରି ହୋଇଥିଲା, ପୁଲିସ ସେହିସବୁ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରିଥିଲା। ପୁରୀ, କଟକ, ଖୋର୍ଦ୍ଧା ଆଦି ସହରରୁ ମିଳିଥିବା ବିଭିନ୍ନ ବାଇକ୍ ଚୋରୀ ସଂକ୍ରାନ୍ତୀୟ ସିସିଟିଭି ଫୁଟେଜ୍ ମେଳ କରିବା ପରେ ପୁଲିସକୁ କ୍ରିଷ୍ଣା ଗ୍ୟାଙ୍ଗ୍ ବାବଦରେ ସୁରାକ ମିଳିଥିଲା। କିନ୍ତୁ ଏହି ଗ୍ୟାଙ୍ଗ୍ର କୌଣସି ସଦସ୍ୟ ରାଜଧାନୀରେ ରହୁନଥିବାରୁ ସେମାନଙ୍କୁ ଧରିବା ସହଜ ନଥିଲା। ସେମାାନେ ପୁରୀରୁ ଆସୁଥିଲେ ଏବଂ ଠାବ କରିଥିବା ବାଇକ୍ ଉଠାଇ ଛୁ’ ମାରୁଥିଲେ। ତେଣୁ ପୁଲିସ ଉତ୍ତରା ଛକ, ସାମନ୍ତରାପୁର ଛକ, ଟଙ୍କପାଣି ରୋଡ୍ ଆଦି ଅଞ୍ଚଳର ସିସିଟିଭି ଫୁଟେଜ୍କୁ ରୀତିମତ ଯାଞ୍ଚ କରିବା ଆରମ୍ଭ କରିଥିଲା। ବୁଧବାର ଅପରାହ୍ଣରେ କ୍ରିଷ୍ଣା ଏକ ବାଇକ୍ ଯୋଗେ ଟଙ୍କପାଣି ରୋଡ୍ରେ ବୁଲୁଥିବା ଜଣାପଡ଼ିଥିଲା। ତେଣୁ ବଡ଼ଗଡ଼ ଥାନା ପୁଲିସ ଓ ସ୍ପେସାଲ୍ ସ୍କ୍ବାଡ୍ ତୁରନ୍ତ ଉକ୍ତ ଅଞ୍ଚଳରେ ସାଦା ପୋଷାକରେ ଖେଦି ଯାଇଥିଲେ। ଶେଷରେ କ୍ରିଷ୍ଣାକୁ ବଡ଼ଗଡ଼ ଅଞ୍ଚଳରେ କାବୁ କରାଯାଇଥିଲା। ଥାନାକୁ ନେଇ ଜେରା କରିବା ପରେ ସେ ସତ ମାନିଯାଇଥିଲା। ଏହାପରେ ତା’ର ସୂଚନାକୁ ଆଧାର କରି ପୁଲିସ ଗୋପ, କୋଣାର୍କ, ରାମଚଣ୍ଡୀ ଓ ତାଳବଣିଆରେ ଚଢ଼ଉ କରି ସମସ୍ତଙ୍କୁ ଗିରଫ କରିଥିଲା।
ଜଙ୍ଗଲରେ ଓ ସମୁଦ୍ର ବାଲିରେ ପୋତି ଲୁଚାଉଥିଲେ
ଚୋରା ବାଇକ୍ଗୁଡ଼ିକୁ ଲୁଚାଇବାକୁ ଏହି ଗ୍ୟାଙ୍ଗ ଅଭିନବ ପନ୍ଥା ଆପଣେଇଥିଲା। ବାଇକ୍ଗୁଡ଼ିକୁ ରାଜଧାନୀରୁ ଚୋରି କରିବା ପରେ ସେମାନେ ମେରାଇନ୍ ଡ୍ରାଇଭ୍ ଅଞ୍ଚଳରେ ଥିବା ଜଙ୍ଗଲରେ ଲୁଚାଉଥିଲେ। ଏମିତିକି କିଛି ବାଇକ୍କୁ ସେମାନେ ସମୁଦ୍ର ବାଲିରେ ପୋତି ଦେଉଥିଲେ। ପୁଲିସ ଚଢ଼ଉ ବେଳେ ଜଙ୍ଗଲ ଓ ସମୁଦ୍ର ବାଲିରୁ କିଛି ଗାଡ଼ି ଜବତ କରିଥିଲା। ସେମାନେ ପୁରୀ ନୋଳିଆସାହି, ଚନ୍ଦ୍ରଭାଗା, ରାମଚଣ୍ଡୀ ଆଦି ଅଞ୍ଚଳରେ ଶସ୍ତାରେ ବାଇକ୍ ବିକି ଦେଉଥିଲେ। ବଡ଼ କଥା ହେଉଛି କ୍ରିଷ୍ଣା ଜାଲ୍ ନମ୍ବର ଓ କାଗଜପତ୍ର ଦେଇ ବାଇକ୍ ବିକି ଦେଉଥିଲା। ବେଳେବେଳେ କିଛି ଗାଡ଼ି କବାଡ଼ିଆଙ୍କୁ ମଧ୍ୟ ବିକ୍ରି କରୁଥିଲେ। ସେହିଭଳି କିଛି ବାଇକ୍କୁ ବନ୍ଧକ ରଖି ଲୋକଙ୍କଠାରୁ ଟଙ୍କା ନେଉଥିଲେ।
ନିଶା ନିବାରଣ କେନ୍ଦ୍ରରେ ଡେରା
କ୍ରିଷ୍ଣା ଗ୍ୟାଙ୍ଗ୍ ବେଶ୍ ଧୂର୍ତ୍ତ ଥିଲା। ଗିରଫଦାରୀରୁ ବର୍ତ୍ତିବାକୁ ସେମାନେ ନିଶା ନିବାରଣ କେନ୍ଦ୍ରକୁ ଟାର୍ଗେଟ୍ କରୁଥିଲେ। ଚୋରି କରିବା ପରେ ପୁରୀର ବିଭିନ୍ନ ନିଶା ନିବାରଣ କେନ୍ଦ୍ରକୁ ଯାଇ ଭର୍ତ୍ତି ହୋଇଯାଉଥିଲେ। କିଛି ଦିନ ପରେ ପୁଣି ସେଠାରୁ ବାହାରି ବାଇକ୍ ଚୋରି ପାଇଁ ରାଜଧାନୀ ଆସୁଥିଲେ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ