ପ୍ରସାଦ ବିକ୍ରି କରୁଥିବା ମନ୍ଦିରଗୁଡ଼ିକ ଏଥର ୟୁଜର୍ସ ଫି ଦେବେ। ତା’ ସହିତ ପ୍ରତ୍ୟହ ବାହାରୁଥିବା ଆବର୍ଜନା ମଧ୍ୟ ବିଏମ୍ସିର ସଫେଇ ଗାଡ଼ିକୁ ଦେବେ। ସଫେଇ ଗାଡ଼ିରେ ଆବର୍ଜନା ନ ଦେଇ ଏଣେତେଣେ ଫିଙ୍ଗିଲେ ଜରିମାନା ଦେବେ। ଏଭଳି ନିର୍ଦ୍ଦେଶ ଦେଇ ବିଏମ୍ସି ୪୮୨ ମନ୍ଦିର ପରିଚାଳକଙ୍କୁ ନୋଟିସ୍ କରିଛି ବିଏମ୍ସି। କେବଳ ପ୍ରସାଦ ବିକ୍ରି କରୁଥିବା ମନ୍ଦିର ନୁହନ୍ତି ବରଂ ଯେଉଁ ମନ୍ଦିରରେ ବିଭିନ୍ନ ସମୟରେ ଭୋଜିଭାତର ଆୟୋଜନ ହେଉଛି ସେହି ମନ୍ଦିର କର୍ତ୍ତୃପକ୍ଷ ବା ପରିଚାଳକ ମଧ୍ୟ ୟୁଜର୍ସ ଫି ଦେବେ।
ଲୋକ ସଂଖ୍ୟା ବା ମିଲ୍ ପରିମାଣ ଆଧାରରେ ଏହି ୟୁଜର୍ସ ଫି ଧାର୍ଯ୍ୟ ହେବ। ଏଠାରୁ ବାହାରୁଥିବା ସବୁଜ ଆବର୍ଜନା ଓ ଓଦା(ଖାଦ୍ୟ ପଦାର୍ଥ) ଆବର୍ଜନା ସିଧାସଳଖ ବାୟୋମିଥେନ୍ ପ୍ଲାଣ୍ଟକୁ ଯାଇ ପରିଚାଳନା ହେବ। ଫୁଲ, ତୁଳସୀପତ୍ର ଓ ଅନ୍ୟାନ୍ୟ ଆବର୍ଜନାକୁ ଧୁପକାଠି ପାଇଁ ସ୍ଥାପନ ହେବାକୁ ଥିବା ପ୍ଲାଣ୍ଟକୁ ପଠାଯିବ। ବିଏମ୍ସି କରିଥିବା ସର୍ଭେ ମୁତାବକ, ଭୁବନେଶ୍ବରରେ ୭ଶହରୁ ଊର୍ଦ୍ଧ୍ବ ମନ୍ଦିର ରହିଛି। ୪୩୩ ମନ୍ଦିରରେ ପ୍ରତ୍ୟେହ ପ୍ରସାଦ(ମଧ୍ୟାହ୍ନ ଭୋଜନ) ପ୍ରସ୍ତୁତ ହୋଇ ବିକ୍ରି କରାଯାଉଥିବା ବେଳେ ୪୯ ମନ୍ଦିରରେ ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ ପର୍ବ ପାଳନ କରାଯାଉଛି। ଅର୍ଥାତ୍ ମୋଟ ୪୮୨ଟି ମନ୍ଦିରରେ ଖାଦ୍ୟପେୟରେ ବ୍ୟବସ୍ଥା ହେଉଛି। ୪୮୨ ମନ୍ଦିରରୁ ଦିନକୁ ୬୦୪୫ ମିଲ୍ ପ୍ରସ୍ତୁତ ହେଉଛି। ଏଥିରୁ ପ୍ରାୟ ୪ଶହ ଟନ୍ ବଳକା ଖାଦ୍ୟ ବାହାରୁଛି।
ଶନି ମନ୍ଦିର ଓ ତାରିଣୀ ମନ୍ଦିରରୁ ସବୁଠାରୁ ଅଧିକ ବଳକା ଖାଦ୍ୟ ପଦାର୍ଥ ବାହାରୁଥିବା ବିଏମ୍ସି ଆକଳନ କରିଛି। ଏହି ସବୁ ଖାଦ୍ୟ ପଦାର୍ଥ ଏଣେତେଣେ ପଡ଼ୁଛି। ସବୁ ବେଳେ ସଂଗ୍ରହ ହୋଇ ପାରୁ ନଥିବାରୁ ଏଗୁଡ଼ିକ ଏଣେତେଣେ ପଡ଼ୁଛି। ଅଧିକାଂଶ ବଳକା ଖାଦ୍ୟ ନଳାରେ ପଡ଼ୁଛି। ଫଳରେ ଅଭାବନୀୟ ସ୍ଥିତି ସୃଷ୍ଟି ହେଉଛି। ଆବର୍ଜନା କମ୍ କରିବାକୁ ଯେତେ ଉଦ୍ୟମ ହେଲେ ବି ସମ୍ଭବ ହେଉ ନାହିଁ। ଏଣୁ ଏହି ନୋଟିସ୍ ପରେ ଶତ ପ୍ରତିଶତ ଆବର୍ଜନା ସଂଗୃହୀତ ହୋଇ ପାରିବ ବୋଲି ବି ଏମ୍ସି ଆଶା ବାନ୍ଧିବା ସହ ସମସ୍ତଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛି।
More Stories
ଦୂର ହେଲା ପର୍ବ ପର୍ବାଣୀ ଦ୍ବନ୍ଦ୍ବ, ଶ୍ରୀମନ୍ଦିରରେ ହେଲା ପାଞ୍ଜି ସୁଧାର
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..