ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ଯୁବ ଓ ଛାତ୍ର ଶାଖାର ମୁଖିଆଙ୍କୁ ନିଯୁକ୍ତି ଦେଇଛନ୍ତି। ଚିନ୍ମୟ ସାହୁଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଏବଂ ଇପ୍ସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ପାଖାପାଖି ଏକ ବର୍ଷ ହେଲା ଉଭୟ ପଦବି ଖାଲି ପଡ଼ିଥିଲା। ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବାରୁ ଏହି ନିଯୁକ୍ତିକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ବ ଦିଆଯାଉଛି। ନିଯୁକ୍ତି ପାଇଲା ପରେ ଚିନ୍ମୟ ଓ ଇପ୍ସିତା ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଛନ୍ତି।
ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଛାତ୍ର ଜୀବନରୁ ଜଣେ ଟାଣୁଆ ଛାତ୍ରନେତା ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଚିନ୍ମୟ ୨୦୦୮ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ପରିଷଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇ ଛାତ୍ର ଶାଖାର ଉପଦେଷ୍ଟା ରହିଥିଲେ। ଗତ ସରକାର ସମୟରେ ତାଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।
ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ ଛାତ୍ର ରାଜନୀତିରେ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା। ୨୦୧୩ ମସିହାରେ ରମାଦେବୀ କଲେଜର ଛାତ୍ରସଂସଦର ସଭାପତି ଓ ୨୦୧୬ରେ ଉତ୍କଳ ବିଶ୍ବବିଦ୍ୟାଳୟର ସାଧାରଣ ସମ୍ପାଦକ ଭାବେ ସେ ନିର୍ବାଚିତ ହୋଇଥିଲେ। ସେ ଦଳର ଛାତ୍ରଶାଖାର ବିଭିନ୍ନ ପଦପଦବିରେ ରହି ଛାତ୍ର ସଂଗଠନକୁ ମଜଭୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।
ଯୁବ ଓ ଛାତ୍ର ଶାଖା ବ୍ୟାପାର ବୁଝିବା ପାଇଁ ଆଠ ଜଣ ଯୁବ ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ଯୁବ ଶାଖା ଦାୟିତ୍ବରେ ଥିବା ନେତାମାନେ ହେଲେ ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମକେଶ ରାୟ, ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ, ଅମରେଶ ପତ୍ରୀ ଓ ସଞ୍ଜିତ ମହାନ୍ତି। ଛାତ୍ର ଶାଖା ଦୟିତ୍ବରେ ଥିବା ନେତାମାନେ ହେଲେ ବରିଷ୍ଠ ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଦେବୀ ରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ବାଳ।
More Stories
ମୋହନ ସରକାରଙ୍କ ନୂଆଖାଇ ଭେଟି
ଆକାଶ-ବବି ମୁହାଁମୁହିଁ, ଯାଜପୁରରେ ଆଉ ନାହିଁ ବିଜେଡି ବଳ
ଜୟନାରାୟଣଙ୍କ ଅଡୁଆ କଥା, ରାହୁଲ ଜଣେ ଜୋକର୍