‘ଇଣ୍ଡିଆନ୍ ଆଇଡଲ୍-୧୪’ରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳଙ୍କ ଜଲଓ୍ବା । ସେ ଗୋଲ୍ଡେନ୍ ଟିକଟ ସହ ଶୋ’ରେ ଥିଏଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ବର୍ତମାନ ସେ ସାରା ଓଡ଼ିଶା ତଥା ଦେଶରେ ଏକ ଚର୍ଚ୍ଚିତ ଚେହେରା । ଡାକ୍ତର ରୋହନ ଲୋକପ୍ରିୟ ଚଳଚ୍ଚିତ୍ର ‘କବିର ସିଂ’ ର ଗୀତ ‘କୈସା ହୁଆ’ ଗାଇ ସମସ୍ତଙ୍କ ମନକୁ ଜିଣିବା ସହ ଆଚମ୍ବିତ କରି ଦେଇଥିଲେ । ଉପସ୍ଥିତ ବଲିଉଡର ୩ ଲୋକପ୍ରିୟ ସଂଗୀତ ବିଚାରକ ବିଶାଲ ଦଦଲାନି, କୁମାର ସାନୁ ଓ ଶ୍ରେୟା ଘୋଷାଲଙ୍କୁ ରୋହନଙ୍କର ପ୍ରଦର୍ଶନ ଏତେ ପ୍ରଭାବିତ କରିଥିଲା ଯେ ସେମାନେ ତାଙ୍କୁ ‘ଡାକ୍ତର ସିଙ୍ଗର’ ନାମରେ ନାମିତ କରିଥିଲେ କାରଣ ସେ ଜଣେ ଶିଶୁ ରୋଗ ଡାକ୍ତର । ରୋହନ ଜଣେ ଡାକ୍ତର ଥିବା ଶୁଣି ବିଚାରକ କୁମାର ସାନୁ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଡାକ୍ତର ହୋଇ ଗୀତ ଗାଇବା ସହଜ ନୁହେଁ । ଭୁବନେଶ୍ୱର ଖଣ୍ଡଗିରି ଅଂଚଳର ୨୩ ବର୍ଷୀୟ ଡାକ୍ତର ରୋହନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଶିଶୁ ରୋଗ ବିଭାଗରେ ହାଉସ୍ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି । ସେ କାମ କରିବା ସମୟରେ ବି ଗୀତ ଗାଇ ଶିଶୁମାନଙ୍କ ଚିକିତ୍ସା କରିଥାନ୍ତି ବୋଲି ଶୋ’ରେ କହିଥିଲେ । ବିଶେଷ କରି ପିଲାମାନଙ୍କୁ ସେ କୁମାର ସାନୁଙ୍କ ଗୀତ ଶୁଣାଇଥାନ୍ତି । ଶୋ’ରେ କୁମାର ସାନୁ ଉପସ୍ଥିତ ଥିବାରୁ ତାଙ୍କ ସହିତ ଭିଡିଓ କଲ୍ରେ ଲାଇଭ୍ ଯୋଡ଼ି ହୋଇଥିବା ହସ୍ପିଟାଲ୍ରେ ଚିକିତ୍ସାଧୀନ ଶିଶୁମାନେ ତାଙ୍କୁ ଗୀତ ଗାଇବାକୁ ଅନୁରୋଧ କରିଥିଲେ । ପରେ ପିଲାମାନଙ୍କ ଅନୁରୋଧ ରକ୍ଷା କରି କୁମାର ସାନୁ ମଂଚ ଉପରକୁ ଆସି ଗାଇଥିଲେ ‘ହମ୍କୋ ସିର୍ଫ୍ ତୁମ୍ ସେ ପ୍ୟାର ହୈ’ । ପରେ ଶ୍ରେୟା ଘୋଷାଲ କହିଥିଲେ ‘ପିଲେ ଆଜି ତୁମ ଡାକ୍ତର ଭାଇ ଯାହା ଗାଇଲେ, ତାହା ‘ହିଟ୍ ସେ ଭି ଜ୍ୟାଦା ହିଟ୍ ହୈ’ । ଡାକ୍ତର ରୋହନ କହିଛନ୍ତି ଡାକ୍ତରୀ ଶିକ୍ଷା ଏବଂ ସଂଗୀତ ଶିକ୍ଷା ଦୁଇଟି ଭିନ୍ନ ବିଷୟ ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ