The Topmost

“The eyes believe themselves, the ears believe other people.”

କୁକୁରର କେଶ ସଜାରୁ ମିଳୁଛି କୋଟି କୋଟି ଟଙ୍କା..

ଆଜିକାଲି ଆକର୍ଷଣୀୟ ଦେଖାଯିବା ଲାଗି ଉଭୟ ପୁରୁଷ ଓ ମହିଳା ନାନା ପ୍ରକାର ପ୍ରସାଧାନ ସାମଗ୍ରୀ ଓ ରୂପସଜ୍ଜା ଉପକରଣ ବ୍ୟବହାର କରିବା ଏକ ସାଧାରଣ ଘଟଣା ହୋଇଛି। ଚାହିଦା ଦୃଷ୍ଟିରୁ ସଂଖ୍ୟାଧିକ ରୂପସଜ୍ଜା କେନ୍ଦ୍ରମାନ ଗଢ଼ି ଉଠିଛି। ତେବେ ଆମେରିକାର ଗ୍ରାବିଏଲ୍‌ ଫିଟୋସା ନାମକ ଜଣେ ନାପିତ କେବଳ କୁକୁରମାନଙ୍କୁ ବିଭିନ୍ନ ରୂପରେ ସଜାଇ କୋଟିପତି ପାଲଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଫିଟୋସା ଜଣେ ସାଧାରଣ ଶ୍ବାନ ରୂପକାର ନୁହନ୍ତି। ତାଙ୍କ କେନ୍ଦ୍ରରୁ ବାହାରୁଥିବା କୁକୁରଗୁଡ଼ିକ ସବୁବେଳେ ଅନନ୍ୟ ହୋଇଥା’ନ୍ତି। ସେ ସବୁଠୁ ଆଜ୍ଞାଧୀନ କୁକୁରଗୁଡ଼ିକୁ ଜିରାଫ, ସିଂହ, ଚିତାବାଘ ଏବଂ ଏପରିକି କାର୍ଟୁନ୍‌ ଚରିତ୍ର ପୋକିମ୍ୟାନ୍‌ ପରି ସଜାଇ ଛାଡ଼ିଥା’ନ୍ତି। ତାଙ୍କ ସେଲୁନ୍‌ ଏବେ ତାଙ୍କ ପାଇଁ ଏକ ସ୍ବପ୍ନମହଲ ପାଲଟିଛି। ଦୁଇଟି କଇଁଚି ଓ ଗୋଟିଏ କ୍ଲିପର ଧରି ସେ ଯେତେବେଳେ ପ୍ରଥମେ କୁକୁରମାନଙ୍କ ରୂପବିନ୍ୟାସ ଆରମ୍ଭ କଲେ, ଏହି କାର୍ଯ୍ୟ ତାଙ୍କ ପେଟ ପୋଷିବା ପାଇଁ ପର୍ଯ୍ୟାପ୍ତ ହେବ ବୋଲି ସୁଦ୍ଧା ସେ କଳ୍ପନା କରିନଥିଲେ। ତେବେ ନିଜର ଦକ୍ଷତା ବଳରେ ସେ ଆଜି କୋଟିପତି ହୋଇପାରିଛନ୍ତି।

ପ୍ରତି କୁକୁରଙ୍କୁ ନୂଆ ରୂପ ଦେବାରେ ତାଙ୍କୁ ତିନିରୁ ଚାରି ଘଣ୍ଟା ଲାଗୁଥିବା ବେଳେ ସେଥିପାଇଁ ସେ ମାଲିକମାନଙ୍କ ଠାରୁ ୫୦୦ ଡଲାରରୁ ୧୨୦୦ ଡଲାର ଯାଏ ଦାବି କରିଥା’ନ୍ତି। କୁକୁରମାନଙ୍କର ଲୋମ କାଟିବା ଓ ରଙ୍ଗ ବୋଳିବା ଅବସରରେ ସେମାନଙ୍କୁ ଥୟ କରି ବସାଇବା ଲାଗି ସେମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ସେ ଦେଇଥା’ନ୍ତି। କୁକୁରଗୁଡ଼ିକ ଅବିକଳ ଅନ୍ୟ ପଶୁ ପରି ଦିଶିବା ଲାଗି ସେ ପ୍ରାକୃତିର ରଙ୍ଗ ମଧ୍ୟ ବ୍ୟବହାର କରିଥା’ନ୍ତି। ଯଦିଓ ପାଳିତ କୁକୁରମାନଙ୍କୁ ନୂଆ ରୂପ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ଫିଟୋସା ଅନୁଭବ କରନ୍ତି, ତେବେ ତାଙ୍କ କେନ୍ଦ୍ରରୁ ବାହାରୁଥିବା କୁକୁରଙ୍କ ନବକଳେବର ଦେଖି ସେମାନଙ୍କ ମାଲିକମାନଙ୍କ ମୁହଁରେ ଫୁଟୁଥିବା ହସ ହିଁ ତାଙ୍କୁ ଏ ଦିଗରେ ଉତ୍ସାହିତ କରିଚାଲିଛି। ଗତ ବର୍ଷ ସେ ଏହି ବ୍ୟବସାୟରୁ ଦଶ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା କହିଛନ୍ତି। ତାଙ୍କର ଏହି ବିଶେଷ କଳା ପାଇଁ ସାମାଜିକ ଗଣମାଧ୍ୟମ ଟିକ୍‌ଟକ୍‌ରେ ଏବେ ତାଙ୍କର ୨୦ ଲକ୍ଷ ଅନୁଗାମୀ ଓ ଇନ୍‌ଷ୍ଟାଗ୍ରାମରେ ୪ ଲକ୍ଷ ଅନୁଗାମୀ ରହିଛନ୍ତି।