
କୋଲକାତାର ଆର୍ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ଘଟଣାର ପର୍ଦ୍ଦାଫାସ ହେଉଛି। ଏହି ମେଡିକାଲ କଲେଜର ପୂର୍ବତନ ଉପ ଅଧୀକ୍ଷକ ଅଖତର ଅଲି ଆଜି ଏକ ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି ଯେ କଲେଜର ପୂର୍ବତନ ଅଧ୍ୟକ୍ଷ ଡା ସନ୍ଦୀପ ଘୋଷ ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ ଯେଉଁଥିରେ ଦାବିଦାର ନଥିବା ମୃତଦେହ ବିକ୍ରି ମଧ୍ୟ ସାମିଲ ଥିଲା।
ଘୋଷ ବାଂଲାଦେଶକୁ ବାୟୋମେଡିକାଲ ବର୍ଜ୍ୟବସ୍ତୁ ଓ ଚିକିତ୍ସା ସାମଗ୍ରୀ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଦାବିଦାର ନଥିବା ମୃତଦେହଗୁଡ଼ିକୁ ବିକ୍ରି କରିବା ପାଇଁ ଘୋଷ ଏକ ରୢାକେଟ୍ ସଂଚାଳନ କରୁଥିଲେ ଏବଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ସଂଜୟ ରାୟ ମଧ୍ୟ ପୂର୍ବତନ ଅଧ୍ୟକ୍ଷଙ୍କ ସହଯୋଗୀ ଭାବେ କାମ କରୁଥିଲା ବୋଲି ଅଲି ଅଭିଯୋଗ କରିଛନ୍ତି। ବାଂଲାଦେଶକୁ ବର୍ଜ୍ୟବସ୍ତୁ ଓ ଚିକିତ୍ସା ସାମଗ୍ରୀ ଚୋରା ଚାଲାଣ ମାମଲାରେ ସନ୍ଦୀପ ଘୋଷଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।
ଦାବିଦାର ନଥିବା ମୃତଦେହକୁ ବିକି ଦେଉଥିଲେ
ଛାତ୍ରଙ୍କୁ ପାସ୍ କରିବା ପାଇଁ ବି ଲାଞ୍ଚ ନେଉଥିଲେ
ପ୍ରତି ଟେଣ୍ଡରରୁ ପାଉଥିଲେ ୨୦ ପ୍ରତିଶତ କମିସନ ନେଉଥିଲେ
୨୦୨୩ ପର୍ଯ୍ୟନ୍ତ ଆର୍ଜି କର ହସ୍ପିଟାଲରେ ଥିବା ଅଖତାର ଅଲି ଦାବି କରିଛନ୍ତି ଯେ ସେ ଏହି ବେଆଇନ କାର୍ଯ୍ୟକଳାପ ସଂକ୍ରାନ୍ତରେ ରାଜ୍ୟ ଭିଜିଲାନ୍ସ କମିସନଙ୍କୁ ଅବଗତ କରିଥିଲେ ଏବଂ ସେ ମଧ୍ୟ ଘୋଷଙ୍କ ବିରୋଧରେ ତଦନ୍ତ କମିଟିରେ ସମ୍ପୃକ୍ତ ଥିଲେ। ତେବେ ତଦନ୍ତରୁ ସେ ଦୋଷୀ ବୋଲି ଜଣାପଡ଼ିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ ଦାବି କରିଛନ୍ତି। ଅଲି ଦାବି କରିଛନ୍ତି ଯେ ସେ ଡାକ୍ତର ଘୋଷଙ୍କ ବିରୋଧରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ତଦନ୍ତ ରିପୋର୍ଟ ଦାଖଲ କରିବା ଦିନ ହିଁ ତାଙ୍କୁ ଆର୍ଜି କର ହସ୍ପିଟାଲରୁ ବଦଳି କରାଯାଇଥିଲା। କମିଟିରେ ଥିବା ଅନ୍ୟ ୨ ସଦସ୍ୟଙ୍କୁ ମଧ୍ୟ ବଦଳି କରାଯାଇଥିବା ସେ କହିଛନ୍ତି।
ସନ୍ଦୀପ ଘୋଷଙ୍କ ଇସ୍ତଫାର ମାତ୍ର କିଛି ଘଣ୍ଟା ମଧ୍ୟରେ କୋଲକାତା ମେଡିକାଲ କଲେଜରେ ତାଙ୍କୁ ସଦ୍ୟ ନିଯୁକ୍ତି ମିଳିଲା। କିନ୍ତୁ ହାଇକୋର୍ଟ ସରକାରଙ୍କୁ ଏଥିପାଇଁ ଭର୍ତ୍ସନା କରିବା ସହ ଘୋଷଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ପଠାଇ ଦେଇଛନ୍ତି। ଡାକ୍ତର ଘୋଷ ନାନା ଦୁର୍ନୀତିରେ ସମ୍ପୃକ୍ତ ଥିଲେ। ଛାତ୍ରମାନଙ୍କୁ ପାସ୍ କରିବାପାଇଁ ସେ ଲାଞ୍ଚ ନେଉଥିଲେ। ଟଙ୍କା ପାଇଁ ସେ କିଛି ଛାତ୍ରଙ୍କୁ ଜାଣିଶୁଣି ଫେଲ୍ କରାଇ ଦିଅନ୍ତି ବୋଲି ପୂର୍ବ ଉପ ଅଧୀକ୍ଷକ କହିଛନ୍ତି। ସେହିପରି ପ୍ରତି ଟେଣ୍ଡର ପିଛା ସେ ୨୦ ପ୍ରତିଶତ କମିସନ ନିଅନ୍ତି ବୋଲି ମଧ୍ୟ ଅଲି ଦାବି କରିଛନ୍ତି। ହସ୍ପିଟାଲର ସବୁ ଟେଣ୍ଡର ଡାକ୍ତର ଘୋଷ କେବଳ ୨ ଜଣଙ୍କୁ ଦିଅନ୍ତି ବୋଲି ସେ କହିଛନ୍ତି। ଡାକ୍ତର ସନ୍ଦୀପ ଘୋଷଙ୍କ ପ୍ରତି କ୍ଷମତାରେ ଥିବା ଅନେକ ଲୋକଙ୍କ ସମର୍ଥନ ଅଛି ବୋଲି ଅଲି ଦାବି କରିଛନ୍ତି। ଏଭଳି ବ୍ୟକ୍ତି ସମାଜ ପାଇଁ ବିପଦ ଏବଂ ତାଙ୍କୁ ତୁରନ୍ତ ହାଜତରେ ଭର୍ତ୍ତି କରିବା ଉଚିତ ବୋଲି ପୂର୍ବତନ ଉପ ଅଧିକ୍ଷକ କହିଛନ୍ତି।
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର