The Topmost

“The eyes believe themselves, the ears believe other people.”

ସୋଆ ପକ୍ଷରୁ କୃଷି ପ୍ରଶିକ୍ଷଣ ଶିବିର ଆୟୋଜିତ

ସୋଆ ପରିଚାଳିତ ଆଇଏଏସ୍‌ ର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍‌ର ୧୩ ଟି ଗ୍ରାମରେ ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ କୃଷି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୩ଟି ବ୍ଲକ୍ ଅଧୀନରେ ଥିବା ବୁଦ୍ଧିପଡା, ପାଣିକଟା, ଶିଙ୍ଗିର ଶାସନ, ବାରୁଦଖାନା, ପୁରଣପ୍ରଧାନ, ଝିଇଂଟି ଶାସନ, ପୁରୋହିତପୁର, କୁଜିମହଲ, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, କଂଟାବାଡ ଓ ଭୋଳା ପ୍ରଭୃତି ଗ୍ରାମଗୁଡିକୁ ସାମିଲ କରାଯାଇଥିଲା ।

ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ପ୍ରଶିକ୍ଷଣ ଶିବିରର ବିଷୟବସ୍ତୁ ପ୍ରସ୍ତୁତ କରିଥିଲେ । ଆଇଏଏସ୍‌ର ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ମାନସ ପଟେଲ, ଡକ୍ଟର ସିମନ୍ତିନୀ ଶାସନୀ, ଡକ୍ଟର ଦୀପାଲି ଦାଶ, ଡକ୍ଟର ରାମ ପ୍ରସାଦ ନନ୍ଦି, ଡକ୍ଟର ସବ୍ୟସାଚୀ ପ୍ରଧାନ, ଅଧ୍ୟାପକ କୁମାର ସମ୍ଭବ ଗିରି, ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ସୂର୍ଯ୍ୟସିଦ୍ଧାନ୍ତ ରଥ, ସୁଶ୍ରୀ ସୁଦର୍ଶନା କର, ଦୀପ୍ତନୁ ଦତ, ପ୍ରୀତିଲଗ୍ନା ଧଳ, ସୁଚିସ୍ମିତା ମିଶ୍ର, ଡକ୍ଟର ପ୍ରଣୟ ରାୟ ପ୍ରମୁଖଙ୍କ ତତ୍ୱାବଧାନରେ ଗ୍ରାମବାସୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉନ୍ନତ ଓ ବୈଜ୍ଞାନିକ ଉପାୟ ଅବଲମ୍ବନରେ ହେଉଥିବା ଆଧୁନିକ କୃଷି ଯଥା ଜୈବିକ ଚାଷ, ଛତୁଚାଷ ଓ ଏହାର ମୂଲ୍ୟଯୁକ୍ତ ଉତ୍ପାଦ, ଫସଲ ଅବଶେଷର ଉପଯୋଗ, ମହୁମାଛି ପାଳନ, ପତ୍ର ରଙ୍ଗ ଚାର୍ଟର ବ୍ୟବହାର, ଆଜୋଲା ଚାଷ, ସମନ୍ୱିତ ରୋଗ ପୋକ ପରିଚାଳନା ଓ ଭଟିକାଲ୍ ଫାର୍ମିଂ ଇତ୍ୟାଦିକୁ ନେଇ ୧୮ ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତା ପାଇଁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ଅଧ୍ୟକ୍ଷ ତଥା ସଂଯୋଜକ ଡକ୍ଟର ଅଂଶୁମାନ ଜେନା ଅଂଶଗ୍ରହଣ କରିଥିବା ଗ୍ରାମବାସୀ ତଥା କୃଷକ ସାଥିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।