୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି ଏବଂ ଫେବ୍ରୁଆରି ୮ତାରିଖରେ ଭୋଟ୍ ଗଣତି ହେବ। ଏହି ନିର୍ବାଚନରେ ଶାସକ ଆମ୍ ଆଦ୍ମୀ ପାର୍ଟି (ଆପ୍), ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଥିବା ବେଳେ ମତଦାନ ସରିବା ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ଏକ୍ଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ପ୍ରକାଶ ପାଇଛି। ୨୭ ବର୍ଷ ପରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଅନେକ ସଂସ୍ଥା ସେମାନଙ୍କ ଏକ୍ଜଟି ପୋଲରେ ପୂର୍ବାନୁମାନ କରିଛନ୍ତି। ବିଜେପି ୫୧ରୁ ୬୦ ଆସନ ପାଇବ ପିପୁଲ୍ସ ପଲ୍ସ ଆକଳନ କରିଥିବା ବେଳେ ମାଇଣ୍ଡ୍ ବ୍ରିଙ୍କ୍ ଆପ୍କୁ ୪୪ରୁ ୪୯ ଆସନ ଦେଇଛି। ୱି ପ୍ରିଜାଇଡ୍ ମଧ୍ୟ ଆପ୍ ୪୬ରୁ ୫୨ ଆସନ ପାଇବ ବୋଲି ଆକଳନ କରିଛି। ତେବେ ୬ଟି ସଂସ୍ଥା ବିଜେପି ସହଜରେ ମ୍ୟାଜିକ୍ ନମ୍ବର(୩୬) ହାସଲ କରିବାରେ ସକ୍ଷମ ହେବ ବୋଲି ଦର୍ଶାଇଛନ୍ତି। ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୨୦ରୁ କମ୍ ଆସନ ପାଇପାରେ ବୋଲି ଦୁଇଟି ସଂସ୍ଥା ଆକଳନ କରିଛନ୍ତି। କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିବ ବୋଲି ସମସ୍ତ ସଂସ୍ଥା ଦର୍ଶାଇଛନ୍ତି। ବିଭିନ୍ନ ସଂସ୍ଥାର ଆକଳନ ଆଧାରରେ ଏନ୍ଡିଟିଭି ପ୍ରକାଶ କରିଥିବା ‘ପୋଲ୍ ଅଫ୍ ଦି ପୋଲ୍ସ’ ଅନୁଯାୟୀ ଆପ୍ ୩୦, ବିଜେପି ୩୯ ଏବଂ କଂଗ୍ରେସକୁ ୧ ଆସନ ମିଳିବ।
ଚାଣକ୍ୟ ଷ୍ଟ୍ରାଟେଜି, ଡିଭି ରିସର୍ଚ୍ଚ, ଜେଭିସି, ମାଟ୍ରିଜ୍, ପି ମାର୍କ, ପିପୁଲ୍ସ ଇନ୍ସାଇଟ୍, ପୋଲ ଡାଏରୀ ଭଳି ସଂସ୍ଥା ଏକ୍ଜଟି ପୋଲ୍ରେ ବିଜେପିର ବଡ଼ ବିଜୟ ହେବ ବୋଲି ପୂର୍ବାନୁମାନ କରିଛନ୍ତି। ଏହି ନିର୍ବାଚନରେ ବିଜେପି ୩୯ରୁ ୪୯ଟି ଆସନରେ ଜିତିପାରିବ ବୋଲି ଅଧିକାଂଶ ସଂସ୍ଥା ଆକଳନ କରିଥିବାରୁ ଏଥର ଆପ୍ର ବିଦାୟ ନିଶ୍ଚିତ ବୋଲି ବିଜେପି ନେତାମାନେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଆପ୍ ଏକ୍ଜିଟ୍ ପୋଲ୍ ଆକଳନକୁ ପ୍ରତ୍ୟାଖ୍ୟାନ କରିଛି। ଆପ୍ ୨୧ରୁ ୧୧ଟି ଆସନରେ ସୀମିତ ରହିବ ବୋଲି ଅଧିକାଂଶ ପୋଲ୍ ଦର୍ଶାଇଥିବା ବେଳେ କଂଗ୍ରେସକୁ ୦ ରୁ ୧ଟି ଆସନ ମିଳିପାରେ ବୋଲି କୁହାଯାଇଛି। ତେବେ ମାଟ୍ରିଜ୍ ତା’ର ଏକଜିଟ୍ ପୋଲ୍ରେ ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ପୂର୍ବାନୁମାନ କରିଛି। ଗତ ତିନୋଟି ନିର୍ବାଚନକୁ ଦେଖିଲେ ଏକ୍ଜିଟ ପୋଲ୍ ଆମ୍ ଆଦମୀ ପାର୍ଟି (ଆପ୍)ର ପ୍ରକୃତ ଶକ୍ତି ଆକଳନ କରିବାରେ ବିଫଳ ହୋଇଛି। ୨୦୧୩ ନିର୍ବାଚନରେ ଏକଜିଟ୍ ପୋଲ୍ରେ ତ୍ରିଶଙ୍କୁ ବିଧାନସଭାର ସଠିକ୍ ପୂର୍ବାନୁମାନ କରାଯାଇଥିଲା। ତେବେ ୨୦୧୫ ଓ ୨୦୨୦ ନିର୍ବାଚନରେ ଆପ୍ ବିପୁଳ ବିଜୟ ହାସଲ କରିଥିବା ବେଳେ ଏହାର ସଠିକ୍ ପୂର୍ବାନୁମାନ କରିବାରେ ଏକ୍ଜିଟ ପୋଲ୍ ବିଫଳ ହୋଇଥିଲା।
ଚଳିତ ଏକ୍ଜିଟ ପୋଲ ଆକଳନ ଯଦି ସଠିକ୍ ସାବ୍ୟସ୍ତ ହୁଏ ତା’ହେଲେ ବିଜେପି ଦୁଇ ଦଶନ୍ଧି ପରେ କ୍ଷମତାକୁ ଫେରିବ। ଅନ୍ୟପକ୍ଷରେ ୧୨ ବର୍ଷ ଧରି କ୍ଷମତାରୁ ବଞ୍ଚିତ ଥିବା କଂଗ୍ରେସ ପାଇଁ ଏଥର ପୂର୍ବାନୁମାନ ଆଦୌ ସପକ୍ଷରେ ନାହିଁ। କଂଗ୍ରେସ ଏଥର ଟିକେଟ୍ ବଣ୍ଟନ ଓ ପ୍ରାର୍ଥୀଙ୍କୁ ନେଇ ସତର୍କତା ଅବଲମ୍ବନ କରିଥିଲେ ମଧ୍ୟ ଦଳର ସାଂଗଠନିକ ଦୁର୍ବଳତା ସମସ୍ୟା ସୃଷ୍ଟି କରିଥିଲା। ଗତ ଦୁଇଟି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଆପ୍ ନିଜର ସଫଳତା ଦୋହରାଇବା ପାଇଁ ମାଗଣା ଯୋଜନା ଉପରେ ବିଶେଷ ନିର୍ଭର କରିଥିବା ବେଳେ ଏହାକୁ ଟକ୍କର ଦେଇ ବିଜେପି ମଧ୍ୟ ଅନେକ ମାଗଣା ଯୋଜନାର ପ୍ରତିଶ୍ରୁତି ଦେଇଥିଲା ଏବଂ କୌଣସି କଲ୍ୟାଣକାରୀ ଯୋଜନା ବନ୍ଦ ହେବନାହିଁ ବୋଲି ଘୋଷଣା କରିଥିଲା।
More Stories
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ
ନିର୍ବାଚିତ ହେବେ ନୂଆ ଇଲେକ୍ସନ୍ କମିସନର୍
ମୋହନଙ୍କ ପେଡିରୁ କାହାକୁ ମିଳିଲା କେତେ