ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ଏହି ରୋବୋଟ ଦ୍ୱାରା ନିର୍ଭୁଲ ଭାବେ ଅସ୍ତ୍ରୋପଚାର ହୋଇପାରୁଛି ଏବଂ ଗତ ୬ ସପ୍ତାହ ମଧ୍ୟରେ ହସ୍ପିଟାଲ୍ରେ ଏଭଳି ୪୦ ଟି ଅସ୍ତ୍ରୋପଚାର ହୋଇ ସାରିଛି ବୋଲି ଏହାର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଅନିରୁଦ୍ଧ ଦାଶ କହିଛନ୍ତି । ଏହି ସ୍ୱୟଂଚାଳିତ ଆକ୍ଟିଭ୍ କ୍ୟୁଭିସ୍ ରୋବୋଟିକ ସିଷ୍ଟମ୍ର ଶୁଭାରମ୍ଭ ଶୁକ୍ରବାର ହୋଇଥିଲା । ଏହି ଅବସରରେ ଡକ୍ଟର ଦାଶ କହିଥିଲେ ଯେ ଏହି ରୋବୋଟ ଦ୍ୱାରା ଉନ୍ନତ ମାନର ଏବଂ ସଠିକତାର ସହ ଅସ୍ତ୍ରୋପଚାର ହୋଇପାରୁଛି । ଏହାକୁ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ବିଶ୍ୱର ପ୍ରଥମ ସଂପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ସିଷ୍ଟମ ବୋଲି କୁହାଯାଇଛି । ଏହି ଉପାୟରେ ଅସ୍ତ୍ରୋପଚାର କଲେ ଏହା ଏକ କ୍ଷୁଦ୍ର କ୍ଷତ ମାଧ୍ୟମରେ ଚିକିତ୍ସା କରେ, ଅଧିକ ନମନୀୟତା ପ୍ରଦାନ କରେ ଏବଂ ସଂକ୍ରମଣର ଆଶଙ୍କାକୁ ହ୍ରାସ କରେ ବୋଲି ସେ କହିଥିଲେ । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଓଡିଶାର ପ୍ରଥମ ହସ୍ପିଟାଲ୍ ଭାବେ ଏଭଳି ଅସ୍ତ୍ରୋପଚାର ପାଇଁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ କରିଛି ବୋଲି ପ୍ରଫେସର ଦାଶ କହିଥିଲେ । ଏହି ରୋବୋଟ ଦକ୍ଷିଣ କୋରିଆର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କର ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ ଡାକ୍ତର ସଚିଦାନନ୍ଦ ମହାନ୍ତି, ଖୋର୍ଦ୍ଧାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଆର୍ତବନ୍ଧୁ ନାୟକ, ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ଏହି ରୋବୋଟ ନିମନ୍ତେ ମାର୍କେଟିଂ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଡାକ୍ତର ନାୟକ କହିଥିଲେ ଯେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଉନ୍ନତି କରୁଛି ଏବଂ ଏହି ଶିକ୍ଷାନୁଷ୍ଠାନକୁ ନେଇ ରାଜ୍ୟ ଗର୍ବିତ । ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ଏହି ଜ୍ଞାନକୌଶଳର ବ୍ୟବହାର ଏକ ବଡ଼ ସଫଳତା । ହସ୍ପିଟାଲ୍ ପକ୍ଷରୁ ଏକ ମଦର ରୋବୋଟ ମଧ୍ୟ ଅଣାଯିବାର ବ୍ୟବସ୍ଥା ହେଉଛି ଯାହାକି ଅନ୍ୟାନ୍ୟ ବିଭାଗର ଅସ୍ତ୍ରୋପଚାରରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ । ଶେଷରେ ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଡଃ ସତ୍ୟ ପ୍ରସନ୍ନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍