‘ଏମର୍ଜେନ୍ସି’ ନାମ ସହିତ ମୁକ୍ତିଲାଭ କରିଥିବା ଐତିହାସିକ ଚଳଚ୍ଚିତ୍ରରୁ ଆଶା କରାଯିବା ସ୍ବାଭାବିକ ଯେ ଏଥିରେ ୧୯୭୫ରେ ଦେଶରେ ଲାଗୁ ହୋଇଥିବା ଜରୁରୀ ପରିସ୍ଥିତିର ଗଭୀରତାକୁ ଯିବା ସହିତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରର ଯଥାର୍ଥ ଅବତାରଣା ଦେଖିବାକୁ ମିଳିବ। ହେଲେ ଦୀର୍ଘ ୧୪୬ ମିନିଟ୍ ଅବଧିରେ ସେଭଳି ଜିଜ୍ଞାସାକୁ କଙ୍ଗନାଙ୍କ ନିର୍ଦେଶିତ ତଥା ଅଭିନୀତ ସିନେମାଟି ତୃପ୍ତ କରିବାରେ ବିଫଳ ହୋଇଛି। ଭାରତର ଏକ ଗୁରୁତ୍ବପୂର୍ଣ୍ଣ କାଳଖଣ୍ଡରେ କ୍ଷମତା ଶୀର୍ଷରେ ରହିଥିବା ଜଣେ ଶକ୍ତିଶାଳୀ ରାଜନେତାଙ୍କ ଜଟିଳ ବ୍ୟକ୍ତିତ୍ବ ତଥା ପରିସ୍ଥିତିକୁ ଏଥିରେ ଏଭଳି ସରଳ ଓ ଏକପାଖିଆ ଢଙ୍ଗରେ ପ୍ରଦର୍ଶନ କରାଯାଇଛି ଯେ ଇନ୍ଦିରାଙ୍କ ଭୂମିକାରେ ଅଭିନେତ୍ରୀ କଙ୍ଗନାଙ୍କ ଶକ୍ତିଶାଳୀ ଅଭିନୟକୁ ନିର୍ଦେଶକ କଙ୍ଗନା ରୁଚିହୀନ ଓ ପ୍ରଭାବହୀନ କରିଦେଇଥିବା ଭଳି ମନେ ହେଉଛି।
ଚଳଚ୍ଚିତ୍ର ଆରମ୍ଭରେ ତରୁଣୀ ଇନ୍ଦିରାଙ୍କୁ ଜେଜେ ମୋତିଲାଲ ବୁଝାଇଦିଅନ୍ତି ଯେ କ୍ଷମତା ହେଉଛି ସବୁଠାରୁ ବଡ଼ ଶକ୍ତି। ଏହା ପରବର୍ତ୍ତୀ ଦୃଶ୍ୟଗୁଡ଼ିକ ଇନ୍ଦିରାଙ୍କ ଜୀବନର ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟକୁ ତରବରିଆ ଭାବେ ଡେଇଁ ଚାଲୁଛି, ଯେଉଁଥିରୁ ଅଧିକାଂଶ ଇନ୍ଦିରାଙ୍କ ଚରିତ୍ରକୁ ଅର୍ଥପୂର୍ଣ୍ଣ ବା କାହାଣୀକୁ ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ କରିବାରେ ବିଶେଷ ଭୂମିକା ନିର୍ବାହ କରୁନାହିଁ। ଏଥିରେ ପିତା ନେହରୁଙ୍କ ସହିତ ଇନ୍ଦିରାଙ୍କ ମତଭେଦରୁ ଆରମ୍ଭ ତାଙ୍କୁ ଇନ୍ଦିରା ‘ଦୁର୍ବଳ ଓ ପରାଜିତ’ ବୋଲି କହି ତାଙ୍କ ଭଳି ନ ହେବାର ପ୍ରତିଜ୍ଞା ନେବାର ଦେଖାଯାଉଛି। ଏହାପରେ ସେ ପ୍ରଧାନମନ୍ତ୍ରୀ ଭାବେ କ୍ଷମତା ହାସଲ କରିବା ଓ ପୂର୍ବ ପାକିସ୍ତାନ ଗଠନରେ ତାଙ୍କ ଭୂମିକା ଆଦି ପ୍ରଦର୍ଶିତ ହୋଇଛି।
ନିର୍ଦେଶକ: କଙ୍ଗନା ରନୌତ
ମୁଖ୍ୟ ଚରିତ୍ରରେ: କଙ୍ଗନା ରନୌତ, ଅନୁପମ ଖେର, ଶ୍ରେୟସ ତଲପଡ଼େ
ରୋଚକ କଥା ହେଉଛି, ଭାରତର ସବୁଠାରୁ ଶକ୍ତିଶାଳୀ ରାଜନେତା ଭାବେ ‘ଆଇରନ୍ ଲେଡି’ ନାମ ହାସଲ କରିଥିବା ସିନେମାର ମୁଖ୍ୟ ଚରିତ୍ର ପରଦାରେ ଆବିର୍ଭାବ ହେବା ବେଳେ ‘ସ୍ଲୋ ମୋସନ୍’ ବା ଆଡ଼ମ୍ବରପୂର୍ଣ୍ଣ ପ୍ରଚ୍ଛଦ ସଂଗୀତ ପ୍ରୟୋଗ ହୋଇ ନଥିବା ବେଳେ ଫିଲ୍ଡ ମାର୍ସାଲ୍ ସାମ ମାନେକ୍ଶା (ମିଲିନ୍ଦ ସୋମନ)ଙ୍କ ପଦାର୍ପଣକୁ ଯଶସ୍ବୀ ଢଙ୍ଗରେ ଉପସ୍ଥାପନ କରାଯାଇଛି। ସେହିପରି ସେ ସମୟର ବିରୋଧୀ ନେତା ଅଟଳ ବିହାରୀ ବାଜପେୟୀଙ୍କ ସହ ଇନ୍ଦିରାଙ୍କ ସାକ୍ଷାତର ଦୃଶ୍ୟରୁ ଏହି ବାର୍ତ୍ତା ମିଳୁଛି ଯେ ବିରୋଧୀ ନେତା ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ଦେଶର ସ୍ବାର୍ଥ ଲାଗି ଅଧିକ ଚିନ୍ତାଶୀଳ ଥିଲେ। ଇନ୍ଦିରାଙ୍କ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧ ଲାଗିବା ପରେ ସେ କେମିତି ଜରୁରୀ ପରିସ୍ଥିତି ଜାରି କରି ସ୍ବାଧୀନ ଭାରତ ଇତିହାସର ସବୁଠାରୁ କଳଙ୍କିତ ଅଧ୍ୟାୟକୁ ରୂପ ଦେଇଥିଲେ, ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲେ ହେଁ ତାହା ପ୍ରସଙ୍ଗର ଗଭୀରତାକୁ ପ୍ରବେଶ କରିପାରିନାହିଁ।
ଜନମାନସରେ ଏବେ ବି ଜୀବନ୍ତ ରହିଥିବା ଜୟପ୍ରକାଶ ନାରାୟଣ ଭୂମିକାରେ ଅନୁପମ ଖେର, ସାମ ମାନେକ୍ଶା ଭୂମିକାରେ ମିଲିନ୍ଦ ସୋମନ, ବାବୁ ଜଗଜୀବନ ରାମଙ୍କ ଚରିତ୍ରରେ ସତିଶ କୌଶିକଙ୍କ ଅଭିନୟ ପ୍ରଭାବଶାଳୀ ହୋଇଥିବା ବେଳେ ଅଟଳ ବିହାରୀଙ୍କ ଭୂମିକାକୁ ଶ୍ରେୟସ ତଲପଡ଼େ ନ୍ୟାୟ ଦେଇପାରିନାହାନ୍ତି। କୃତ୍ରିମ ନାକ ଓ ଅନ୍ୟାନ୍ୟ ପ୍ରସାଧନ ବ୍ୟବହାର କରି କଙ୍ଗନା ଇନ୍ଦିରାଙ୍କ ଭଳି ଦିଶିବାରେ ସଫଳ ହୋଇଛନ୍ତି ସତ, ହେଲେ ଉତ୍ଥାନ ପତନ ଦେଇ ଯାଇଥିବା ଜଣେ ଜନନେତାଙ୍କ ଅନୁକରଣ ସ୍ଥଳବିଶେଷରେ ହନୁକରଣ ରୂପ ଧାରଣ କରିଛି। ତଥାପି ଏହି ଭୂମିକା ସହ କଙ୍ଗନା ଅନ୍ୟାୟ କରିଛନ୍ତି ବୋଲି କହିହେବ ନାହିଁ।
‘ଏମର୍ଜେନ୍ସି’ର କାହାଣୀରେ ଚତୁରତାର ସହିତ କେତେକ ତଥ୍ୟକୁ ବିଭ୍ରାନ୍ତିକର ଢଙ୍ଗରେ ଉପସ୍ଥାପନ କରାଯାଇଛି, ଯାହା ଦ୍ବାରା ଇନ୍ଦିରାଙ୍କୁ ଜଣେ ଆତ୍ମବିଶ୍ବାସହୀନ, ଦୁର୍ବଳ ଓ ଆତ୍ମକୈନ୍ଦ୍ରିକ ନେତ୍ରୀର ପରିଚୟ ଦେଇଛି, ଯାହା ସତ୍ୟର ଅପଳାପ ହୋଇପାରେ! ଉଦାହରଣ ସ୍ବରୂପ ପ୍ରସିଦ୍ଧ ଉକ୍ତି- ‘ଇଣ୍ଡିଆ ଇଜ୍ ଇନ୍ଦିରା, ଇନ୍ଦିରା ଇଜ୍ ଇଣ୍ଡିଆ’କୁ ବାସ୍ତବରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ କହିଥିବା ବେଳେ ଏହି ଚଳଚ୍ଚିତ୍ରରେ ଇନ୍ଦିରା ନିଜେ ସେହି ଉକ୍ତିକୁ ଚାପାସ୍ବରରେ ଉଚ୍ଚାରଣ କରୁଥିବାର ଶୁଣିବାକୁ ମିଳୁଛି। ଶେଷଭାଗରେ ବିଚ୍ଛିନ୍ନତାବାଦୀ ଶିଖ ନେତାଙ୍କ ଦାନବସୁଲଭ ଅବତାରଣା ମୁକ୍ତିଲାଭ ପୂର୍ବରୁ ବିବାଦକୁ ଆକୃଷ୍ଟ କରିଛି, ଯାହାକୁ ପରିହାର କରାଯାଇପାରନ୍ତା। ମୃତ୍ୟୁ ପୂର୍ବଦିନ ଇନ୍ଦିରା ଭୁବନେଶ୍ବରରେ ଏକ ଜନସଭାକୁ ସମ୍ବୋଧନ କରିଥିବାର ଦୃଶ୍ୟ ଏକ ଷ୍ଟୁଡିଓ ଭିତରେ ଅଭିନୀତ ହେବା ଏହାର ନିର୍ମାତାଙ୍କ ସୀମିତ ସଂସାଧନକୁ ପଦାରେ ପକାଇଦେଇଛି। ଇନ୍ଦିରାଙ୍କ ପରି ବ୍ୟକ୍ତିତ୍ବ ନିଶ୍ଚିତ ଭାବେ ଅଧିକ ସୂକ୍ଷ୍ମ ଓ ସନ୍ତୁଳିତ ଦୃଷ୍ଟିଭଙ୍ଗୀ ଦାବି କରେ।
More Stories
ଟ୍ରେଣ୍ଡରେ ଛିଛି ଗୀତ
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍
ଧନ ବର୍ଷା କରିବ ଏହି ପ୍ଲାଣ୍ଟ୍