ଜଣେ ନାବାଳିକାଙ୍କୁ ଦୁଇଟି ସ୍ଥାନରେ ଭିନ୍ନଭିନ୍ନ ଲୋକଙ୍କ ଦ୍ବାରା ଦୁଇଥର ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ୫ ଦିନ ଭିତରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୁଲିସ୍ ଏହି ଚାଞ୍ଚଲ୍ୟକର ଅପରାଧର ପର୍ଦ୍ଦାଫାଶ କରିଛି। ଗଣଦୁଷ୍କର୍ମ ଅଭିଯୋଗରେ ୫ ଜଣ ଏବଂ ଅସଦାଚରଣ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ପ୍ରଥମ ମାମଲାର ଅଭିଯୁକ୍ତମାନେ ହେଲେ ନାଲାରୋଡ୍ ଅଞ୍ଚଳର ସୋହେଲ୍ କୁରେଶି ଓରଫ୍ ବାଦଶାହା(୨୧), ମହମ୍ମଦ ଜରାଏତ୍(୨୨) ଏବଂ ଅଫତାବ୍ ଖାନ। ସେହିପରି ଦ୍ବିତୀୟ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ହେଲେ ଚୌଧୁରୀ ପେଟ୍ରୋଲପମ୍ପ ଅଞ୍ଚଳର ଦୀପକ ସୋନକାର(୨୪) ଏବଂ ବିନୋଦ କୁମାର ରାମ (୩୫)। ହୁଡ୍ଦଙ୍ଗ ବାର୍ ଭିତରେ ଅସଦାଚରଣ କରିଥିବା ଅଭିଯୁକ୍ତ ହେଲେ ମହମ୍ମଦ ଦାନିସ(୨୪)। ପୁଲିସ୍ ସମସ୍ତ ୬ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଇଛି।
ଏହାପୂର୍ବରୁ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ମାରାଥନ୍ ଜେରା କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ବାଦଶାହା ପୁଲିସକୁ ଚକମା ଦେଇ ମୁମ୍ବାଇ ଫେରାର ହୋଇ ଯାଇଥିଲା। ସେଠାରେ ତାଙ୍କୁ ଧରିବାକୁ ରାଉରକେଲା ପୁଲିସକୁ ବେଶ୍ କସରତ କରିବାକୁ ପଡ଼ିଥିଲା। ଏନେଇ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ଏବଂ ଏସପି ବ୍ରିଜେଶ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ମୋଟରସାଇକଲ୍ ଜବତ କରାଯାଇଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଶୁକ୍ରବାର ରାତିରେ ‘ହୁଡ୍ଦଙ୍ଗ’ ବାର ଓ ରେସ୍ତୋରାଁକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା।
ସୂଚନା ମୁତାବକ ଗତ ୨୨ ତାରିଖ ରାତି ପ୍ରାୟ ୮ଟାରେ ନାବାଳିକା ଅନ୍ୟ ୨ ଜଣ ବାନ୍ଧବୀଙ୍କ ସହ ‘ହୁଡଦଙ୍ଗ ବାର ଓ ରେସ୍ତୋରାଁ’ ଯାଇଥିଲେ। ସେଠାରେ ସମସ୍ତେ ଖିଆପିଆ କରିଥିଲେ। ୨ ବାନ୍ଧବୀଙ୍କ ପୁରୁଷ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ। ଖିଆପିଆ ସରିବା ପରେ ୨ ବାନ୍ଧବୀ ସେମାନଙ୍କ ପୁରୁଷ ବନ୍ଧୁଙ୍କ ସହ ନିଜନିଜ ଘରକୁ ଚାଲି ଯାଇଥିଲେ। ବାରରେ ନାବାଳିକାଙ୍କୁ ଏକୁଟିଆ ପାଇ ମହମ୍ମଦ ଦାନିଶ ପ୍ରଥମେ ଅସଦାଚରଣ କରିଥିଲା। ତା’ପରେ ସେଠାରେ ନାବାଳିକାଙ୍କୁ ବାଦଶାହା ଭେଟିଥିଲା ଏବଂ ଘରେ ଛାଡ଼ିଦେବ ବୋଲି କହିଥିଲା।
ଦୁଷ୍କର୍ମ ସମୟର ଭିଡିଓ ଏବଂ ଫଟୋ ଉଠାଇ, ଘଟଣା ସମ୍ପର୍କରେ କାହା ସମ୍ମୁଖରେ କହିଲେ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ। ତା’ପରେ ନାବାଳିକାଙ୍କୁ ତାଙ୍କ ଘର ପାଖରେ ଛାଡ଼ି ଚାଲି ଯାଇଥିଲେ। ଘରକୁ ଯିବେ କି ନାହିଁ ଦ୍ବନ୍ଦ୍ବରେ ରହି ସେହି ପାଖରେ ବୁଲାବୁଲି କରୁଥିବା ନବାଳିକାଙ୍କୁ ସେଠାରେ ଦୀପକ ସୋନକାର ନାମକ ଜଣେ ପରିଚିତ ଯୁବକ ଭେଟିଥିଲା। ତାଙ୍କର ଜଣେ ବାନ୍ଧବୀଙ୍କ ଘରେ ନେଇ ଛାଡ଼ି ଦେବାକୁ ପିଡ଼ିତା ଦୀପକକୁ ଅନୁରୋଧ କରିଥିଲେ। ହେଲେ ବାନ୍ଧବୀ ଜଣକ କବାଟ ନ ଖୋଲିବାରୁ ଦୀପକ ତାଙ୍କୁ ନିଜ ହେପାଜତରେ ରଖିବାକୁ କଥା ଦେଇ ରେଳଷ୍ଟେସନ୍ ପାଖ ଏକ ସ୍ଥାନକୁ ନେଇଥିଲା। ସେଠାରେ ଦୀପକ ଓ ବିନୋଦ ଦୁହେଁ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକାଙ୍କୁ ପୁଣି ନେଇ ହୁଡ୍ଦଙ୍ଗ ରେସ୍ତୋରାଁ ସମ୍ମୁଖରେ ଛାଡ଼ି ଦେଇଥିଲେ। ସେଠାରେ ଉପସ୍ଥିତ ନାବାଳିକାଙ୍କ ଅନ୍ୟ ଜଣେ ପୁରୁଷବନ୍ଧୁଙ୍କ ସହ ଦୀପକର ଗଣ୍ଡଗୋଳ ମଧ୍ୟ ହୋଇଥିଲା। ତା’ପରେ ଦୀପକ ସେଠାରୁ ପଳାଇଥିଲା। ଦୁଷ୍କର୍ମର ଦିନକ ପରେ ପରିବାର ଲୋକ ଘଟଣା ସମ୍ପର୍କରେ ସବୁ ଜାଣିଥିଲେ ଓ ରଘୁନାଥପାଲି ଥାନାରେ ଏତଲା ଦେଇଥିଲେ। ନାବାଳିକାଙ୍କ ବୟାନ ଅଧାରରେ ଅଭିଯୁକ୍ତଙ୍କୁ ଉଠାଇ ଘନଘନ ଜେରା କରାଯାଇଥିଲା। ଏହି ଘଟଣାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପିଏସ୍ ନାୟକଙ୍କ ନେତୃତ୍ବରେ ୪ଟି ଟିମ୍ ଗଠନ କରାଯାଇଥିଲା।
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି