September 15, 2025

ହାଜମୋଲା ଚା..

ହିନ୍ଦୁମାନଙ୍କ ପାଇଁ ଅନ୍ୟତମ ପବିତ୍ର ସ୍ଥଳର ମାନ୍ୟତା ରଖିଥିବା ଭାରତର ଐତିହାସିକ ପ୍ରାଚୀନ ସହର ବାରାଣସୀ ତ ତାହାର ଲୋକସଂସ୍କୃତି ପାଇଁ ଯୁଗେ ଯୁଗେ ପରିଚିତ। ତେବେ ଏବେ ସେଠାରେ ମିଳୁଥିବା ଏକ ଭିନ୍ନ ଧରଣର ପାନୀୟ ଲୋକପ୍ରିୟ ହେବାରେ ଲାଗିଛି। ଏହି ଅନନ୍ୟ ପାନୀୟରେ ଉତ୍କୃଷ୍ଟ ଭାରତୀୟ ଚା’ ଓ ଖଟାମିଠା ସ୍ବାଦଯୁକ୍ତ ହଜମକାରୀ ‘ହାଜମୋଲା ବଟିକା’ ପରି ଦୁଇଟି ଭିନ୍ନ ଉପାଦାନର ସମ୍ମିଶ୍ରଣ ଘଟିଛି। ଅସଙ୍ଗତ ମନେ ହେଉଥିବା ଦୁଇଟି ଭିନ୍ନ ସ୍ବାଦର ମିଶ୍ରଣ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ବିସ୍ମିତ କରିବା ସହ ତାହା ବିତର୍କ ସୃଷ୍ଟି କରିଛି।

ବାରାଣସୀର ଅଶୀଘାଟରେ ଜଣେ ରାସ୍ତାକଡ଼ ଦୋକାନୀ ‘ବାରାଣସୀ ହାଜମୋଲା ଚା’ ବିକୁଛନ୍ତି। ଦୋକାନୀ ଜଣକ ପାଣିରେ ଚିନି, ପୁଦିନା ପତ୍ର ଓ ଚା’ ପତି ପକାଇ ଫୁଟାଇବା ପରେ ତାହାକୁ ଛାଣି ଗିଲାସରେ ପରଷିବା ବେଳେ ସେଥିରେ ଲେମ୍ବୁରସ ଓ ହାଜମୋଲା ବଟିକାକୁ ଗୁଣ୍ଡ କରି ମିଶାଇଥାନ୍ତି। କିଛି ଲୋକ ଏପରି ଅଭିନବ ପାନୀୟର ସ୍ବାଦ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ କିଛି ମଧ୍ୟ ଚା’ ପରି ଏକ ଆରାମଦାୟକ ପାନୀୟ ସହ ହାଜମୋଲା ପରି ଏକ ଖଟାଳିଆ ତଥା ଲୁଣିଆ ଦ୍ରବ୍ୟକୁ ମିଶାଯିବା ନେଇ ବ୍ୟାପକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେହି କେହି ଏପରି ମିଶ୍ରଣର ଭଲମନ୍ଦ ପରିଣାମ ଉପରେ ଚିନ୍ତା ପ୍ରକଟ କରିଛନ୍ତି।

SHARE BY