ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଏବଂ ଓଡ଼ିଶାର ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଛି। ଏହି ଏଚ୍ଏଫ୍ଏମ୍ଡି ରୋଗ ପାଞ୍ଚବର୍ଷରୁ କମ୍ ପିଲାଙ୍କଠାରେ ହୋଇଥାଏ। ଏହା କକ୍ସାକିଭାଇରସ୍ ଏ୧୬ ନାମକ ଏକ ଭୂତାଣୁଜନିତ ରୋଗ। ଏହି ରୋଗ ହେଲେ ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଜ୍ବର ହୁଏ। ହାତର ପାପୁଲିରେ, ମୁହଁର ଚାରିପାଖରେ, ପାଦ ତଳିପାରେ ଏବଂ ଆଣ୍ଠୁ, ଛାତି, ପିଠି, ପିଚା ଓ ଯୌନାଙ୍ଗରେ ବି ନାଲି ନାଲି ଫଳିବା ଦେଖାଯାଏ। ଗଳାରେ ହେଲେ ତଣ୍ଟି ଦରଜ ବି ହୋଇପାରେ। ପିଲାକୁ ଜ୍ବର ହୋଇପାରେ ଏବଂ ବେଳେ ବେଳେ ଭୀଷଣ ଜ୍ବର ହୁଏ। ଭୋକ ମରିଯାଇପାରେ ଓ ପିଲା କିଛି ଖାଇବାକୁ ଇଚ୍ଛା କରେ ନାହିଁ। ଏହି ରୋଗ ହେଲେ ଲକ୍ଷଣ ଅନୁଯାୟୀ ଶିଶୁରୋଗ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ବାଧାନରେ ଚିକିତ୍ସା କରାଯିବା ଉଚିତ।
ଏହି ରୋଗ ଅତ୍ୟନ୍ତ ସଂକ୍ରାମକ। ସଂକ୍ରମିତ ପିଲାର ମଳ, ମୂତ୍ର, ଲାଳ, ସିଙ୍ଘାଣି, ଛେପ, ଖଙ୍କାର ଆଦି ସଂସ୍ପର୍ଶରେ ଆସିବା ମାତ୍ରେ ଅନ୍ୟ ପିଲା ସଂକ୍ରମିତ ହୋଇଥାଏ। ଯଦି କୌଣସି ପିଲାଠାରେ ଏପରି ଲକ୍ଷଣ ଦେଖାଯାଏ, ତେବେ ସେ ସମ୍ପୂର୍ଣ୍ଣ ଭଲ ନ ହେବା ଯାଏ ୫-୭ ଦିନ ପର୍ଯ୍ୟନ୍ତ ତାକୁ ଅନ୍ୟ ପିଲାଙ୍କ ସହ ଖେଳିବା କିମ୍ବା ସ୍କୁଲକୁ ଯିବାକୁ ନ ଦେବା ଉଚିତ।
କକ୍ସାକିଭାଇରସ୍ ଏ୧୬ ହେଉଛି ଏଣ୍ଟରୋଭାଇରସ୍ ପରିବାରର, ଯାହା କି ଏଚ୍ଏଫ୍ଏମ୍ଡି ରୋଗର କାରଣ। ଏହା ମୁଖ୍ୟତଃ ୫ରୁ କମ୍ ବର୍ଷ ବୟସର ପିଲାଙ୍କଠାରେ ସଂକ୍ରମିତ ହୋଇଥାଏ। କିନ୍ତୁ ୧୨ ବର୍ଷର ପିଲାଙ୍କୁ ବି ଏହା ହେବାର ଦେଖାଯାଇଛି ଏବଂ କେତେକଙ୍କଠାରେ ଏହା ଦ୍ବିତୀୟ ବାର ହୋଇଛି। ତେବେ ଏହା ହେବା କଥା ନୁହେଁ କାରଣ ଥରେ ଏପରି ଭୂତାଣୁଜନିତ ରୋଗ ହେଲେ ପିଲାଠାରେ ସେହି ରୋଗର ନିରୋଧକ କ୍ଷମତା ସୃଷ୍ଟି ହୋଇଯାଇଥାଏ। ତେବେ କକ୍ସାକିଭାଇରସ୍ ଏ୧୬ର ଏକ ଅନ୍ୟ ଷ୍ଟ୍ରେନ୍ ଯଥା ଏ୬ଏ୧୬ ବା ସମ୍ପୂର୍ଣ୍ଣ ଅନ୍ୟ ଏକ ଭୂତାଣୁ ହୁଏତ ଦ୍ବିତୀୟ ବାର ଏହି ରୋଗ ସୃଷ୍ଟି କରୁଥାଇପାରେ। ଉଦାହରଣସ୍ବରୂପ ପୂର୍ବ ଓ ଦକ୍ଷିଣପୂର୍ବ ଏସିଆରେ ଏଚ୍ଏଫ୍ଏମ୍ଡି ରୋଗ ସୃଷ୍ଟି କରିବାରେ ଏଣ୍ଟରୋଭାଇରସ୍ ୭୧ (ଇଭି-ଏ୭୧)ର ଭୂମିକା ଥିବା ଦେଖିବାକୁ ମିଳିଛି। ସମ୍ପ୍ରତି ଓଡ଼ିଶାରେ ଯେଉଁ ପିଲା ସଂକ୍ରମିତ ହୋଇଛନ୍ତି, ସେମାନେ ପ୍ରକୃତରେ କକ୍ସାକିଭାଇରସ୍ ଏ୧୬ ଦ୍ବାରା ବା ଏଣ୍ଟରୋଭାଇରସ୍ ୭୧ ଦ୍ବାରା ସଂକ୍ରମିତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏ ପରିପ୍ରେକ୍ଷୀରେ ଯେକୌଣସି ସଂକ୍ରାମକ ରୋଗ ଉପରେ ନଜର ରଖିବା ଏବଂ ନିୟମିତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ହେଉଛି ଗୁରୁତ୍ବପୂର୍ଣ୍ଣ।
କକ୍ସାକିଭାଇରସ୍ ଏ୧୬ ମଧ୍ୟ ହାତ-ପାଦ-ମୁହଁ ରୋଗ ସୃଷ୍ଟି କରିପାରେ ଯେଉଁଥିରେ ଲକ୍ଷଣଗୁଡ଼ିକ ଅଧିକ ଗୁରୁତର। ଇଭି-ଏ୭୧ ଦ୍ବାରା ଏକ ବିରଳ ରକମର କକ୍ସାକିଭାଇରସ୍ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ ଯାହା ସହ ମସ୍ତିଷ୍କର ଏକ ଭୟଙ୍କର ରୋଗ ଏନ୍ସେଫାଲାଇଟିସ୍ର ସମ୍ପର୍କ ଥାଏ।
ଏଚ୍ଏଫ୍ଏମ୍ଡି ପ୍ରାୟତଃ ବୟସ୍କ ଲୋକମାନଙ୍କୁ ହୁଏ ନାହିଁ। କିନ୍ତୁ ୧୨ ବର୍ଷ ବୟସ ପର୍ଯ୍ୟନ୍ତ କିଛି ପିଲାଙ୍କୁ ଏହି ରୋଗ ହେବାର ଦେଖାଯାଇଛି। ସେହି ୧୨ ବର୍ଷ ବୟସ ପର୍ଯ୍ୟନ୍ତ କେତେକ ପିଲାଙ୍କର ୮ ବର୍ଷ ତଳେ ଏହି ହୋଇଥିବାର ନଜୀର ରହିଛି। ଏଥିରୁ ଭୂତାଣୁଙ୍କ ଅନ୍ୟ କିଛି ଷ୍ଟ୍ରେନ୍ ବା ସମ୍ପୂର୍ଣ୍ଣ ନୂତନ ଭୂତାଣୁ ସମାନ ଲକ୍ଷଣ ବିଶିଷ୍ଟ ରୋଗ ସୃଷ୍ଟି କରୁଥିବାର ଅନୁମାନ କରାଯାଉଛି। ଶିଶୁମାନଙ୍କଠାରେ ହେଉଥିବା ଏହି ହାତ-ପାଦ-ମୁହଁ ରୋଗ (ଏଚ୍ଏଫ୍ଏମ୍ଡି) ସାଧାରଣତଃ ପ୍ରାଣୀମାନଙ୍କଠାରେ ହେଉଥିବା ଫାଟୁଆ (ଏଫ୍ଏମ୍ଡି) ରୋଗଠାରୁ ଭିନ୍ନ। ପ୍ରାଣୀଙ୍କଠାରେ ହେଉଥିବା ପାଦ-ମୁହଁ ଫାଟୁଆ ରୋଗ ଭୂତାଣୁଜନିତ ଓ ତାହା ଖୁବ୍ ସଂକ୍ରାମକ ଓ ଗୁରୁତର ହୋଇପାରେ। ଏହି ରୋଗ ଗୋରୁ, ଘୁଷୁରି, ମେଣ୍ଢା, ହରିଣ ଓ ଖୁରା ଥିବା ଅନ୍ୟ ପ୍ରାଣୀଙ୍କୁ ହୋଇଥାଏ। ଏହି ରୋଗ ସୃଷ୍ଟିକାରୀ ଆଫ୍ଟୋଭାଇରସ୍ ମଧ୍ୟ ଏକ ଏଣ୍ଟରୋଭାଇରସ୍, ଯେଉଁଥିପାଇଁ ଟିକା ଉପଲବ୍ଧ। ଏହି ରୋଗ ଘୋଡ଼ା, କୁକୁର ଓ ବିରାଡ଼ିଙ୍କୁ ହୋଇ ନ ଥାଏ। ଏଚ୍ଏଫ୍ଏମ୍ଡି ରୋଗ କେରଳରେ ହୋଇଥିବା ରିପୋର୍ଟ ମିଳିବା ପରେ କର୍ଣ୍ଣାଟକ ଓ ତାମିଲନାଡ଼ୁର ଅଧିକାରୀମାନେ ଏହା ବ୍ୟାପିବା ନେଇ ସତର୍କ ସୂଚନା ଜାରି କରିଛନ୍ତି। ତେବେ ଏହି ରୋଗର ‘ଟମାଟୋ ଫ୍ଲୁ’ ପରି ନାମକରଣକୁ ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି।
More Stories
ନାଭିରେ ପ୍ରତିଦିନ ଲଗାନ୍ତୁ ମହୁ, ରହିବନି ଏହି ସବୁ ସମସ୍ୟା
ଶାନ୍ତିରେ ଚା ପିଇଲେ କମୁଛି ମୃତ୍ୟୁ ହାର
ତୁରନ୍ତ ନିୟନ୍ତ୍ରଣରେ ଆସିବ ରକ୍ତଚାପ