ଆଉ ଦିନ କେଇଟା ପରେ ଶ୍ରୀପଞ୍ଚମୀ । ଅଧିଷ୍ଠିତ ହେବେ ମା’ ବାଗ୍ଦେବୀ । ମା’ଙ୍କୁ ପାଛୋଟି ଆଣିବାକୁ ଛାତ୍ରଛାତ୍ରୀ ଓ ସଙ୍ଗୀତ ସାଧକମାନେ ପ୍ରସ୍ତୁତ ହେଲେଣି । ମା’ଙ୍କ ଆଗମନ ପାଇଁ ମୂର୍ତ୍ତିକାରଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ଫୁଲ ବେପାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ସ୍ତରରେ ବ୍ୟସ୍ତ ।
ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ମୂର୍ତ୍ତିକାରମାନେ ଦିନରାତି ଏକ କରି ମା’ଙ୍କ ମୂର୍ତ୍ତି ଗଢ଼ୁଛନ୍ତି । ଏଥର ବଡ଼ମୂର୍ତ୍ତି ପାଇଁ ବହୁ ଜାଗାରୁ ବରାଦ ଆସି ଥିବାବେଳେ ୧ ଫୁଟ୍ରୁ ଆରମ୍ଭ କରି ୧୦ଫୁଟ୍ ଉଚ୍ଚତା ବିଶିଷ୍ଟ ମା’ଙ୍କ ମୂର୍ତ୍ତି ଉପଲବ୍ଧ ହେଉଛି । ଏହାର ଦର ୫୦ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । କୋଲ୍କାତାରୁ କାରିଗର ଆସି ମୂର୍ତ୍ତି ଗଢ଼ୁଥିବା ବେଳେ ବାଘୁଆ, ପିପିଲି ଓ ଉତ୍ତରା ଆଦିରୁ ମାଟି ଆଣି ମୂର୍ତ୍ତି ଗଢ଼ା ଯାଉଛି ।
ଧଳା ରଙ୍ଗ ମା’ ସରସ୍ବତୀଙ୍କ ପସନ୍ଦ ହୋଇଥିବାରୁ ରାଜଧାନୀର ବିଭିନ୍ନ ଫୁଲ ଦୋକାନରେ ଧଳା ସେବତୀ, ଧଳା ଗୋଲାପ, ଶ୍ବେତପଦ୍ମ ଓ ରଜନୀଗନ୍ଧା ଆଦି ଫୁଲରେ ଭର୍ତ୍ତି ହେଲାଣି । ବିଭିନ୍ନ ସ୍କୁଲ, କଲେଜ ପକ୍ଷରୁ ମଧ୍ୟ ପୂଜା ଦିନ ଧଳା ଫୁଲ ପାଇଁ ଆଗୁଆ ବରାଦ ଦିଆ ସରିଛି । ରଜନୀଗନ୍ଧା ଗଜରା ମାଳ ଛୋଟ ୧୫୦ଟଙ୍କା ରହିଥିବା ବେଳେ ବଡ଼ ମାଳ ୨୫୦ଟଙ୍କା ରହିଛି। ସେହିପରି ଧଳା ସେବତୀ ଗୋଟା ୧୦ରୁ ୨୦ ଟଙ୍କା, ଧଳା ଗୋଲାପ ୨୫ଟଙ୍କା ଓ ଶ୍ବେତପଦ୍ମ ଗୋଟା ୩୦ ଟଙ୍କା ରହିଛି। ଏବେ ଚାହିଦା ଥିବାରୁ ଫୁଲ ଦର ମଧ୍ୟ ୫ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ଛାତ୍ରଛାତ୍ରୀ ଓ କଳା ସାଧକଙ୍କ ପାଇଁ ବସନ୍ତ ପଞ୍ଚମୀର ଗୁରୁତ୍ବ ଅଧିକ । ପାଠପଢ଼ା ଆରମ୍ଭ କରିବାକୁ ଯାଉଥିବା ଓଡ଼ିଆ ଘରର କୁନିକୁନି ପିଲାମାନେ ଏହି ଦିନ ସିଲଟରେ ଖଡ଼ି ଛୁଆଁଇଥା’ନ୍ତି । କଳା ଜଗତ, ବିଶେଷକରି ସଂଗୀତ ସାଧନା କରୁଥିବା ଛାତ୍ରଛାତ୍ରୀମାନେ ମା’ଙ୍କୁ ଆବାହନ କରି ଆଶୀର୍ବାଦ ଭିକ୍ଷା କରିଥା’ନ୍ତି । ବ୍ରହ୍ମପୁତ୍ରୀ ସରସ୍ବତୀ ହେଉଛନ୍ତି ସଙ୍ଗୀତର ଦେବୀ, ବିଦ୍ୟାଦାତ୍ରୀ । ହିନ୍ଦୁ ଧର୍ମରେ ପ୍ରତିଟି ସଙ୍ଗୀତଜ୍ଞ ଏହି ଦିନ ମା’ଙ୍କୁ ଆରାଧନା କରିଥା’ନ୍ତି । କୁନି କୁନି ପିଲାମାନଙ୍କୁ ସିଲଟରେ ଏହି ଦିନ ଆମେ ସା ରେ ଗା ମା… ଲେଖାଇ ମା’ଙ୍କ ଚରଣରେ ଅର୍ପଣ କରିବା ସହ ସଙ୍ଗୀତର ସାତ ସୁର ଶିଖାଇଥାଉ । ସରସ୍ୱତୀ ଅର୍ଥ କଳାର ଅଧିଷ୍ଠାତ୍ରୀ ଦେବୀ । ଏହି ଦିନ କିଛି କଳାକାର ଗୀତ ଗାଇ ମଧ୍ୟ ମା’ଙ୍କୁ ଆରଧନା କରିଥା’ନ୍ତି । କଳା ପ୍ରତି ସମର୍ପଣ ଭାବ ହିଁ ମା’ଙ୍କ ପାଇଁ ମହାର୍ଘ୍ୟ ବୋଲି ବିବେଚନା କରାଯାଏ ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ