The Topmost

“The eyes believe themselves, the ears believe other people.”

୪୩ ବର୍ଷରେ ପାସ୍ କଲେ ମାଟ୍ରିକ

ପାଠ ପଢ଼ିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ବୟସ ନଥାଏ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ମହାରାଷ୍ଟ୍ର ପୁଣେର ଜଣେ ୪୩ ବର୍ଷୀୟ ବ୍ୟକ୍ତି। ସେ ୧୦ମ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିଛନ୍ତି। ତେବେ ତାଙ୍କ ପୁଅ କିନ୍ତୁ ଫେଲ୍‌ ହୋଇଯାଇଛି। ବାପା ପାସ୍‌ କରିଥିବା ଶୁଣି ଘର ଲୋକ ଖୁସି ଥିବା ବେଳେ ପୁଅର ଫେଲ ହେବା କଥା ପରିବାର ଲୋକଙ୍କୁ ନିରାଶ କରିଦେଇଛି।

ଚଳିତ ବର୍ଷ ଜୁନ୍ ୧୭ରେ ମହାରାଷ୍ଟ୍ର ବୋର୍ଡ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ(MSBSHSE) ପକ୍ଷରୁ ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା ହୋଇସାରିଛି ।  ରାଜ୍ୟରେ ୯୬.୯୪%  ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି । କିନ୍ତୁ ପୁଣେରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ବାପା ଓ ପୁଅ ଚଳିତ ବର୍ଷ ଏକାଠି ଦଶମ ପରୀକ୍ଷା ଦେଇଥିଲେ। ତେବେ ଏଥିରେ ବାପା ଭଲ ମାର୍କରେ ପାସ୍ ହୋଇଥିବା ବେଳେ ପୁଅ କିନ୍ତୁ ୨ଟି ବଷୟରେ ଫେଲ୍ ହୋଇଯାଇଛି।

ପୁଣେର ୪୩ ବର୍ଷୀୟ ଭାସ୍କର ବାଘମାରେ। ୩୦ ବର୍ଷ ଧରି ସେ ପାଠ ପଢ଼ା ଛାଡି ଦେଇଥିଲେ। ସପ୍ତମ ଶ୍ରେଣୀରେ ଥିବା ବେଳେ ପାରିବାରିକ ଆର୍ଥିକ ପରିସ୍ଥିତି ଦେଖି ତାଙ୍କୁ ପାଠ ଛାଡି ଚାକିରି କରିବାକୁ ପଡିଥିଲା। ପାଠ ଛାଡିବାକୁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା। ପାଠ ପଢା ଶେଷ କରିପାରିନଥିବା ଯୋଗୁଁ ତାଙ୍କ ମନରେ ବହୁତ ଦୁଃଖ ଥିଲା। ସେ ପାଠ ପଢିବାକୁ ଚାହୁଁଥିଲେ। ଏହି ଇଚ୍ଛାକୁ ସେ ତାଙ୍କ ପରିବାର ଲୋକଙ୍କ ଆଗରେ କହିଥିଲେ। ଏହାପରେ ସେମାନେ ତାଙ୍କୁ ପଢିବାକୁ ପ୍ରୋତ୍ସାହିତ କରିଥିଲେ। ସେ ଏବର୍ଷ ଦଶମ ପରୀକ୍ଷା ଦେବାକୁ ନଷ୍ପତ୍ତି ନେଇଥିଲେ। କାମ ପରେ ସମୟ ବାହାର କରି ସେ ପଢୁଥିଲେ। ଆଜି ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି ଆଉ ସେ ପାସ୍‌ ହୋଇଯାଇଛନ୍ତି।

ନିଜେ ପାସ୍‌ ହେବା ତାଙ୍କୁ ଯେତିକି ଖୁସି ଦେଇଛି ପୁଅ ଫେଲ୍‌ ହୋଇଯିବା ସେତିକି ଦୁଃଖ ଆଣିଦେଇଛି। ପୁଅ ପାଠ ପଢ଼ାରେ ସହାୟତା କରିବେ ବୋଲି ଭାସ୍କର କହିଛନ୍ତି। ଯେଉଁ ଦୁଇଟି ବିଷୟ ପୁଅ ଫେଲ ହୋଇଛି ସେଥିରେ ପୁଣି ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପୁଅ ଯେପରି ସଫଳତା ହାସଲ କରି ସେଥିପାଇଁ ସେ ଚେଷ୍ଟା କରିବେ।
ଉଲ୍ଲେଖ ଯୋଗ୍ୟ ମହାରାଷ୍ଟ୍ର ୧୦ମ ବୋର୍ଡ ପରୀକ୍ଷାରେ ଝିଅମାନେ ବାଜି ମାରିଛନ୍ତି। ୯୭.୯୬% ପ୍ରତିଶତ ଝିଅ ପାସ୍‌ ହୋଇଥିବା ବେଳେ ୯୬.୦୬% ହାର ପୁଅ ୧୦ମ ପରୀକ୍ଷା ପାସ୍‌ କରିଛନ୍ତି।