The Topmost

“The eyes believe themselves, the ears believe other people.”

ଶ୍ରୀମନ୍ଦିରରେ ମୂଳାଷ୍ଟମୀରୁ ଷୋଡ଼ଶ ଦିନ ବ୍ୟାପୀ ଦୁର୍ଗାପୂଜା

ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ‘ମୂଳାଷ୍ଟମୀ’ ନାମରେ ପ୍ରସିଦ୍ଧ । ଏହା ହେଉଛି ଦେବୀ-ଦୁର୍ଗାଙ୍କ ଶରତ୍‌କାଳୀନ ଉତ୍ସବ । ଏହା ଦେବୀଙ୍କର ଷୋହଳଦିନ ବ୍ୟାପୀ ପୂଜାର ମୂଳ ତିଥି । ସେ ଦୃଷ୍ଟିରୁ, ଏହାର ନାମ ‘ମୂଳାଷ୍ଟମୀ’ । ଏହି ପୂଜା ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ ବା ମହାଷ୍ଟମୀ ଓ ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ । ଏହି ଷୋହଳ ଦିନ ଦୁର୍ଗାପୂଜା ପାଇଁ ପ୍ରଶସ୍ତ । ଏହା ଦୁର୍ଗାପୂଜାର ପକ୍ଷ । ଏହାର ପରଦିନ ପାଳିତ ହୁଏ ବିଜୟା ଦଶମୀ । ଏହା ହେଉଛି ଆସୁରିକ ଶକ୍ତି ଉପରେ ଦୈବୀଶକ୍ତିର ବିଜୟ ଉତ୍ସବ ।

ମୂଳାଷ୍ଟମୀ ଦେବୀ ଦୁର୍ଗାଙ୍କର ଉତ୍‌ଥାପନ ଦିବସ । ଏହା ପୂର୍ବରୁ ପନ୍ଦର ଦିନ ଧରି ଦେବୀ ଶୟନ କରିଥାନ୍ତି । ଏହିଦିନ, ଅର୍ଥାତ୍ ଷୋଡ଼ଶ ଦିବସରେ ଉଠନ୍ତି । ଦେବୀ ଦୁର୍ଗାଙ୍କର ଶୟନ ତିଥି ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ । ଏହିଦିନ ଠାରୁ ଆଶ୍ୱିନ କୃଷ୍ଣପକ୍ଷ ସପ୍ତମୀ ପର୍ଯ୍ୟନ୍ତ ପନ୍ଦରଦିନ ଦେବୀ ଶୟନ କରିବା ପରେ, ପୂଜା ଗ୍ରହଣ ପୂର୍ବକ ଷୋଡ଼ଶଦିନ ଦିବା ଭାଗରେ ଉଠନ୍ତି ।

ତେବେ ଶ୍ରୀମନ୍ଦିରରେ ଷୋଡ଼ଶ ଦିନ ବ୍ୟାପୀ ଦୁର୍ଗାପୂଜା ମଧ୍ୟ ଏହି ମୂଳାଷ୍ଟମୀରୁ ଆରମ୍ଭ ହୋଇଥାଏ । ଏହା କୃଷ୍ଣ ଅଷ୍ଟମୀଦିନ ଦେବୀ ଦୁର୍ଗାଙ୍କର ସହସ୍ର କୁମ୍ଭାଭିଷେକ ହୋଇ ଆରମ୍ଭ ହୁଏ । ଭଣ୍ଡାରଘରୁ ମା’ ଦୁର୍ଗାଦେବୀଙ୍କୁ ନେଇ ରତ୍ନସିଂହାସନରେ ଦେବୀ ସୁଭଦ୍ରାଙ୍କ ବାଡ଼ରେ ବିଜେ କରାଯାଏ । ଦେବୀ ସୁଭଦ୍ରାଙ୍କ ଠାରୁ ଦୁର୍ଗାଦେବୀ ଆଜ୍ଞାମାଳ ପାଆନ୍ତି । ତାହା ପରେ ଦେବୀଙ୍କୁ ନେଇ ଗୁରୁବାର ମାଜଣା ମଣ୍ଡପ ବା ସୋମନାଥ ମଣ୍ଡପ ଖଟରେ ବିଜେ କରାଯାଏ । ସେଠାରେ ତାଙ୍କର ସହସ୍ରକୁମ୍ଭାଭିଷେକ କରାଯାଏ । ବେଶ, ଭୋଗ, ମଣୋହି ଓ ବନ୍ଦାପନା ଆଦି ପରେ, ତାଙ୍କୁ ବାହୁଡ଼ା ବିଜେ କରି ଭଣ୍ଡାରଘରକୁ ଅଣାଯାଏ । ତାହା ପରେ, ରତ୍ନସିଂହାସନରୁ ମାଧବଙ୍କୁ ଆଣି ଦୁର୍ଗା ବସିଥିବା ପ୍ରଭା ଆସନରେ ବିଜେ କରାଯାଏ । ଦୁର୍ଗା ଓ ମାଧବ ଗୋଟିଏ ଆସନରେ ଅବସ୍ଥାନ କରନ୍ତି । ଏହିପରି ଭାବରେ, ଦୁର୍ଗା-ମାଧବ ଷୋଡ଼ଶ ଦିନ ଧରି ସ୍ୱତନ୍ତ୍ର ବିଧିରେ ପୂଜା ହୁଅନ୍ତି ।