ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ବିଶେଷ ଅବଦାନ ଓ ସମ୍ମାନ ଲାଭ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅନୁରୂପ ଭାବରେ ଆହୁରି ଅନେକ ବିଶିଷ୍ଟ ତଥା ଖ୍ୟାତନାମା ସାହିତ୍ୟସାଧକମାନଙ୍କୁ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି। କଳିଙ୍ଗ ଯୁଦ୍ଧର କାହାଣୀ ଉପରେ ଆଧାରିତ ଗାୟତ୍ରୀବାଳାଙ୍କ କବିତା ସଂକଳନ ‘ଦୟାନଦୀ’ ୨୦୧୭ମସିହାରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ଓ ଏହାର ହିନ୍ଦୀ ଅନୁବାଦ ରାଜକମଲ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଇବା ପରେ ଏହା ଜାତୀୟସ୍ତରର ସାହତ୍ୟିକଙ୍କ ମଧ୍ୟରେ ବେଶ୍ ଆଦୃତି ଲାଭ କରିଛି। ୨୦୨୨ ମସିହାରେ ‘ଦୟାନଦୀ’କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଛି। ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ୱିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ଟାଇମ୍ ପାସ୍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, ‘ରାଇଟର୍ସ-ଇନ୍-ରେସିଡେନ୍ସ’ ଆଟ୍ ରାଷ୍ଟ୍ରପତି ଭବନ-୨୦୧୫, ସତ୍ୟବାଦୀ ସାହିତ୍ୟ ସମ୍ମାନ ସହ ଦୁଇଦୁଇଥର ଟାଇମ୍ସ ପାୱାର ୱିମେନ୍ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହି ଉତ୍ସବରେ ଜୟଦେବ ପୁରସ୍କାରରେ ସମ୍ମାନିତ ପ୍ରଣବ ପଟ୍ଟନାୟକ, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅପୂର୍ବ ବୀର, ଡ. ରାଜେନ୍ଦ୍ର କିଶୋର ପଣ୍ଡା, ସୌଭାଗ୍ୟ କୁମାର ମିଶ୍ର, ଡ. ପ୍ରଫୁଲ ମହାନ୍ତି, ଡ. ରାମଚନ୍ଦ୍ର ବେହେରା, ଡ. ବଂଶୀଧର ଷଡ଼ଙ୍ଗୀ, ଗୌରହରି ଦାସ, କବୟତ୍ରୀ ଯଶୋଧରା ମିଶ୍ର, ଗାୟତ୍ରୀ ସରାଫ, ତରୁଣକାନ୍ତି ମିଶ୍ର, ଡ. ହୃଶିକେଷ ମଲ୍ଲିକ ଏବଂ ଡ. ଆଶୁତୋଷ ପରିଡ଼ା, ଘନଶ୍ୟାମ ମହାପାତ୍ର ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ