The Topmost

“The eyes believe themselves, the ears believe other people.”

ଜାଣନ୍ତୁ କର୍ଲି ହେୟାରର ଫାଇଦା..

ଯାହାର ମୁଣ୍ଡରେ କୁଞ୍ଚୁକୁଞ୍ଚିକିଆ କେଶ ଥାଏ, ତାହା କେବଳ କେଶବିନ୍ୟାସ ପାଇଁ ସୁନ୍ଦର ହୋଇନଥାଏ, ଏଥି ସହିତ ମୁଣ୍ଡକୁ ଥଣ୍ଡା ରଖିବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ସଦ୍ୟ ଏକ ଅଧ୍ୟୟନରୁ ଜଣାଯାଇଛି। କୁଞ୍ଚିତ କେଶକୁ ଆଗରୁ ଘଞ୍ଚ ପଶମ ସଙ୍ଗେ ତୁଳନା କରି ତାହା ଉଷ୍ମତା ଶୋଷି ମୁଣ୍ଡକୁ ଗରମ କରୁଥିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟର ଗବେଷକମାନେ ତାହାକୁ ଭୁଲ୍‌ ପ୍ରମାଣିତ କରି ପରୋକ୍ଷରେ ତାହା ମସ୍ତିଷ୍କକୁ ଶୀତଳ ରଖେ ବୋଲି ସ୍ପଷ୍ଟ କରିଛନ୍ତି। ମନୁଷ୍ୟର ମସ୍ତିଷ୍କକୁ ମାତ୍ରାଧିକ ଗରମରୁ ରକ୍ଷା କରିବା ପାଇଁ ଏହା ଏକ ବିବର୍ତ୍ତନୀୟ ପ୍ରକ୍ରିୟା ବୋଲି ସେମାନେ ଏକ ନୂତନ ନିର୍ଯାସରେ ଉପନୀତ ହୋଇଛନ୍ତି। ଗବେଷକମାନେ କେଶ ଉପସ୍ଥିତିରେ ମୁଣ୍ଡରେ ସୌର ବିକିରଣ ପ୍ରବାହରେ ଉଲ୍ଲେଖନୀୟ ହ୍ରାସର ପ୍ରମାଣ ପାଇଛନ୍ତି। ବିଶେଷ କରି କେଶ ବଙ୍କା ଥିଲେ, ତାହା ସୌର ବିକିରଣର ଉତ୍ତାପରୁ ଅଧିକ ସୁରକ୍ଷା ଯୋଗାଇଥାଏ।

ପ୍ରାଚୀନ କାଳରେ ବିଷୁବ ରେଖାବର୍ତ୍ତୀ ଆଫ୍ରିକୀୟ ଅଞ୍ଚଳରେ ମନୁଷ୍ୟ ପ୍ରଜାତି ବିକଶିତ ହୋଇ ସିଧା ଚାଲିବା ପରେ ସେମାନଙ୍କର ମସ୍ତକର ଶୀର୍ଷ ସୌର ବିକିରଣକୁ ଅଧିକ ମାତ୍ରାରେ ଗ୍ରହଣ କରୁଥିଲା। ମସ୍ତିଷ୍କ ସାଧାରଣତଃ ଉତ୍ତାପ ପ୍ରତି ସମ୍ବେଦନଶୀଳ; ଏହା ଯେତେ ବଡ଼ ହୁଏ, ସେତେ ତାପ ସୃଷ୍ଟି କରେ। ବିକଶିତ ମନୁଷ୍ୟ ନିଜ ଶରୀରର ଅଧିକାଂଶ କେଶ ହରାଇବା ପରେ ଶରୀରକୁ ଥଣ୍ଡା ରଖିବା ଲାଗି ବିବର୍ତ୍ତନ ପ୍ରକ୍ରିୟାରେ ଦକ୍ଷ ସ୍ବେଦଗ୍ରନ୍ଥି ବିକଶିତ ହେଲା। ମାତ୍ର ସେଥିରୁ ଝାଳ ବାହାରିବା ଲାଗି ଅଧିକ ଜଳ ଓ ଇଲେକ୍ଟ୍ରୋଲାଇଟ୍‌ର ଆବଶ୍ୟକତା ରହିଛି। ଅପରପକ୍ଷେ, ଆକୃତି ନିର୍ବିଶେଷରେ କେଶରାଶି ସୌର ବିକିରଣରୁ ସୁରକ୍ଷା ଦେଇଥାଏ। ତେବେ ଶକ୍ତ ଭାବରେ ବଙ୍କା ହୋଇଥିବା କେଶ ମୁଣ୍ଡରେ ଚାପି ହୋଇ ରହିନଥାଏ। ତେଣୁ କେଶ ଓ ମୁଣ୍ଡର ଉପରିଭାଗ ମଧ୍ୟରେ ଦୂରତା ବଢ଼ିଥାଏ, ଯାହା ତାପରୁ ଅଧିକ ସୁରକ୍ଷା ଦେଇଥାଏ।