ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ବ ହୃତପିଣ୍ଡ ଦିବସ ଭାବରେ ପାଳନ କରାଯାଏ। ଏହି ଅବସରରେ ବିଶ୍ବବ୍ୟାପୀ ଏହି ସମସ୍ୟା ନେଇ ସଚେତନତା ସୃଷ୍ଟି କରାଯାଏ ଏବଂ ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରାଯାଏ। ଚଳିତ ବର୍ଷ ହୃତ୍ପିଣ୍ଡ ଦିବସର ବିଷୟବସ୍ତୁ ହେଲା, ‘ହୃଦୟକୁ ବ୍ୟବହାର କରି ହୃଦୟ ବିଷୟରେ ଜାଣ’। ଏଥିପାଇଁ ଆତ୍ମନିରୀକ୍ଷଣ ସହିତ ଲକ୍ଷଣଗୁଡ଼ିକ ଚିହ୍ନିବା ଉଚିତ। ବର୍ତ୍ତମାନ ଯେଉଁଭଳି ଅସମୟରେ ମୃତ୍ୟୁ ସଂଖ୍ୟା ବଢୁଛି, େସଥିପାଇଁ ହୃତପିଣ୍ଡର ଉପଯୁକ୍ତ ଯତ୍ନ ପାଇଁ ହୃଦ୍ରୋଗର ୭ଟି ଲକ୍ଷଣ ବିଷୟରେ ଜାଣିବା ସହିତ ରକ୍ତଚାପ ଏବଂ କୋଲେଷ୍ଟ୍ରୋରାଲ ନିୟମିତ ଯାଞ୍ଚ କରିବା ଉଚିତ।
ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି: ପ୍ରତି ସପ୍ତାହରେ ଅନ୍ୟୂନ ୩୦ ମିନିଟ୍ ପାଇଁ ୪ରୁ୫ ଥର ବ୍ୟାୟାମ କରିବା ହୃତ୍ପିଣ୍ଡ ଏବଂ ଧମନୀର ସ୍ବାସ୍ଥ୍ୟ ପାଇଁ ସବୁଠାରୁ ଭଲ।
ରକ୍ତରେ ଅମ୍ଳଜାନ: ରକ୍ତରେ ୯୫ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅମ୍ଳଜାନ ରହିବା ଆବଶ୍ୟକ। ଅକ୍ସିମିଟର ନାମକ ସ୍ବତନ୍ତ୍ର ଡିଭାଇସ ଜରିଆରେ ଆଙ୍ଗୁଠି ଉପରେ କ୍ଲିପ୍ କରି ମପାଯାଏ। ୯୦ ପ୍ରତିଶତରୁ କମ ଅମ୍ଳଜାନ ଥିବା ଜଣାପଡ଼ିଲେ ଏହା ଶରୀର ପାଇଁ ଠିକ୍ ନୁହେଁ।
ଏଚ୍ବିଏ୧ସି ସଂଖ୍ୟା: ଏହି ରକ୍ତ ପରୀକ୍ଷା ଗ୍ଲୁକୋଜ ପରୀକ୍ଷା ଠାରୁ ଭିନ୍ନ ଅଟେ। ଏହା ରକ୍ତରେ ଶର୍କରାର ସ୍ତର ବିଷୟରେ ସୂଚନା ଦିଏ। ଯାହା ୪ରୁ ୫.୬ ପ୍ରତିଶତ ମଧ୍ୟରେ ରହିବା ଉଚିତ। ହୃଦ୍ରୋଗୀ ଏବଂ ମଧୁମେହ ରୋଗୀଙ୍କ ପାଇଁ ଏହି ପରୀକ୍ଷଣ ନିହାତି ଆବଶ୍ୟକ। ସାଧାରଣ ସ୍ତର ଠାରୁ ଅଧିକ ଶର୍କରା ରହିବା ଏହି ଦୁଇ ରୋଗ ପାଇଁ ବିପଜ୍ଜନକ।
କୋଲେଷ୍ଟେରୋଲ ସ୍ତର: କୋଲେଷ୍ଟେରୋଲ ହେଉଛି ଚର୍ବିଯୁକ୍ତ ପଦାର୍ଥ। ଏହା ଧମନୀରେ ଜମା ହୋଇ ଧମନୀକୁ ସଂକୀର୍ଣ୍ଣ କରିଦିଏ ଏବଂ ହୃଦ୍ରୋଗର ଆଶଙ୍କା ବୃଦ୍ଧି କରିଥାଏ। କୋଲେଷ୍ଟେରୋଲ ପରୀକ୍ଷଣ ବେଳେ ଏଲଡିଏଲ(ଖରାପ) ଏବଂ ଏଚଡିଏଲ(ଭଲ) କୋଲେଷ୍ଟେରୋଲ ସ୍ତର ଜାଣିବା ଗୁରୁତ୍ବପୂର୍ଣ୍ଣ ଅଟେ। ଏହା ହୃଦ୍ରୋଗର ସମସ୍ୟାକୁ ସୂଚାଇ ଥାଏ।
ବିଏମ୍ଆଇ: ଏହା ଶରୀରର ଉଚ୍ଚତା ଅନୁଯାୟୀ ଓଜନର ପରିମାପକ। ଏଥିପାଇଁ ନିୟମିତ ଭାବରେ କିଲୋଗ୍ରାମରେ ଓଜନ ଏବଂ ସେଣ୍ଟିମିଟରରେ ଉଚ୍ଚତା ମାପିବା ଉଚିତ। ସୁସ୍ଥ ଶରୀରର ପରିମାପକ ବା ବିଏମଆଇ ୧୮.୧୮.୫-୨୪.୯ ପରିସର ମଧ୍ୟରେ ରହିବା ଉଚିତ। ଏହା ୨୫ରୁ ଅଧିକ ରହିଲେ ଓଜନଭାର ଅଧିକ ହେଲା ବୋଲି ବିଚାର କରିବାକୁ ହେବ ଏବଂ ସତର୍କ ରହିବା ଉଚିତ। ଅଣ୍ଟା ପରିଧି: ତଳି ପେଟ ବା ଉଦର ଚତୁଃପାର୍ଶ୍ବରେ ଅଧିକ ଚର୍ବି ବଢିଥିଲେ ଏହାକୁ ଭିସେରାଲ ଫ୍ୟାଟ କୁହାଯାଏ। ଏଥିପାଇଁ ହୃଦରୋଗ ସହିତ ଓଜନ ବୃଦ୍ଧିର ଆଶଙ୍କା ଥାଏ।
ବିଶ୍ରାମ ସମୟରେ ହୃତ୍ପିଣ୍ଡର ସ୍ପନ୍ଦନ: ବିଶ୍ରାମ ବେଳେ ଗୋଟିଏ ମିନିଟ୍ରେ ହୃତପିଣ୍ଡ ଯେତେ ଥର ସ୍ପନ୍ଦନ କରେ ଏହାକୁ ହିଁ ବିଶ୍ରାମ ବେଳର ହୃଦସ୍ପନ୍ଦନ କୁହାଯାଏ। ଚାପ କିମ୍ବା ମାତ୍ରାଧିକ ପରିଶ୍ରମ କଲେ ହୃଦସ୍ପନ୍ଦନର ବେଗ ଅଧିକ ହୋଇଥାଏ। ହୃତପିଣ୍ଡ ଜନିତ ସମସ୍ୟା ଯୋଗୁଁ ମଧ୍ୟ ଏହା ହୋଇଥାଏ। ବିଶ୍ରାମ ସମୟରେ ହୃଦସ୍ପନ୍ଦନ ପ୍ରତି ନିୟମିତ ଦୃଷ୍ଟି ଦିଆଗଲେ ଏକ ବଡ଼ ବିପଦର ନିରାକରଣ ସମ୍ଭବ ହୋଇପାରିବ। ପାରିବାରିକ ଇତିହାସ ମଧ୍ୟ ହୃଦ୍ରୋଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ହୃତପିଣ୍ଡକୁ ଭଲଭାବରେ ଜାଣିଲେ ସେହି ଅନୁଯାୟୀ ଜୀବନ ଶୈଳୀର ପାଳନ କରିବେ। ଖାଦ୍ୟ ଏବଂ ସ୍ବାସ୍ଥ୍ୟସେବା ନିଆଯାଇ ପାରିବ। ହୃତପିଣ୍ଡର ସ୍ବାସ୍ଥ୍ୟ ବିଷୟରେ ଆଲୋଚନା ବେଳେ ମନେ ରଖିବାକୁ ହେବ ଯେ ପ୍ରତିରୋଧକ ଦ୍ବାରା ହିଁ ଏହାର ନିରାକରଣ ସମ୍ଭବ। ଏଥିପାଇଁ ବିପଦର କାରଣଗୁଡ଼ିକ ପ୍ରାଥମିକ ପର୍ଯ୍ୟାୟରୁ ହିଁ ଚିହ୍ନଟ କରାଯାଇ ଉପଯୁକ୍ତ ଭାବରେ ନିରାକରଣ କରାଯାଇ ପାରିବ।
-ଡା. ରମାକାନ୍ତ ପଣ୍ଡା
ହୃତ୍ପିଣ୍ଡ ଶଲ୍ୟ ଚିକିତ୍ସକ ଏବଂ ଅଧ୍ୟକ୍ଷ, ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ୍, ମୁମ୍ବାଇ
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି