ବିଜୁ ଜନତା ଦଳ ଆସନ୍ତା ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏଥି ପାଇଁ ଡକାଯାଇଥିବା ପ୍ରସ୍ତୁତି ବୈଠକରେ ଦଳୀୟ କର୍ମୀମାନେ ହଙ୍ଗାମା କରିଛନ୍ତି। ଅପରାହ୍ନରେ ‘ଶଙ୍ଖ ଭବନ’ରେ ଦୁଇ ଜଣ କାଉନ୍ସିଲରଙ୍କୁ ବିରୋଧ କରି ଅନ୍ୟ କାଉନ୍ସିଲର ଓ କର୍ମକର୍ତ୍ତାମାନେ ବୈଠକରୁ ଉଠି ଆସି ହୋ-ହଲ୍ଲା କରିଛନ୍ତି।
ସୂଚନାଯୋଗ୍ୟ, କମିସନରେଟ୍ ପୁଲିସ ଅଧୀନ ଭରତପୁର ଥାନାରେ ଗତ ୧୫ ତାରିଖ ରାତି ସେନାବାହିନୀର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହୋଇଥିବା ଦୁର୍ବ୍ୟବହାର ମାମଲାରେ ବିଜେଡି ଆସନ୍ତା ୨୪ ତାରିଖ ଦିନ ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଜାରି ରହିବ। ଆନ୍ଦୋଳନ ପୂର୍ବରୁ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ଭୁବନେଶ୍ୱରର ୩ ନିର୍ବାଚନମଣ୍ଡଳୀର ସଙ୍ଗଠକ ଓ ସମସ୍ତ କାଉନ୍ସିଲର ଯୋଗଦେଇଥିଲେ। ଏଥିରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ମଧ୍ୟ ଉପସ୍ଥିତ ରହିଥିଲେ।
ତେବେ ବୈଠକ ଆରମ୍ଭ ହେବା ପୂର୍ବରୁ ବିଶୃଙ୍ଖଳା ପରିସ୍ଥିତି ଦେଖାଯାଇଥିଲା। ବିଜେଡି କାଉନ୍ସିଲର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନାଙ୍କୁ ଅନ୍ୟ କାଉନ୍ସିଲରମାନେ ତୀବ୍ର ବିରୋଧ କରିଥିଲେ। ଦଳ ବିରୋଧରେ କାମ କରୁଥିବା ଅଭିଯୋଗ ଆଣି ଏହି ଦୁଇ କର୍ପୋରେଟରଙ୍କୁ ବିରୋଧ କରି ଅନ୍ୟ କର୍ପୋରେଟରମାନେ ବୈଠକକୁ ବର୍ଜନ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ବୈଠକରେ ହୋ-ହଲ୍ଲା ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଓ ବିଧାୟକ ଅରୁଣ ସାହୁଙ୍କୁ ଘଟଣାର ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଉଭୟ ନେତା ବୈଠକରୁ ଉଠି ଆସିଥିବା କାଉନ୍ସିଲରଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି