The Topmost

“The eyes believe themselves, the ears believe other people.”

ରାସନ କାର୍ଡରେ କେମିତି କରିବେ ଇ-କେୱାଇସି, ଗାଁକୁ ନଆସି ବି କରେଇ ପାରିବେ ଅପଡେଟ୍

ରାଜ୍ୟର ରାସନ କାର୍ଡ ହିତାଧିକାରୀଙ୍କୁ ନେଇ ବଡ଼ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ବିଧାନସଭାରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଚାଲିଛି। ୨୨ ଅଗଷ୍ଟରୁ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ଚାଲିଛି, ଯାହା ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ।

ତେବେ ଓଡ଼ିଶା ଛାଡି ବାହାରେ ଥିବା ପ୍ରବାସୀମାନେ କାମଧନ୍ଦା ଛାଡି ଇ-କେୱାଇସି ପାଇଁ ଓଡ଼ିଶା ଫେରିବା ପସଙ୍ଗକୁ ନେଇ କଂଗ୍ରେସ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ପ୍ରବାସୀମାନେ ଯେଉଁଠାରେ ଅଛନ୍ତି ସେଠାରେ ଇ-KYC କରିପାରିବେ। ଓଡ଼ିଶା ଆସିବା ଦରକାର ନାହିଁ, ସେମାନେ ଯେଉଁଠି ଅଛନ୍ତି ସେଇଠି ଇ-କେୱାଇସି କରିପାରିବେ। ଯେଉଁଠି ଚାହିଁବେ ନିକଟସ୍ଥ କମନ୍‌ ସର୍ଭିସ ସେଣ୍ଟରକୁ ଯାଇ ମେସିନରେ ଫିଙ୍ଗରପ୍ରିଣ୍ଟ ଦେବେ।

ଏଥି ସହିତ କଂଗ୍ରେସ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡରୁ ୧୬ ଲକ୍ଷ ୨୭ ହଜାର ୯୨୦ ଜଣଙ୍କ ନାଁ ହଟାଯାଇଛି। ଏଥି ମଧ୍ୟରେ ମୃତ ଓ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଆଉ ଯେଉଁମାନେ ଏହି ସୁଯୋଗର ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି ତାଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଉଛି । ରାଜ୍ୟ ସରକାର ନିକଟରେ ରାସନ କାର୍ଡରେ ଥିବା ସବୁ କାର୍ଡଧାରୀଙ୍କୁ ଆଧାର ସହ ଇ-କଓ୍ବୋଇସି ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଆଗକୁ ଆହୁରି ଅଯୋଗ୍ୟ କାର୍ଡଧାରୀଙ୍କ ନାମକୁ ହଟାଯାଇ ପାରିବ।

ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୯୨.୬୬ଲକ୍ଷ ପରିବାରର ୩ କୋଟି ୨୫ଲକ୍ଷ ୯୩ହଜାର ୮୭୫ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ଆହୁରି ୯ ଲକ୍ଷ ଆବେଦନ ହୋଇଛି। ନୂଆ ହିତାଧିକାରୀ ଚୟନ ପାଇଁ ସରକାର ୧୨ଟି ମାନଦଣ୍ଡ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲାସ୍ତରରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହାର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଏଥିରେ ସାମିଲ କରାଯାଉଛି।