The Topmost

“The eyes believe themselves, the ears believe other people.”

ରାତି ୧୨ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି

ଦୁର୍ଗା ପୂଜା ପାଇଁ ଓଡ଼ିଶାର ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି । କାରିଗରମାନେ ମା’ଙ୍କ ମୂର୍ତ୍ତି ନିର୍ମାଣ, ପୂଜା ମଣ୍ଡପ  ନିର୍ମାଣରେ ବ୍ୟସ୍ତ ଅଛନ୍ତି । ସେହିପରି ଦୁର୍ଗାପୂଜା ଆୟୋଜକ କମିଟି ପ୍ରସ୍ତୁତ ଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାରମାନେ ଦିନରାତି ରିହରସଲ କରୁଛନ୍ତି । ଏଥର ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ୧୮୩ଟି ମୃଣ୍ମୟୀ ମୂର୍ତ୍ତି । ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି । ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ଟ୍ରାଫିକ୍ ନିୟନ୍ତ୍ରଣ ଓ ଆଇନ୍ ଶୃଙ୍ଖଳା । ପୂଜା ପାଇଁ ନିୟମକୁ ସାମାନ୍ୟ କୋହଳ କରାଯାଇଛି । ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିଛି । ଭସାଣ ବେଳେ ଭାଇବ୍ରେଟ୍ ମ୍ୟୁଜିକ ବ୍ୟବହାର ନକରିବାକୁ ଅନୁରୋଧ କରିଛନ୍ତି ପୁଲିସ କମିସନର ।

ସେହିପରି ବର୍ଷାରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ରାସ୍ତାଘାଟର ମରାମତି ଓ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ୫କୋଟି ୩୫ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ସହରରେ ହେଉଥିବା ପୂଜା ଓ ଭସାଣ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଲାଇସେନ୍ସ ପାଇବାରେ ସମସ୍ୟା ହେବ ନାହିଁ । ଡିସିପି ପ୍ରୀତିକ ସିଂହ କହିଛନ୍ତି, ଦୁର୍ଗାପୂଜା ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାତି ୧୨ଟା ସୁଦ୍ଧା ସାଂସ୍କୃତିକ କାର୍ଯ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହ ଭସାଣ ବେଳେ ଭାଇବ୍ରେଟ୍ ମ୍ୟୁଜିକ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ପୂଜାକୁ କିପରି କ୍ରାଇମ-ଫ୍ରି କରାଯିବ ସେନେଇ ମଧ୍ୟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ସହର, ରାଜ୍ୟ ଓ ରାଜ୍ୟ ବାହାରର ଅପରାଧୀଙ୍କ ଉପରେ ନଜର ରଖିବ ପୁଲିସ । ସନ୍ଦିଗ୍ଧ ଲୋକଙ୍କ ଉପରେ ପୋଲିସର ନଜର ରହିବାସହ ଚୋରି ରୋକିବାକୁ ଗଳି ଗଳିରେ ପୁଲିସ ପହରା ମାରିବ ।