ସୋଲାର୍ ଏନର୍ଜିକୁ ନେଇ ବଡ ଘୋଷଣା, ଯୋଡି ହେଲା ଟାଟା ପାୱାର

ଓଡ଼ିଶା ସରକାର ସ୍ବଚ୍ଛ ଶକ୍ତି ଉତ୍ପାଦନ ଓ ବ୍ୟବହାର ନେଇ ଭିଜନ୍ ୨୦୩୬ ଓ ୨୦୪୭ରେ ବିରାଟ ଅଭିଳାଷ ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଅଭିଯାନରେ ତାମିଲନାଡ଼ୁର ତିରୁନେଲ୍‌ଭେଲିଠାରେ ଥିବା ଟାଟା ପାୱାର୍‌ର ମେଗା ଓ ଅତ୍ୟାଧୁନିକ ସୋଲାର୍ ସେଲ୍ ଓ ମଡ୍ୟୁଲ୍‌ ଉତ୍ପାଦନ କାରଖାନା ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଗୋଟିଏ ସ୍ଥାନରେ ସୌର ଶକ୍ତି ଉପକରଣ ଉତ୍ପାଦନ କ୍ଷେତ୍ରରେ ଏହି କାରଖାନା ହେଉଛି ଭାରତର ସର୍ବବୃହତ୍‌। ଉଭୟ ଟପ୍‌କନ୍ ଓ ମନୋପର୍କ ପ୍ରଯୁକ୍ତିକୁ ଉପଯୋଗ କରି ସୌରଶକ୍ତି ଉତ୍ପାଦନର ପ୍ରମୁଖ ଉପକରଣ ସେଲ୍‌ ଓ ମଡ୍ୟୁଲ୍‌ ଉତ୍ପାଦନ କରାଯାଉଛି। ପ୍ରାୟ ୫୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ସ୍ଥାପନ ହୋଇଥିବା ଟାଟା ପାୱାର ସୋଲାର୍‌ ଲିମିଟେଡ୍‌ର ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୪.୩ ଗିଗାୱାଟ୍‌ ରହିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଇଞ୍ଜିନିୟରଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ମହିଳା।

କମ୍ପାନି କାରଖାନାର ପାରିପାର୍ଶ୍ବିକ ଅଞ୍ଚଳର ଲୋକମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ଏଭଳି ସ୍ଥିତିରେ କମ୍ପାନି ଆସନ୍ତା ତିନି ବର୍ଷ ମଧ୍ୟରେ ୩ ଲକ୍ଷ ରୁଫ୍‌ଟପ୍ ସୋଲାର୍‌ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ପିଏମ୍ ସୂର୍ଯ୍ୟଘର ଯୋଜନା ଏବଂ ରାଜ୍ୟ ସରକାରଙ୍କ ସହାୟତାରେ ଟାଟା ପାୱାର ଏହି କାର୍ଯ୍ୟକୁ ଆଗକୁ ନେଉଛି। ଗ୍ରାହକମାନେ ଯେଭଳି ସୁବିଧା‌ରେ ରୁଫ୍‌ଟପ୍ ସୋଲାର ସଂଯୋଗ ନେଇପାରିବେ ଓ ସବ୍‌ସିଡିର ଲାଭ ପାଇପାରିବେ, ସେଥିପାଇଁ କମ୍ପାନି ପକ୍ଷରୁ ଯଥା ସମ୍ଭବ ସହଯୋଗ କରାଯାଉଛି। କମ୍ପାନି ସହଜ ଫାଇନାନ୍ସ ଜରିଆରେ ଗ୍ରାହକଙ୍କୁ ଏହି ସୁବିଧା ଦେଉଛି। ୧ କିଲୋୱାଟ୍‌ କ୍ଷମତା ପାଇଁ ସର୍ବନିମ୍ନ ୨୪୯୯ ଟଙ୍କା ଦେଇ ଲୋକମାନେ ରୁଫ୍‌ଟପ୍ ସୋଲାର୍‌ ସଂଯୋଗ ନେଇପାରିବେ। ସେଥିପାଇଁ କମ୍ପାନି ‘ଘର୍‌ ଘର୍‌ ସୋଲାର୍‌’ ଅଭିଯାନ ଭୁବନେଶ୍ବରରୁ ଆରମ୍ଭ କରିଛି। ଏଥି ସହିତ କମ୍ପାନି ପକ୍ଷରୁ ଗ୍ରାହକମାନଙ୍କୁ ୨୪ ଘଣ୍ଟିଆ ରକ୍ଷଣାବେକ୍ଷଣ ସୁବିଧା ଯୋଗାଇ ଦିଆଯିବ। ରାଜ୍ୟର ସୌରଶକ୍ତି ପ୍ରକଳ୍ପ ସ୍ଥାପନ ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ କୁଶଳୀ ମାନବ ସମ୍ବଳ ସୃଷ୍ଟି ଲାଗି ଟାଟା ପାୱାର୍‌ ପକ୍ଷରୁ ଚାରିଟି ଟାଟା ପାୱାର ଦକ୍ଷତା ବିକାଶ ‌ପ୍ରତିଷ୍ଠାନ (ଟିପିଏସ୍‌ଡିଆଇ) ସ୍ଥାପନ କରୁଛି। ଏହି ପ୍ରତିଷ୍ଠାନଗୁଡ଼ିକ ଜରିଆରେ ଆଗାମୀ ବର୍ଷ ସୁଦ୍ଧା ୧୨ ହଜାର ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେବାର ଲକ୍ଷ୍ୟ ରହିଛି।

SHARE BY