ରାଜ୍ୟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସଂପ୍ରସାରଣ ହେବ। ପ୍ରାୟ ୯ଶହ ସ୍ବାସ୍ଥ୍ୟାନୁଷ୍ଠାନକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପରିବର୍ତ୍ତନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ହେଲେ ଏହି ପର୍ଯ୍ୟାୟରେ ସମସ୍ତ ସ୍ବାସ୍ଥ୍ୟାନୁଷ୍ଠାନ ଏଲୋପାଥି ହୋଇଥିବା ବେଳେ ଆୟୁଷର ଗୋଟିଏ ହେଲେ ସ୍ବାସ୍ଥ୍ୟାନୁଷ୍ଠାନର ସ୍ଥାନ ନାହିଁ। ଯଦିଓ ଏ ସଂପର୍କିତ ବିଜ୍ଞପ୍ତି ଜାରି ହୋଇନାହିଁ ତେବେ ନିକଟରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟରେ ଆୟୁଷକୁ ଅବହେଳା କରାଯାଉଥିବା ନେଇ ଅଭିଯୋଗ ହୋଇଛି।
ରାଜ୍ୟର ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲିବା ନେଇ ଯୋଜନା କରାଯାଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଥିଲେ। ସବ୍ ସେଣ୍ଟରରେ ଏହାକୁ ଖୋଲାଯିବା ସହ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଆରୋଗ୍ୟ ମନ୍ଦିରରେ ଜଣେ ଲେଖାଏଁ ଯୋଗ ଶିକ୍ଷକ, ସ୍ବାସ୍ଥ୍ୟକର୍ମୀ, ଏଏନ୍ଏମ୍ ଓ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯିବ। ଯାହାଫଳରେ ଗ୍ରାମାଞ୍ଚଳରେ ଥିବା ଲୋକମାନେ ଏଥିରେ ବିଶେଷଭାବେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସମାନ କଥା ଦୋହରାଇଥିଲେ। ତେଣୁ ଉଭୟ ଏଲୋପାଥି ଓ ଆୟୁଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଭାବେ ସ୍ବାସ୍ଥ୍ୟାନୁଷ୍ଠାନକୁ ଅପଗ୍ରେଡ୍ କରିବା ନେଇ ଆଶା କରାଯାଉଥିଲା।
ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲିବା ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟର କିଛି ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ତେବେ ଏହି ବୈଠକରେ ଏକପାଖିଆ ଭାବେ କେବଳ ଏଲୋପାଥି ସ୍ବାସ୍ଥ୍ୟକେନ୍ଦ୍ରକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପରିଣତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଛି। କିଛି ସବ୍ ସେଣ୍ଟର ଓ ଉନ୍ନତ ପିଏଚ୍ସିରେ ଏହାକୁ ପ୍ରତିଷ୍ଠା କରିବା ଲାଗି ଯୋଜନା କରାଯାଇଛି। ବିଭାଗର ବରିଷ୍ଠ ଅଧିକାରୀଙ୍କ ଯୁକ୍ତି ହେଉଛି ତୃଣମୂଳସ୍ତରରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନରେ ଅନେକ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି। ତେଣୁ ସିଧାସଳଖ ଏଲୋପାଥି ଡାକ୍ତରଖାନାରେ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଗଲେ ଭଲ ବୋଲି ଅଧିକାରୀମାନେ ଚିନ୍ତା କରିଛନ୍ତି।
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା