The Topmost

“The eyes believe themselves, the ears believe other people.”

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରାକ୍ତନ ଛାତ୍ରୀ ମିଳନ ପର୍ବ ଓ ବାର୍ଷିକୋତ୍ସବ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏବଂ କୁଳସଚିବ ଶ୍ରୀମତୀ ଶ୍ୟାମଳୀ ମହାପାତ୍ରଙ୍କ ନିର୍ଦ୍ଦେଶାନୁସାରେ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ପ୍ରାକ୍ତନ ଛାତ୍ରୀମାନଙ୍କର ବାର୍ଷିକୋତ୍ସବ – ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଓଡ଼ିଶାର ଉଚ୍ଚଶିକ୍ଷାମନ୍ତ୍ରୀ ମାନ୍ୟବର ରୋହିତ ପୂଜାରୀ ମହୋଦୟ, ଭୁବନେଶ୍ୱର ପୌରନିଗମର ମେୟର ସମ୍ମାନନୀୟା ଶ୍ରୀମତୀ ସୁଲୋଚନା ଦାସ, କୁଳପତି ପ୍ର. ଅପରାଜିତା ଚୌଧୁରୀ, କୁଳସଚିବ ଶ୍ରୀମତୀ ଶ୍ୟାମଳୀ ମହାପାତ୍ର, ପୁରାତନ ଛାତ୍ରୀ ସଂସଦର ଉପାଧ୍ୟକ୍ଷା ସୁଦୀପା ରାୟ ତଥା ବିଶ୍ୱବିଦ୍ୟାଳୟର ବରିଷ୍ଠ କମିଟି ସଦସ୍ୟା ପ୍ର. ମଧୁସ୍ମିତା ପତି ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାକ୍ତନ ଛାତ୍ରୀ ମିଳନ ପର୍ବର ସ୍ୱାଗତ ଭାଷଣ ପରିପ୍ରେକ୍ଷୀରେ ମୁଖ୍ୟଅତିଥି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଶିକ୍ଷା କ୍ଷେତ୍ରରେ ‘ମୋ ସ୍କୁଲ୍’ ଏବଂ ‘ମୋ କଲେଜ’ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଶ୍ରେଷ୍ଠ ଅବଦାନ ରୂପେ ଅଭିହିତ କରିଥିଲେ । ଜଣେ ପୁରୁଷକୁ ଶିକ୍ଷାଦାନ ଦେଲେ କେବଳ ଜଣକୁହିଁ ଶିକ୍ଷା ଦିଆଯାଏ କିନ୍ତୁ, ଜଣେ ମହିଳାକୁ ଶିକ୍ଷାଦାନ ଦେଲେ ଗୋଟିଏ ପିଢିକୁ ଶିକ୍ଷା ଦିଆଯାଇଥାଏ ବୋଲି ସେ ଉଲ୍ଲେଖ କରିଥିଲେ । ମନ୍ତ୍ରୀ ପୂଜାରୀ ଦେଶ- ବିଦେଶରେ ସ୍ଥିତ ଅର୍ଟନ, କେମ୍ବ୍ରିଜ୍ ଏବଂ ହାୱାର୍ଡ ଭଳି ଶିକ୍ଷାନୁଷ୍ଠାନ ଗୁଡ଼ିକର ପ୍ରତିଷ୍ଠା କ୍ଷେତ୍ରରେ ପ୍ରାକ୍ତନ ଛାତ୍ରୀମାନଙ୍କୁ ଗୁରୁତ୍ଵ ପ୍ରଦାନ କରିବା ସହିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଦେଶର ଏକ ନମ୍ବର ବିଶ୍ୱବିଦ୍ୟାଳୟ ରୂପେ ପ୍ରତିଷ୍ଠା ଦେବା କ୍ଷେତ୍ରରେ ପ୍ରାକ୍ତନ ଛାତ୍ରୀମାନଙ୍କର ସହଯୋଗ କାମନା କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ନିଜ ମାତାଙ୍କୁ ଏହି ଗୌରବମୟ ଅନୁଷ୍ଠାନର ପ୍ରାକ୍ତନ ଛାତ୍ରୀ ଥିବା ଦର୍ଶାଇ ଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।


ଏହି ଉତ୍ସବରେ ପୌରନିଗମର ମେୟର ତଥା ସମ୍ମାନିତ ଅତିଥି ଶ୍ରୀମତୀ ସୁଲୋଚନା ଦାସ ସମାଜର ବିବିଧ କ୍ଷେତ୍ରରେ ପ୍ରତିଷ୍ଠିତା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀଗଣଙ୍କୁ ଅଭିନନ୍ଦନ ଜଣାଇଥିଲେ। ଚେରକୁ ଛାଡି ବୃକ୍ଷର ଅସ୍ତିତ୍ଵ ନାହିଁ, ତେଣୁ ଚେରକୁ ବଳିଷ୍ଠ କରି ପ୍ରେରଣା ଦେବା କ୍ଷେତ୍ରରେ ପ୍ରାକ୍ତନ ଛାତ୍ରୀମିଳନର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ଦାସ ଦର୍ଶାଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ଭାରତର ରାଷ୍ଟପତି ପଦବୀ ଭଳି ସର୍ବୋଚ୍ଚ ପଦ ନିମନ୍ତେ ମନୋନୀତା ହୋଇଥିବା ଦ୍ରୋପଦୀ ମୁର୍ମୂଙ୍କୁ ସ୍ମରଣ କରିବା ସହିତ କରାଟେ ଚାମ୍ପିୟନ୍ ଭାଲେନା ଭାଲେଣ୍ଟିନା, ବିଶ୍ୱ ଚେସ୍ ଚାମ୍ପିୟନ୍ ଶ୍ରାବଣୀ ନନ୍ଦ, ସର୍ବଶ୍ରେଷ୍ଠ ନମ୍ବର ପ୍ରାପ୍ତ କରିଥିବା ପ୍ରାକ୍ତନ ଛାତ୍ରୀ ଶ୍ୱେତପଦ୍ମା

ତ୍ରିପାଠୀଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ। ଏହି ଉତ୍ସବରେ କୁଳପତି ଅପରାଜିତା ଚୌଧୁରୀ ଛାତ୍ରୀମାନଙ୍କୁ ଅନୁଷ୍ଠାନର ଶକ୍ତି ରୂପେ ଅଭିହିତ କରିବା ସହିତ ଛାତ୍ରୀମାନେ ଦ୍ରୋପଦୀ ମୁର୍ମୂଙ୍କୁ ନିଜର ଆଦର୍ଶ ରୂପେ ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ। କେବଳ ଅଧ୍ୟୟନ ଦ୍ୱାରା ନୁହେଁ, ବରଂ ଗୋଷ୍ଠୀଭୂତ ଏବଂ ନୀତିନିଷ୍ଠ ତ୍ୟାଗ ମାଧ୍ୟମରେ ଅନୁଷ୍ଠାନର ଗୁଣାତ୍ମକ ଉନ୍ନତି ସମ୍ଭବ। ଏହାଛଡ଼ା ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ୪୮ଟି ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ କୁଳପତି ଏହି ପ୍ରାକ୍ତନ ଛାତ୍ରୀ ସଂସଦର ଅଂଶବିଶେଷ ହେବାକୁ ଆହ୍ୱାନ କରିଥିଲେ। କୁଳସଚିବ ଶ୍ରୀମତୀ ଶ୍ୟାମଳୀ ମହାପାତ୍ର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଆଉ ବିକାଶ ସମ୍ପର୍କରେ ଏହି ଅନୁଷ୍ଠାନକୁ ପୂର୍ବ-ବର୍ତ୍ତମାନ ଏବଂ ଭବିଷ୍ୟତର ସଂଯୋଗ ସେତୁ ଏବଂ ସମୃଦ୍ଧି ତଥା ସମ୍ଭାବନାର ଶ୍ରେଷ୍ଠକ୍ଷେତ୍ର ବୋଲି ଦର୍ଶାଇଥିଲେ। ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଦଶଜଣ କୃତୀ ଗ୍ରାଜୁଏଟ୍ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦୀର୍ଘ କୋଡ଼ିଏ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ସହିତ ଜଡ଼ିତ ପରୀକ୍ଷା ନିୟନ୍ତ୍ରିକା ଡ. ସରିତା ସୂପକାର ରମାଦେବୀ ବିଶ୍ୱବିଦ୍ୟାଳୟ ଦିନେ ଜାତୀୟ ସ୍ତରରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।

ଏହି ଉତ୍ସବରେ ପ୍ର. ମଧୁସ୍ମିତା ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ଛାତ୍ରୀ ସଂସଦର ଉପସଭାପତି ଡ. ସୁଦୀପା ରାୟ ନିଜ ଜନ୍ମମାଟି ଭଳି ମନେକରୁଥିବା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସର୍ବୋତମୁଖୀ ଉନ୍ନତି କାମନା କରିଥିଲେ। ଏହି ବାର୍ଷିକ ଉତ୍ସବରେ ଭାଲେନା ଭାଲେଣ୍ଟିନା, ଶ୍ରାବଣୀ ନନ୍ଦ, ଶ୍ୱେତପଦ୍ମା ତ୍ରିପାଠୀ, ଡ. କଳ୍ପନା ଦାସ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ ଏବଂ ଛାତ୍ରୀନେତ୍ରୀ ଇପ୍ସିତା, ବହୁ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ମିଡ଼ିଆ ବନ୍ଧୁଗଣ ଉପସ୍ଥିତ ଥିଲେ। ଡ଼ ସାୟନ୍ତନୀ ବେଉରା ଏହି ଉତ୍ସବରେ ମଞ୍ଚ ପରିଚାଳନା କରିଥିବା ବେଳେ ଡ. ସ୍ନେହଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ଏବଂ ଉତ୍ସବ ସାଫଲ୍ୟ ମଣ୍ଡିତ ହୋଇଥିଲା।https://thetopmost.in/TOPMOST%20UPDATE/bjp-gen-secy-in-huddle-in-doon/

https://thetopmost.in/a-feature-about-life-story-of-actress-sayani-gupta/