The Topmost

“The eyes believe themselves, the ears believe other people.”

ଏଥର ଭୋଟ ଦେବେ ୫ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର

୨୦୨୩ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ । ଚଳିତଥର ମୋଟ ୫.୯୪ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ୩ କୋଟି ୨୩ ଲକ୍ଷ ୪୯ହଜାର ୩୪୧ଜଣ ଭୋଟର ଅଛନ୍ତି । ଏଥିରେ ୧ କୋଟି ୬୪ଲକ୍ଷ ୯୬ହଜାର ୧୫୩ଜଣ ପୁରୁଷ ଓ ୧କୋଟି ୫୮ଲକ୍ଷ ୪୯ହଜାର ୯୬୬ଜଣ ମହିଳା ଏବଂ ୩୨୨୨ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକା ଗତ ୨୦୨୨ ନଭେମ୍ବର ୯ ତାରିଖରେ ପ୍ରକାଶିତ ହୋଇଥିଲା । ଭୋଟର ତାଲିକାରେ ତ୍ରୁଟି ସଂଶୋଧନ, ନାମ ବାଦଦେବା ଓ ସାମିଲ କରିବା, ଆପତ୍ତି-ଅଭିଯୋଗ ସହ ସ୍ଥାନାନ୍ତର ଆଦି ଆବେଦନ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୫ଲକ୍ଷ ୯୪ହଜାର ୬୧୩ଟି ଦରଖାସ୍ତକୁ ଭୋଟର ତାଲିକାଭୁକ୍ତ କରିବା ଲାଗି ଅନୁମୋଦନ କରାଯାଇଥିଲା । ୩ ଲକ୍ଷ ୨୦ହଜାର ୫୦୬ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ଭୋଟର ତାଲିକାରେ ସଂଶୋଧନ ଓ ବାସସ୍ଥାନ ପରିବର୍ତ୍ତନ ନିମନ୍ତେ ଫର୍ମ ନଂ-୮ରେ ଗ୍ରହଣ କରାଯାଇଥିବା ୨ଲକ୍ଷ ୧୪ହଜାର ଦରଖାସ୍ତକୁ ଅନୁମୋଦନ କରାଯାଇଛି । କେବଳ ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହୋଇଥିବାରୁ ସେଠାରେ ଏବେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଜାରି ରହିଛି । ୨୦୨୩ ଚିଠା ଭୋଟର ତାଲିକାରେ ରାଜ୍ୟରେ ଲିଙ୍ଗ ଅନୁପାତ ୯୫୯ରୁ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାରେ ଏହି ଅନୁପାତ ୯୬୧କୁ ବୃଦ୍ଧି ପାଇଛି ।