The Topmost

“The eyes believe themselves, the ears believe other people.”

୬୫ କୋଟି ଟଙ୍କାରେ ହେଲା ଇଏସଆଇସି ଡାକ୍ତରଖାନା

ଅନୁଗୋଳରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଛି, ଏବେ ୬୫ କୋଟି ଟଙ୍କାରେ ଇଏସଆଇସି ଡାକ୍ତରଖାନା କରାଯାଇଛି। କେନ୍ଦ୍ରରୁ ଟଙ୍କା ଆଣି ଏ ଅଞ୍ଚଳର ଉନ୍ନତି ପାଇଁ ଲାଗି ପଡ଼ିଛନ୍ତି। ଏହି ମାଟି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା କରିଛନ୍ତି, ତାଙ୍କୁ ପ୍ରଶଂସା ନ କଲେ ମତେ ପାପ ଲାଗିବ। କେନ୍ଦ୍ରମନ୍ତ୍ରୀଙ୍କୁ ଏପରି ଖୋଲାଖୋଲି ଭାବେ ପ୍ରଶଂସା କରିଛନ୍ତି ଢେଙ୍କାନାଳ ବିଜେଡି ସାଂସଦ ମହେଶ ସାହୁ। କେବଳ ଏତିକି ନୁହେଁ, ପରୋକ୍ଷରେ ନିଜ ଦଳର ଦୁଇ ନେତାଙ୍କୁ ମଜାଳିଆ ଢଙ୍ଗରେ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି।

ଅନୁଗୋଳ ଜିଲ୍ଲା ବଳରାମପ୍ରସାଦଠାରେ ବୁଧବାର ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇସି ହସ୍ପିଟାଲ୍‌ ଲୋକାର୍ପିତ ହୋଇଛି। ମେଡିକାଲ୍‌ ଉଦ୍‌ଘାଟନ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କର ଭାଷଣ ଦେବା କାର୍ଯ୍ୟସୂଚୀରେ ନଥିଲା। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରି ସେ ଧନ୍ୟବାଦ ଭାଷଣ ଦେବା ପାଇଁ ଚାହିଁଥିଲେ। ଧନ୍ୟବାଦ ଦେବା ଅବସରରେ ମହେଶ ସାହୁ ତାଙ୍କ ଭାଷଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାମେଶ୍ୱର ତେଲିଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଏ ମାଟି ପାଇଁ ଯାହା କରିଛନ୍ତି, ତାକୁ କେହି କହୁ ନାହାନ୍ତି ବୋଲି କହିବା ସହ ତାଙ୍କ ପାଇଁ ଏଠି କ’ଣ କ’ଣ ବିକାଶ ହୋଇଛି ତା’ର ଲାମ୍ବା ଚିଠା ଦେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟରୁ କୋଟା ବ୍ୟବସ୍ଥା ଉଠାଇବା ଧର୍ମେନ୍ଦ୍ରଙ୍କ ଏକ ଐତିହାସିକ ନିଷ୍ପତ୍ତି। ସେଥିପାଇଁ ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ ବୋଲି ଶ୍ରୀ ସାହୁ କହିଥିଲେ।

ସେ ଆହୁରି କହିଥିଲେ, ସାରା ଓଡ଼ିଶାର ଅର୍ଦ୍ଧାଧିକ ଲୋକ ତେଲ ଟିକିଏ ପକାଇବା ପାଇଁ ହଇରାଣ ହେଉଥିଲେ। ଢେଙ୍କାନାଳ ଜିଲ୍ଲା ସଦାଶିବପୁରଠାରେ ତେଲ ଡିପୋକୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିବା ବେଳେ ଧର୍ମପଦ ଭଳି ଏହାର ମୁଣ୍ଡି ମାରିଥିଲେ ମନ୍ତ୍ରୀ ରାମେଶ୍ଵର ତେଲି। ଯାହାଫଳରେ ଓଡ଼ିଶାବାସୀ ତେଲ ପାଇଁ ଆଉ ହଇରାଣ ହେଉନାହାନ୍ତି। ଏବେ ୬୫ କୋଟି ଟଙ୍କା ଖର୍ଚ୍ଚ କରି ଇଏସଆଇସି ଡାକ୍ତରଖାନା କରାଯାଇଛି। ଯେଉଁଥିରେ ରାଜ୍ୟ ସରକାରଙ୍କର ସହଯୋଗ ଥାଇପାରେ, କିନ୍ତୁ କେନ୍ଦ୍ର ସରକାର ଶତ ପ୍ରତିଶତ ନିଜସ୍ୱ ଖର୍ଚ୍ଚରେ ଏତେ ବଡ଼ ଡାକ୍ତରଖାନା କରିଛନ୍ତି। ଜିଲ୍ଲାରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି। ଏଥିରୁ ଜିଲ୍ଲାବାସୀ ଉପକୃତ ହେବେ ବୋଲି ମହେଶ କହିଥିଲେ।ଆହୁରି ପଢ଼ନ୍ତୁ

ମହେଶଙ୍କ ଏମିତି ପ୍ରଶଂସା ଶୁଣି ଅନ୍ୟମାନେ ଚକିତ ହୋଇ ଯାଇଥିଲେ। ଏତିକିରେ ରହି ନ ଯାଇ ମହେଶ ସାହୁ ପରୋକ୍ଷରେ ନିଜ ଦଳର ଦୁଇ ନେତାଙ୍କୁ ସମାଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସଭାକୁ ଆସିନଥିବା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଓ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ ଉଦ୍ଦେଶ୍ୟରେ କଟାକ୍ଷ କରି ସେ କହିଥିଲେ, ବୋଧ ହୁଏ କରୋନା ଆକ୍ରାନ୍ତ ହୋଇଥିବାରୁ ସେମାନେ ସଭାକୁ ଆସି ପାରି ନାହାନ୍ତି।

ମହେଶ ସାହୁଙ୍କ ଏପରି ବକ୍ତବ୍ୟ ପରେ ବିଭିନ୍ନ ମହଲରେ ଭିନ୍ନ ଭିନ ଆଲୋଚନା ହେଉଛି। ମହେଶ ବିଜେପି ଆଡକୁ ଯିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ମହେଶଙ୍କ ଭାଷଣ ଏହି ଚର୍ଚ୍ଚାକୁ ଅଧିକ ବଳ ଦେଇଛି ବୋଲି ଚର୍ଚ୍ଚା ହେଉଛି।ଇଏସ୍‌ଆଇ ହସ୍ପିଟାଲ୍‌ ଲୋକାର୍ପଣ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଢେଙ୍କାନାଳ ସାଂସଦ ମହେଶ ସାହୁ ଆଦି ଅତିଥିଭାବେ ଉପସ୍ଥିତ ଥିଲେ।

SHARE BY