ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସମସ୍ତଙ୍କୁ ପକ୍କାଘର’ ଯୋଜନାକୁ ସାକାର ଓ ନିଜର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଉଦ୍ଦେଶ୍ୟରେ ବିଜେପି ପ୍ରସ୍ତୁତ କରିଛି ବଡ଼ ଗେମପ୍ଲାନ୍ । ଗ୍ରାମାଂଚଳରେ ପକ୍କାଘର ନଥିବା ଆର୍ଥିକ ଦୁର୍ବଳବର୍ଗର ସବୁ ଲୋକଙ୍କୁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ‘ଘର’ ଯୋଗାଇ ଦେଇ ନିଜର ଭୋଟବ୍ୟାଙ୍କ ସୁଧାରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ମୋହନ ମାଝୀଙ୍କ ସରକାର । କେବଳ ସେତିକି ନୁହେଁ ‘ଆବାସ’ ଯୋଜନାରେ ପକ୍କାଘର ନଥିବା ସବୁ ଲୋକେ ଯେଭଳି ‘ଘର’ ପାଇବେ ସେଥିପାଇଁ ପ୍ରଚଳିତ ଗାଇଡଲାଇନକୁ ବି କୋହଳ କରାଯାଇଛି । ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ ଯୋଜନାରେ ନୂତନ ହିତାଧିକାରୀ ଚିହ୍ନଟ ନିମନ୍ତେ ଶୁକ୍ରବାର ‘ଆୱାସ ପ୍ଲସ-୨’ ସର୍ଭେର ଶୁଭାରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟର ୧୫ଲକ୍ଷ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଶୁକ୍ରବାର ପିପିଲିଠାରେ ପଂଚାୟତିରାଜ ମନ୍ତ୍ରୀ ରବି ନାଏକ, ସ୍ଥାନୀୟ ସାଂସଦ ସମ୍ବିତ ପାତ୍ର ଓ ବିଧାୟକମାନେ ଉପସ୍ଥିତ ରହି ‘ଆୱାସ୍ ପ୍ଲସ-୨’ ସର୍ଭେ ଆରମ୍ଭ କରିଥିଲେ । କଚ୍ଚାଘରେ ରହୁଥବା ପରିବାରକୁ ଚିହ୍ନଟ କରିବା ପାଇଁ ଏହି ସର୍ଭେ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ।
ସମନ୍ୱୟ ବୈଠକରେ ବିଜେପିର ରଣନୀତି
ପିଏମଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ‘ଘର’ ଆବଂଟନ ମାଧ୍ୟମରେ ବିଜେପି ନିଜର ଭୋଟବ୍ୟାଙ୍କକୁ ଗ୍ରାମାଂଚଳରେ ସୁଦୃଢ଼ କରିବାର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଗତ ବୁଧବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ରଣନୀତି ଉପରେ ମୋହର ବାଜିଛି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନର ବରିଷ୍ଠ ପଦାଧିକାରୀ ଓ ଛାମୁଆ ୱିଙ୍ଗର ସଭାପତିମାନେ ସାମିଲ ଥିଲେ । ରାଜ୍ୟ ବିଜେପି ସରକାର ଏବେ ‘ସୁଭଦ୍ରା’ ଯୋଜନାରେ ମହିଳାଙ୍କୁ ହାତଖର୍ଚ୍ଚ ଓ ‘ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବୋନସ’ ପ୍ରଦାନ କରୁଥିଲେ ମଧ୍ୟ ତା’ର ଫାଇଦା ଉଠାଇ ସଂଗଠନ କାହିଁକି ଲୋକଙ୍କ ନିକଟତର ହେଲାନି ବୋଲି ବୈଠକରେ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ଆଉ ଶୁକ୍ରବାରରୁ ‘ଆବାସ’ ଯୋଜନାର ସର୍ଭେ କାର୍ଯ୍ୟ ରାଜ୍ୟବ୍ୟାପୀ ଆରମ୍ଭ ହେଉଥିବାରୁ ତାକୁ କିଭଳି ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରକୃତ ଯୋଗ୍ୟ ବ୍ୟକ୍ତି(ଦଳମତନିର୍ବିଶେଷରେ ଗରିବ ଲୋକ)ଙ୍କୁ ‘ଘର’ ଆବଂଟନ କରାଯାଇ ପାରିବ ସେଦିଗରେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି ।
ସର୍ଭେରେ କେମିତି ସାମିଲ ହେବେ
‘ଆୱାସ ପ୍ଲସ-୨୦୨୪’ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ଏହି ସର୍ଭେରେ ସାମିଲ ହୋଇହେବ । ଏହି ସର୍ଭେରେ ହିତାଧିକାରୀ ନିଜେ ନିଜକୁ ସାମିଲ କରିପାରିବେ । ନଚେତ୍ ବ୍ଲକ ଦ୍ୱାରା ନିୟୋଜିତ ଅଧିକାରୀମାନଙ୍କ ଦ୍ୱାରା ମଧ୍ୟ ନିଜକୁ ସାମିଲ କରାଇପାରିବେ । ସର୍ଭେରେ ପରିବାରର ସଦସ୍ୟମାନଙ୍କ ଆଧାର କାର୍ଡ, ଜବ କାର୍ଡ, ବ୍ୟାଙ୍କ ବିବରଣୀ, ମୋବାଇଲ ନମ୍ବର, ନାଁ,ବୟସ,ଲିଙ୍ଗ ଓ ପେଷା ଆଦିର ତଥ୍ୟ ଦେବାକୁ ପଡ଼ିବ । କେଉଁଭଳି ଓ କେତେ ବଖରା ଘରେ ରହୁଛନ୍ତି,ତା’ର କାନ୍ଥ ଓ ଉପର ଛାତ କ’ଣ ସହ ଜମି ରେକର୍ଡର ବିବରଣୀ ମଧ୍ୟ ଦେବାକୁ ପଡ଼ିବ । ଜଣେ ହିତାଧିକାରୀ ନିଜେ କିଭଳି ନିଜକୁ ସର୍ଭେରେ ସାମିଲ କରିପାରିବ ସେନେଇ ସବୁ ପଂଚାୟତରେ ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସରିଛି ।ସମଗ୍ର ରାଜ୍ୟରେ ମୋଟ ୧୩୯୪୨ଜଣ ବ୍ଲକ କର୍ମଚାରୀଙ୍କୁ ମଧ୍ୟ ଏହି ସର୍ଭେ ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଛି ।
ହିତାଧିକାରୀ ଚୟନ ପାଇଁ ମାନଦଣ୍ଡ କୋହଳ
ଏହି ‘ଘର’ ନିମନ୍ତେ ହିତାଧିକାରୀ ଚିହ୍ନଟ ପାଇଁ ପ୍ରଚଳିତ ମାନଦଣ୍ଡକୁ ମଧ୍ୟ ସରକାର କୋହଳ କରିଛନ୍ତି । ପୂର୍ବରୁ ମାନଦଣ୍ଡରେ ଥିବା ଦୁଇଚକିଆ ଯାନ କିମ୍ବା ମାଛଧରା ବୋଟ, ଫ୍ରିଜ୍ , ଲ୍ୟାଣ୍ଡଲାଇନ୍ ଫୋନକୁ ସଂଶୋଧିତ ସର୍ତ୍ତାବଳୀରୁ ବାଦ୍ ଦିଆଯାଇଛି । ନୂଆ ସର୍ଭେରେ ତିନିଚକିଆ ଓ ଚାରିଚକିଆ ଗାଡ଼ି ଥିଲେ , ପରିବାରରେ କେହି ସରକାରୀ କର୍ମଚାରୀ, ଆୟକରଦାତା, ସରକାରଙ୍କ ପାଖରେ ପଞ୍ଜିକୃତ ଅଣକୃଷି ଉଦ୍ୟୋଗୀ ପରିବାର, ୫୦ହଜାର ଟଙ୍କା ଅବା ତା’ଠୁ ଅଧିକ କିଷାନ କ୍ରେଡିଟ୍ କାର୍ଡ ଥିଲେ, କୃଷିକାର୍ଯ୍ୟରେ ନିୟୋଜିତ ତିନି ଓ ଚାରିଚକିଆ ମୋଟର ଯାନ, ପରିବାରର କୌଣସି ସଦସ୍ୟଙ୍କ ମାସିକ ଆୟ ସର୍ବାଧିକ ୧୫ହଜାର ଟଙ୍କା, ଅଢ଼େଇ ଏକରରୁ ଅଧିକ ଜଳସେଚିତ ଜମି ଓ ୫ଏକରରୁ ଅଧିକ ଅଣଜଳସେଚିତ ଜମି ଥିଲେ ‘ଆବାସ’ ଘର ପାଇବାକୁ ଅଯୋଗ୍ୟ ସାବ୍ୟସ୍ତ ହେବେ । ପୂର୍ବରୁ ପରିବାରର କୌଣସି ସଦସ୍ୟଙ୍କ ଆୟ ୧୦ହଜାର ଟଙ୍କାରୁ ଅଧିକ ଥିଲେ ସିଏ ଘର ପାଇବାରୁ ବଂଚିତ ହେଉଥିଲେ ।
କେତେ ଟଙ୍କା ପାଇବେ ହିତାଧିକାରୀ
କେନ୍ଦ୍ର ସରକାର ପିଏମଆବାସ ଯୋଜନାରେ ହିତାଧିକାରୀଙ୍କୁ ଘରବାବଦରେ ଯୋଗାଉଥିବା ଅର୍ଥରାଶି ପରିମାଣକୁ ୧.୮୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ନେଇ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ୨୦୨୪ ଅଗଷ୍ଟମାସରେ ସୂଚନା ଦେଇଥିଲେ । ପୂର୍ବରୁ ଏହି ରାଶି ୧.୨୦ଲକ୍ଷ ଟଙ୍କା ଥିଲା । ଏହାଛଡ଼ା କେନ୍ଦ୍ର ସରକାରଙ୍କ ଅନ୍ୟ ଯୋଜନାରେ ‘ଶୌଚାଳୟ’, ପାଇପରେ ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଣ କରି ପିଏମଆବାସକୁ ଏକ ମଡେଲ ଘର ଭାବେ ହିତାଧିକାରୀଙ୍କୁ ଯୋଗାଇ ଦେବାର ପ୍ରାବଧାନ କରିଛନ୍ତି ।
ପିଏମଆବାସର ସ୍ଥିତି ରାଜ୍ୟରେ କ’ଣ
ଗ୍ରାମାଂଚଳର ଗୃହହୀନ ଓ କଚ୍ଚାଘରେ ରହୁଥିବା ପରିବାରକୁ ପକ୍କାଘର ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦି ୨୦୧୬ ମସିହାରେ ‘ପିଏମଆବାସ-ଗ୍ରାମୀଣ’ଯୋଜନାର ଶୁଭାରମ୍ଭ କରିଥିଲେ । ସାମାଜିକ ଓ ଅର୍ଥନୀତିକ ଜାତି ଗଣନା -୨୦୧୧ ସର୍ଭେ ଆଧାରରେ ଓଡ଼ିଶାରେ ୧୮.୩୭ଲକ୍ଷ ଯୋଗ୍ୟ ପରିବାରକୁ ‘ପକ୍କାଘର’ଯୋଗାଇ ଦେବାକୁ ଚିହ୍ନଟ କରାଯାଇ ୨୦୨୦-୨୧ରେ ସମସ୍ତ ଗୃହ ମଞ୍ଜୁର କରାଯାଇଥିଲା । ପରେ ବଳକା ରହିଥିବା ହିତାଧିକାରୀ ଚିହ୍ନଟ ପାଇଁ କେନ୍ଦ୍ର ସରକାର ୨୦୧୮ ଓ ୨୦୧୯ରେ ‘ଆୱାସ ପ୍ଲସ’ ସର୍ଭେ କରିଥିଲେ । ଯେଉଁଥିରେ ଓଡ଼ିଶାର ୯.୯୨ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଥିଲା । ଏହି ଯୋଜନାରେ ଆବଂଟିତ ମୋଟ ୨୮.୨୫ଲକ୍ଷ ଘର ମଧ୍ୟରୁ ୨୦୨୪ ନଭେମ୍ବର ସୁଦ୍ଧା ମୋଟ ୨୩ଲକ୍ଷ ଘର ନିର୍ମାଣ ହୋଇସାରିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୧,୧୧,୮୧୮ଘର ବିଭିନ୍ନ ବ୍ଲକକୁ ବଂଟନ କରାଯାଇଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ କେନ୍ଦ୍ର ସରକାର ୫ଲକ୍ଷ ପିଏମଆବାସ-ଗ୍ରାମୀଣ ଘର ଆବଂଟନ କରିଛନ୍ତି । ନୂତନ ସର୍ଭେରେ ଯେତେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବେ ସେମାନଙ୍କୁ ସମସ୍ତଙ୍କୁ ଏହି ପିଏମଆବାସ ଯୋଜନା ଘର ଯୋଗାଇ ଦିଆଯିବ ବୋଲି ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ ସ୍ପଷ୍ଟ କରିସାରିଛନ୍ତି ।
ବିଜେଡି ସରକାରର ହୀନ ରାଜନୀତି
ତତକାଳୀନ ବିଜେଡି ସରକାରର ହୀନ ରାଜନୀତି ଯୋଗୁ ୨୦୨୨ ମସିହା ସୁଦ୍ଧା ‘ସମସ୍ତଙ୍କୁ ପକ୍କାଘର’ ଲକ୍ଷ୍ୟ ହାସଲ ସମ୍ଭବପର ହୋଇପାରିନଥିଲା । ନିଜସ୍ୱ ‘ବିଜୁ ପକ୍କାଘର’ ଯୋଜନାର ମାତ୍ରାଧିକ ପ୍ରଚାର ଆଳରେ ପିଏମଆବାସ ଘରରୁ ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରିବାକୁ ପଛାଇନଥିଲେ ବିଜେଡି ସରକାର । ଏପରିକି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଧାର୍ଯ୍ୟଲକ୍ଷ୍ୟ ମଧ୍ୟରୁ ସ୍ଥାୟୀ କ୍ରମ ତାଲିକାରେ ଆବଶ୍ୟକ ଯୋଗ୍ୟ ହିତାଧିକାରୀ ନଥିବା କାରଣରୁ ୬ଲକ୍ଷ ୫୬ହଜାର ୯୪୫ଟି ଘର ଫେରି ଯାଇଥିଲା । ବାରମ୍ବାର ପିଏମଆବାସ୍ ପୋର୍ଟାଲ ଖୋଲାଯିବା ସତ୍ତ୍ୱେ ରାଜ୍ୟ ସରକାର ଆବଶ୍ୟକ ତଥ୍ୟ ଦାଖଲ ନକରିବାରୁ ହିତାଧିକାରୀଙ୍କୁ ଘର ମିଳିପାରିନଥିଲା । ସେହିପରି ବିଜେଡିର ରାଜନୀତି ଯୋଗୁ ୨୦୨୧-୨୨ ଓ ୨୦୨୨-୨୩ ସର୍ଭେରେ ବାଦ୍ ପଡ଼ିଥିବା ୫୦,୯୬୩ଜଣ ହିତାଧିକାରୀଙ୍କ ତାଲିକାକୁ ଏବେ ବିଜେପି ସରକାର ନୂଆ ସର୍ଭେରେ ସାମିଲ କରିଥିବା ଜଣାପଡ଼ିଛି ।
More Stories
ମନମୋହନଙ୍କ କଟାକ୍ଷରେ ଦେବୀଙ୍କ ଉତ୍ତର
ପ୍ରଧାନମନ୍ତ୍ରୀଙ୍କ ଶୁଭ ନଜରରେ ଓଡିଶା
ସୁରଙ୍କ ଘରେ ଗଣ୍ଡଗୋଳ, ବଡ ଭାଇ ସାନ ଭାଇ ଭିତରେ ତୁମୂଳ ସଂଗ୍ରାମ